ୟୁଜି-ପିଜି ପରୀକ୍ଷା ନେଇ ଘୋଷଣା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର (ଏନ୍.ଏମ୍.): ରାଜ୍ୟରେ ୟୁଜି-ପିଜିର ଫାଇନାଲ ଇୟର ବା ଫାଇନାଲ୍ ସେମିଷ୍ଟର ପରୀକ୍ଷା ହେବ ବୋଲି ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତିମାନଙ୍କ ମତାମତ ନିଆଯାଇ ୟୁଜି-ପିଜି ଫାଇନାଲ ଇୟର ବା ଫାଇନାଲ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଜୁଲାଇ, ଅଗଷ୍ଟ ସୁଦ୍ଧା ଅନଲାଇନରେ ପରୀକ୍ଷା ହେବ । ପରୀକ୍ଷାର ତାରିଖ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ବା ସ୍ୱୟଂଶାସିତ କଲେଜ ଗୁଡ଼ିକ ସ୍ଥିର କରିବେ । ସେହିଭଳି ଅନଲାଇନରେ କେମିତି ପରୀକ୍ଷା ହେବ, ତାହା ବି ବିଶ୍ୱବିଦ୍ୟାଳୟ ବା ସ୍ୱୟଂଶାସିତ କଲେଜଗୁଡ଼ିକ ସ୍ଥିର କରିବେ । ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ପିଲାମାନେ ଘରେ ରହି ପରୀକ୍ଷା ଦେଇପାରିବେ । ଯାହାର ଘରେ ସୁବିଧା ନଥିବ ନିକଟସ୍ଥ ଡିଗ୍ରୀ କଲେଜରେ ଦେଇପାରିବେ । ପିଲାମାନେ ଯେଭଳି ଅନଲାଇନରେ ପରୀକ୍ଷା ଦେଇପାରିବେ, ସେ ନେଇ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜ କର୍ତ୍ତୃପକ୍ଷ ସୁନିଶ୍ଚିତ କରିବେ । ସେ ପୁଣି କହିଛନ୍ତି ଯେ, ଏହି ପିଲାମାନଙ୍କର ଯଦି ପୂର୍ବ ସେମିଷ୍ଟରର କିଛି ପରୀକ୍ଷା ବାକି ଅଛି କିମ୍ବା ବ୍ୟାକ୍ ପେପର ରହିଛି, ତା’ହେଲେ ସେମାନେ ଅନଲାଇନ ପରୀକ୍ଷା ମାଧ୍ୟମରେ ଜୁଲାଇ, ଅଗଷ୍ଟ ମାସ ସୁଦ୍ଧା ସେଗୁଡ଼ିକୁ ଶେଷ କରିବେ । ୟୁଜି-ପିଜିର ବାକି ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପରୀକ୍ଷା ନେଇ କିଛି ନିଷ୍ପତ୍ତି ହୋଇନାହିଁ । ପରବର୍ତ୍ତୀ ସମୟରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ, ଗତ ଜୁନ୍ ୧୨ତାରିଖରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ କୁଳପତିମାନଙ୍କର ଏକ ବୈଠକ ବସିଥିଲା । ଏହି ବୈଠକରେ ୟୁଜି-ପିଜି ପରୀକ୍ଷା କରାଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ତେବେ ଏନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ କୁଳପତିମାନେ ବିଭିନ୍ନ କଲେଜର ଅଧ୍ୟକ୍ଷ ଏବଂ ଉଭୟ ଗ୍ରାମଞ୍ଚଳ ଓ ସହରାଞ୍ଚଳର କିଛି ଛାତ୍ରଛାତ୍ରୀ ସହିତ ଆଲୋଚନା କରିବାକୁ ଚାହିଁଥିଲେ । ଏହି ବୈଠକରେ କେତେ ଜଣ କୁଳପତି ଅଫଲାଇନ ପରୀକ୍ଷା ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ତେବେ ଆଜି ମନ୍ତ୍ରୀଙ୍କ ଘୋଷଣା ପରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି ।