୬୬୨ ବର୍ଗ ଅଧ୍ୟାପକଙ୍କ ଘୋଷଣା ପରେ ଦୂର ହେଲା ପରୀକ୍ଷା ପରିଚାଳନା ଦ୍ୱନ୍ଦ
ପରୀକ୍ଷା ପରିଚାଳନା ସହ ପ୍ରତୀକାତ୍ମକ ଆନ୍ଦୋଳନ ଜାରି ରହିବ: ସଂଘ

#ଭୁବନେଶ୍ୱର(ଏନ୍.ଏମ୍.): ନିଜର ନାର୍ଯ୍ୟ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିବା ୬୬୨ ବର୍ଗ ଅଧ୍ୟାପକଙ୍କ ଘୋଷଣା ପରେ ପରୀକ୍ଷା ପରିଚାଳନାକୁ ନେଇ ଉପୁଜିଥିବା ଦ୍ୱନ୍ଦର ପରିସମାପ୍ତି ହୋଇଛି । ତେବେ ଆସନ୍ତାକାଲି ଠାରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରମାନଙ୍କରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି । ତେବେ ଏହି ସମୟରେ ୬୬୨ ବର୍ଗ ଅଧ୍ୟାପକ ଧାରଣାରେ ବସିଥିବାରୁ ପରୀକ୍ଷା ପରିଚାଳନା ନେଇ ଦ୍ୱନ୍ଦ ସୃଷ୍ଟି ହୋଇଥିଲା । କିନ୍ତୁ ଆନ୍ଦୋଳନ ଚାଲୁ ରଖିବା ସହ ପରୀକ୍ଷା ପରିଚାଳନାରେ ବି ସାମିଲ ହେବେ ବୋଲି ଆନ୍ଦୋଳନକାରୀ ଅଧ୍ୟାପକମାନେ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ହେବା ପରେ ଏପରି ନିଷ୍ପତ୍ତି ନିଆଯାଇଥିବା ୬୬୨ ବର୍ଗ ଅଧ୍ୟାପକ ସଂଘ ପକ୍ଷରୁ କୁହାଯାଇଛି । ମାତ୍ର ଆସନ୍ତା ୧୨ ତାରିଖ ମଧ୍ୟରେ ସେମାନଙ୍କ ଦାବି ପୂରଣ ନହେଲେ ପୁଣି ଥରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି । ୬୬୨ ବର୍ଗର ହଜାର ହଜାର ଅଧ୍ୟାପକ ପ୍ରାୟ ୨୦ ଦିନ ହେବ ୪ ଦଫା ଦାବି ପୂରଣ କରିବାକୁ ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି । ସେମାନେ ନିଜ ଜିଦରେ ଅଡ଼ି ବସିଥିବାବେଳେ ପରୀକ୍ଷା ପରିଚାଳନା ନେଇ ଏକପ୍ରକାର ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ତେଣୁ ଏହି ସମୟରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ଗଠିତ ଆନ୍ତଃ ମନ୍ତ୍ରାଳୟସ୍ତରୀୟ କମିଟି ସହ ଆଜି ଅଧ୍ୟାପକଙ୍କ ପ୍ରତିନିଧି ମଣ୍ଡଳୀର ଆଲୋଚନା ହୋଇଥିଲା । ଏହି ବୈଠକରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ । ଆଲୋଚନା ବେଳେ ଅଧ୍ୟାପକମାନଙ୍କ ଦାବି ଶୁଣିବା ସହ ପରୀକ୍ଷା ପରିଚାଳନାରେ ସହଯୋଗ କରିବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ଅନୁରୋଧ କରିଥିଲେ । ଏଥିସହ ଆସନ୍ତା ୧୨ତାରିଖ ମଧ୍ୟରେ ପୁନର୍ବାର କମିଟିର ବୈଠକ ବସି ଅଧ୍ୟାପକଙ୍କ ଦାବି ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅଧ୍ୟାପକମାନେ ପରୀକ୍ଷାରେ ସାମିଲ ହୋଇଥିବା କହିଛନ୍ତି । ଏହି ସମୟରେ ପୂର୍ବ ପରି ପ୍ରତିକାତ୍ମକ ଧାରଣା ଚାଲୁ ରହିବ ବୋଲି ସଂଘ ସଭାପତି ଗୋଲକ ନାୟକ ସୂଚନା ଦେଇଛନ୍ତି । ପ୍ରତିଶ୍ରୁତି ମୁତାବକ ୧୨ ତାରିଖ ମଧ୍ୟରେ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଅଧିକ ତୀବ୍ରତର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।