୫ଚୋରା ବାଇକ୍ ଜବତ : ଗ୍ୟାଙ୍ଗର ୪ ଲୁଟେରା ଗିରଫ
କଟକ(ଏନ୍.ଏମ୍.): କଟକ ଓ ଭୁବନେଶ୍ୱରରୁ ବାଇକ୍ ଚୋରି କରି କନ୍ଧମାଳ ଜିଲ୍ଲାରେ ବିକ୍ରି କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କ୍ୟାଣ୍ଟନମେଣ୍ଟ ଥାନା ପୁଲିସ । ଏହି ଲୁଟେରା ଗ୍ୟାଙ୍ଗର ୪ ସଦସ୍ୟଙ୍କୁ ପୁଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫ଟି ଚୋରି ମୋଟରସାଇକେଲ ଜବତ କରିଛି । ଗିରଫ ଅଭିଯୁକ୍ତ ଲୁଟେରା କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ପଟାପୋଲ ଗୋଳବେଦି ସାହିର ଅଭିଶେକ ନାଇଡ଼ୁ ଓରଫ ରାଜା(୨୮) ଓ ଚୋରି ବାଇକ୍ ବିକ୍ରି କରୁଥିବା କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ଅମଲାପଡ଼ାର ଉମାକାନ୍ତ ବେହେରା(୨୫), ମାନସ ଦଳଛତ୍ର(୨୯) ଓ କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅନ୍ତର୍ଗତ ବନ୍ଧଖମାଣର ବୃଷଭାନୁ ମଲ୍ଲିକ(୨୦) । ମିଳିଥିବା ସୂଚନା ଅନୁଯାୟୀ, ପଟାପୋଲ ଗୋଳବେଦି ସାହିର ବି ସାଜିବ ରାଓ ଗତ ଜାନୁଆରୀ ୨୫ତାରିଖ ରାତିରେ ତାଙ୍କ ଘର ସମ୍ମୁଖରେ ତାଙ୍କ ଟିଭିଏସ ଆପାଚି ମୋଟରସାଇକେଲ(ଓଡ଼ି ୦୫ ଏସି ୧୭୨୬)ଟିକୁ ରଖିଥିଲେ । ପରଦିନ ସକାଳେ ସେ ତାଙ୍କ ମୋଟରସାଇକେଲଟିକୁ ନପାଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ମାତ୍ର କେଉଁଠି ନପାଇବାରୁ ସେ ୨୬ ତାରିଖରେ ତାଙ୍କ ଗାଡ଼ି ଚୋରି ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ । ତଦନୁଯାୟୀ ୧୯/୨୧ରେ ଆଇପିସି ୩୭୯ରେ ଏକ ମାମଲା ରୁଜୁ କରାଯାଇ ଏସଆଇ ପି.କେ.ନାୟକଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ତଦନ୍ତ ସମୟରେ ଅଭିଶେକର ସଂପୃକ୍ତି ଜଣା ପଡ଼ିଥିଲା । ପଚରା ଉଚରା ସମୟରେ ସେ ତା’ର ସହଯୋଗୀ କେଶରପୁରର ମିର୍ଲାତିଫୁର ରେହେମାନ ଓରଫ ଜାଭେଦ ସହାୟତାରେ ବି ସାଜିବର ଗାଡ଼ି ଚୋରି କରିଥିବା ସ୍ୱୀକାର କରିଥିଲା । ଏଥିସହ ଉଭୟ ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରି କରି ନେଇ ଫୁଲବାଣୀର ମାନସ ଓ ଉମାକାନ୍ତ ସହାୟତାରେ ସେଠାରେ ବିକ୍ରି କରୁଥିବା ନେଇ ସୂଚନା ଦେଇଥିଲା । ତଦନୁଯାୟୀ ଚଢାଉ କରାଯାଇ ଗୋଟିଏ ଆପାଚି, ୨ଟି ୟାମାହା, ଗୋଟିଏ ହୁଣ୍ଡା ୟୁନିକର୍ଣ୍ଣ ଓ ଗୋଟିଏ ହିରୋ ସ୍ପେ୍ଲଣ୍ଡର ପ୍ଲସ ସମେତ ମୋଟ୍ ୫ଟି ମୋଟରସାଇକେଲ ଜବତ କରାଯିବା ସହ ୪ ଜଣଙ୍କୁ ଗିରଫ କରାଯାଇଛି । ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ଅପରାଧିକ କାର୍ଯ୍ୟକଳାପର ଛାନ୍ ଭିନ୍ ଜାରି ରହିଛି ।