୨୦୨୨ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି

୨୦୨୨ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି

୨୦୨୨ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି


ଭୁବନେଶ୍ୱର(ଏନ୍‌.ଏମ୍‌.):୨୦୨୨ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଆଜି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଶାସନ ସଚିବ, ଗୃହ ବିଭାଗଙ୍କ ଅଧ୍ୟକ୍ଷତାରେ ପୂର୍ବରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ଅନୁଯାୟୀ କୋଭିଡ୍ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ ସହ ଆଗାମୀ ଜାନୁଆରୀ ୨୬ ଉତ୍ସବ ପାଳନ କରାଯିବ । ଏହି ଉତ୍ସବରେ ବ୍ୟବସ୍ଥିତ ଭାବେ ସମସ୍ତ କାର୍ଯ୍ୟ ସମାପନ ନିମନ୍ତେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ସମସ୍ତ କାର୍ଯ୍ୟସୂଚୀର ଯଥାର୍ଥ କାର୍ଯ୍ୟାନ୍ୱୟନ ସଂପର୍କରେ ନିର୍ଦ୍ଦେଶ ଦେଇଥିଲେ ।
ପ୍ରତିବର୍ଷ ପରି ମହାତ୍ମାଗାନ୍ଧୀ ମାର୍ଗରେ ଏହି ଉତ୍ସବ ଅନୁଷ୍ଠିତ ହେବ । ଖୁବ୍ ସଂକ୍ଷିପ୍ତ ସମୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜାତୀୟ ପତାକା ଉତ୍ତୋଳନ କରି ପରେଡ୍‌ରେ ଅଭିବାଦନ ଗ୍ରହଣ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିବେ । ସାଧାରଣତନ୍ତ୍ର ଦିବସ ପ୍ରଭାତରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ରାମଧୂନ ପରିକ୍ରମା, ରାଜଭବନରୁ ଏଜି ଛକ ଏବଂ ମହାତ୍ମା ଗାନ୍ଧୀ ମାର୍ଗର ଉତ୍ସବସ୍ଥଳୀ ପର୍ଯ୍ୟନ୍ତ ଜାତୀୟ ପତାକାରେ ସାଜସଜ୍ଜା କରାଯିବ । ସାମାଜିକ ଗଣମାଧ୍ୟମ, କମନ୍‌ଫିଡ଼୍‌, ଟିଭି ଫଟୋ ଓ ସମ୍ବାଦ ପ୍ରକାଶନ ଏବଂ ଗଣମାଧ୍ୟମକୁ ସମ୍ବାଦ ପ୍ରେରଣ ବ୍ୟବସ୍ଥା କରାଯିବ । ଲୋକସେବା ଭବନ, ରାଜୀବ ଭବନ, ଖାରବେଳ ଭବନ, ବିଧାନସଭା ସୌଧ ଆଦି ରାଜ୍ୟସରକାରଙ୍କ ପ୍ରମୁଖ କାର୍ଯ୍ୟାଳୟଗୁଡ଼ିକରେ ଆଲୋକସଜ୍ଜା କରାଯିବ । ମହାନଗର ନିଗମର ପ୍ରମୁଖ ସ୍ଥାନଗୁଡ଼ିକରେ ଭିଡ଼ିଓ ୱାଲ୍ ମାଧ୍ୟମରେ ସମସ୍ତ କାର୍ଯ୍ୟକ୍ରମ ପ୍ରଦର୍ଶନ ହେବ । ଏହି ବୈଠକରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ସମସ୍ତ କାର୍ଯ୍ୟସୂଚୀ ସଂପର୍କରେ ପ୍ରମୁଖ ଶାସନ ସଚିବଙ୍କୁ ଅବଗତ କରାଇଥିଲେ । ବୈଠକରେ ନିର୍ଦ୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ, ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସଂପାଦକ ଡ. ଲେନିନ୍ ମହାନ୍ତି, ବିଭାଗୀୟ ଯୁଗ୍ମ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁ, ଯୁଗ୍ମ ନିର୍ଦ୍ଦେଶକ, ଉପନିର୍ଦ୍ଦେଶକମାନଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ