୪୨ ଦିନ ଲଢ଼େଇକରି କରୋନାକୁ ମାତ ଦେଲେ କଲେ ୮୫ ବର୍ଷିୟା ବୃଦ୍ଧା
କଟକ (ଏନ୍.ଏମ୍.): କଟକ ଜିଲ୍ଲାରେ କରୋନା ଯୋଗୁଁ ଅନେକ ମୃତ୍ୟୁ ମୁଖରେ ପଡ଼ୁଥିବାବେଳେ ଜଣେ ୮୫ବର୍ଷିୟା ବୃଦ୍ଧା ଦୀର୍ଘ ୪୨ଦିନ ଲଢ଼େଇ କରି କରୋନାକୁ ମାତ ଦେଇଛନ୍ତି । ଯେଉଁମାନେ ମାନସିକ ଚାପ ଗ୍ରସ୍ତ ହେଉଛନ୍ତି ସେମାନଙ୍କ କ୍ଷେତ୍ରରେ ଅଧିକାଂଶଙ୍କ ମୃତ୍ୟୁ ଦେଖାଯାଉଛି । ଏଭଳି କିଛି ବ୍ୟକ୍ତି ଓ ବୃଦ୍ଧ, ବୃଦ୍ଧା ଅଛନ୍ତି ଯେଉଁମାନେ କରୋନା ସଂକ୍ରମଣ ସହ ଲଢେଇ କରି ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ଆଉ ଜଣେ ୮୫ ବର୍ଷିୟା ବୃଦ୍ଧା କରୋନାକୁ ପରାସ୍ତ କରି ସୁସ୍ଥ ହୋଇଛନ୍ତି । ବୃଦ୍ଧା ଜଣଙ୍କ ସୁସ୍ଥ ହେବା ପରେ ସରକାର, ସିଏମସି ଏବଂ କୋଭିଡ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଧନ୍ୟବାଦ ଜଣାଇଛନ୍ତି । ଏହି ବୃଦ୍ଧା ଜଣକ କଟକ ଜିଲ୍ଲା ଆଠଗଡ ବ୍ଲକ ଗୁରୁଡି ଝାଟିଆ ଅନ୍ତର୍ଗତ ସାରକୋଳି ଅଞ୍ଚଳର ଗୋଲାପ ବେହେରା । ସେ ଗତ ମେ ମାସ ୫ ତାରିଖରେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କୁ ପ୍ରଥମେ ଜିମସାର କୋଭିଡ କେୟାର ସେଣ୍ଟର (ସିସିସି)ରେ ଗତ ମାସ ୩ ତାରିଖରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥବସ୍ଥା ଗରୁତର ହେବାରୁ ୪ ତାରିଖରେ ୟୁନିକ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ୟୁନିକ କୋଭିଡ ହସ୍ପିଟାଲରେ ଦୀର୍ଘ ୧୩ ଦିନ ଧରି ସେ ଚିକିତ୍ସିତ ହେଉଥିଲେ । ଅଦ୍ୟାବିଧ ପଜିଟିଭ ଚିହ୍ନଟର ଦୀର୍ଘ ୪୨ ଦିନ ଧରି କରୋନା ସହ ଲଢେଇ କରି ଶେଷରେ କରୋନାକୁ ହରାଇଛନ୍ତି ଗୋଲାପ । ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପରିବାର ଲୋକ ସିଏମସି କୋଭିଡ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି । ଏହା ସହିତ କୋଭିଡ ହସ୍ପିଟାଲରେ ଚିକିତ୍ସା କରୁଥିବା ଡାକ୍ତର, ସେବିକା ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ଯତ୍ନ ଓ ସେବା ଯୋଗୁଁ ସୁସ୍ଥ ହେବାରେ ସହାୟକ ହୋଇଥିଲା ବୋଲି ସୁସ୍ଥ ଗୋଲାପ କହିଛନ୍ତି ।