ଜନସେବା କେନ୍ଦ୍ର ଖୋଲି ଆଧାର ସେବା ନାମରେ ଲକ୍ଷାଧିକ ଟଙ୍କା ଠକେଇ, ମାଲିକଙ୍କ ନାଁରେ ଅଭିଯୋଗ


ଟାଙ୍ଗୀ(ଏନ୍‌.ଏମ୍‌.): ଜନସେବା କେନ୍ଦ୍ର ଖୋଲି ଆଧାର ସେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ ହୋଇଛି । ନୂତନକରି ଆଧାର ପଞ୍ଜିକରଣ ଓ ୫/୧୫ବର୍ଷ ପରେ ଅନିର୍ବାଯ୍ୟ ବାୟୋମେଟ୍ରିକ ନବୀକରଣ ନିମନ୍ତେ ସରକାର ନିଶୁଳ୍କ ବ୍ୟବସ୍ଥା ଲାଗୁ କରିଥିବାବେଳେ ଆଧାର କାର୍ଡ଼ରେ ଯେ କୌଣସି ପ୍ରକାର ସଂଶୋଧନ ନିମନ୍ତେ ୫୦ଟଙ୍କା ଓ ରଙ୍ଗୀନ ପ୍ରିଣ୍ଟ ବାହାର କରିବା ନିମନ୍ତେ ୩୦ଟଙ୍କା ଶୁଳ୍କ ଧାର୍ଯ୍ୟ କରିଛନ୍ତି । ମାତ୍ର ଉକ୍ତ କେନ୍ଦ୍ର ନୂତନ ପଞ୍ଜିକରଣ ସହ ସଂଶୋଧନ ପାଇଁ ଜଣପିଛା୧୫୦ଟଙ୍କା ଓ ପ୍ରିଣ୍ଟ କାଢ଼ିବା ନିମନ୍ତେ ୬୦ଟଙ୍କା ମିଶାଇ ମୋଟ ୨୧୦ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଟାଙ୍ଗୀ-ଚୌଦ୍ୱାର ବ୍ଲକ ତଥା ଟାଙ୍ଗୀଥାନା ଅନ୍ତର୍ଗତ ଭଟ୍ଟିମୁଣ୍ଡା ଗ୍ରାମରେ । ମଳୟ ପୃଷ୍ଟି ନାମକ ଜଣେ ଉପଭୋକ୍ତା ଠକାମୀ ସଂପର୍କରେ ଅଭିଯୋଗ ଆଣିବା ପରେ ଜନସେବା କେନ୍ଦ୍ରର ମାଲିକ ଓ ତାଙ୍କ ଭଉଣୀ କିପରି ଅଭିନବ ଉପାୟରେ ଠକୁଥିଲେ ତାହାର ପର୍ଦ୍ଦାଫାଶ ହୋଇଛି । ସୂଚନା ଅନୁଯାୟୀ ଆଧାର ସେବା ଯୋଗାଇବା ନିମନ୍ତେ ଭଟ୍ଟିମୁଣ୍ଡାସ୍ଥିତ ଆନ୍ଧ୍ର ବ୍ୟାଙ୍କ ସ୍ୱୀକୃତିପ୍ରାପ୍ତ ହୋଇଥିବାବେଳେ ଉକ୍ତ ଦାୟିତ୍ୱରେ ତପନଙ୍କ ଭଉଣୀ ରହିଛନ୍ତି । ବ୍ୟାଙ୍କ ଠାରୁ ଅନତୀଦୂରରେ ତପନଙ୍କର ଜନସେବା କେନ୍ଦ୍ର ରହିଛି । ଉକ୍ତ ସ୍ଥାନରେ ଆଧାର ସେବା କେନ୍ଦ୍ରର ଅନ୍ୟଏକ ବୋର୍ଡ଼ ଲଗାଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଫଟୋ ଲାଗିଛି । ଫଳରେ ନୂତନ ଆଧାର ପଞ୍ଜିକରଣ ଠାରୁ ଆରମ୍ଭକରି ସଂଶୋଧନ ପର୍ଯ୍ୟନ୍ତ ସବୁ କାମରେ ଅଞ୍ଚଳବାସୀ ତପନ ଉପରେ ଭରସା କରନ୍ତି । ତପନ ନିଜ ଭଉଣୀ ସହାୟତାରେ କାମ କରୁଥିବାବେଳେ ଅତିରିକ୍ତ ଅର୍ଥ ଦାବି କରନ୍ତି । ଅନ୍ୟପକ୍ଷରେ ଆଧାର ସେବା ଯୋଗାଇବା ନିମନ୍ତେ ବ୍ୟାଙ୍କ ନିକଟରେ ଫଳକ କିମ୍ବା ବୋର୍ଡ଼ ଲାଗିନଥିବାରୁ ଲୋକେ ବ୍ୟାଙ୍କର ଭୂମିକା ସମ୍ପର୍କରେ ଜାଣିପାରୁନାହାଁନ୍ତି । ଏ ସଂକ୍ରାନ୍ତରେ ମଳୟଙ୍କ ସମେତ ଠକାମୀର ଶିକାର ହୋଇଥିବା କେତେକ ବ୍ୟକ୍ତି ବିଡ଼ିଓ ବିନୋଦ କୁମାର ସେନାପତି ଓ ଥାନାଧିକାରୀ ସୁଚିତ୍ରବିର୍ଯ୍ୟ ଦାସଙ୍କ ନିକଟରେ ଲିଖିତ ଅଭିଯୋଗ ପୂର୍ବକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ