ହାତୀ ମୃତ୍ୟୁ ମାମଲାରେ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
News by Padmalochan Mishra (Cuttack)
#କଟକ (ଏନ୍.ଏମ୍.): ହାତୀ ମୃତ୍ୟୁ ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏ ସମ୍ପର୍କରେ ସତ୍ୟପାଠ ମାଧ୍ୟମରେ କୋର୍ଟଙ୍କୁ ଅବଗତ କରିବାକୁ କହିଛନ୍ତି । ମାମଲାର ଶୁଣାଣିବେଳେ ଏଯାବତ ୧୪ ହାତୀ ମରିଥିବା ଜଏଣ୍ଟ ଟାକ୍ସଫୋର୍ସ ପକ୍ଷରୁ କୁହାଯାଇଥିବାବେଳେ ୧୪ରୁ ୧୮ ଜଣଙ୍କ ପ୍ରାଣହାହୀ ଲୋକଙ୍କ ପ୍ରାଣହାନୀ ହୋଇଥିବା ଦର୍ଶାଯାଇଛି । ସେହିପରି ବନ କର୍ମଚାରୀ ତୁରାମ ପୂର୍ତ୍ତି ଆତ୍ମହତ୍ୟା ମାମଲାରେ ତାଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ସତ୍ୟପାଠରେ ଅବଗତ କରିବାକୁ ଅଦାଲତ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି । ବନ ବିଭାଗ ଅଞ୍ଚଳରେ କିପରି ବିଦ୍ୟୁତ୍ ବଣ୍ଟନ କରାଯାଇଛି ସେ ସମ୍ପର୍କରେ ମଧ୍ୟ ତଥ୍ୟ ପ୍ରଦାନ କରିବାକୁ ବିଦ୍ୟୁତ୍ ବିତରଣ କମ୍ପାନୀକୁ କୁହାଯାଇଛି । ଆସନ୍ତା ଏପ୍ରିଲ୍ ୨୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟ ସମୟ ଧାର୍ଯ୍ୟ କରିଛନ୍ତି । ତେବେ ହାତୀ ମୃତ୍ୟୁ ମାମଲାରେ ରାଜ୍ୟ ସରକାର ଯଥେଷ୍ଟ ପଦେକ୍ଷେପ ନେଉନାହଁନ୍ତି ବୋଲି ମାମଲାର ଶୁଣାଣିବେଳେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ । ହାତୀ ମୃତ୍ୟୁ ଘଟଣାରେ ବିଗତ ୫ ବର୍ଷରେ ୧୪ଟି ମାମଲା ରୁଜୁ ହୋଇଥିବାବେଳେ ମାତ୍ର ଗୋଟିଏ ମାମଲାରେ ମାତ୍ର ଟ୍ରାଏଲ୍ ଆରମ୍ଭ ହୋଇଛି । ହାତୀଙ୍କ ଜୀବନ ବିପନ୍ନ ହୋଇଥିବା ଦର୍ଶାଇ ଏହାର ସୁରକ୍ଷା ନିମନ୍ତେ ଆବେଦନକାରିଣୀ ହାଇକୋର୍ଟରେ ଏକ ଜନହିତ ମାମଲା ରୁଜୁ କରିଛନ୍ତି । ଏଥିରେ କୁହାଯାଇଛି ଯେ, ଓଡିଶାରେ ହାତୀ ମୃତ୍ୟୁ ଘଟଣା ଏକ ସାଧାରଣରେ ପରିଣତ ହୋଇଯାଇଛି । ଏଥିସହିତ ଦିନକୁ ଦିନ ଓଡିଶାରେ ବନ୍ୟଜନ୍ତୁ ହତ୍ୟା ଘଟଣା ମଧ୍ୟ ବୃଦ୍ଧି ପାଇଛି । ଏପରିସ୍ଥଳେ ବନ୍ୟଜନ୍ତୁ ନିମନ୍ତେ ବନ୍ୟଜନ୍ତୁ ସୁରକ୍ଷା ଆଇନରେ ଶିକାର କରୁଥିବା ବ୍ୟକ୍ତି ବିିଶେଷଙ୍କ ବିରୋଧରେ କଠୋର ଦଣ୍ଡବିଧାନ ଜରୁରୀ ହୋଇପଡିଛି । ଆବେଦନକାରୀଣିଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲାକୁ ଆଇନଜୀବୀ ଆଶୀଷ ମିଶ୍ର ପରିଚାଳନା କରୁଛନ୍ତି ।