ଅସୁରକ୍ଷିତ ବନ୍ୟଜନ୍ତୁ: କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ
ହାତୀ ମୃତ୍ୟୁର କେଇ ଘଣ୍ଟା ନପୁରୁଣୁ, ବାଳି ଗାଁରୁ ହରିଣ ଉଦ୍ଧାର

#ଆଠଗଡ(ଏନ୍.ଏମ୍.): କଟକ ଜିଲ୍ଲା ଖୁଣ୍ଟୁଣୀ ବନାଞ୍ଚଳରେ ବନ୍ୟଜନ୍ତୁ ଅସୁରକ୍ଷିତ ହୋଇ ପଡ଼ିଛନ୍ତି । ଜଙ୍ଗଲରେ ରହୁଥିବା ହାତୀ, ହରିଣ ଆଦି ବନ୍ୟଜନ୍ତୁ ଗ୍ରାମାଭିମୁଖୀ ହେବା ସହ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏହି ଜଙ୍ଗଲରେ ବନ୍ୟଜନ୍ତୁଙ୍କ ନିମନ୍ତେ ଖାଦ୍ୟାଭାବ ଯୋଗୁଁ ଏମାନେ ପେଟ ବିକଳରେ ଗାଁ ମୁଁହା ହେଉଥିବା ଆଲୋଚନା ହେଉଛି । ତେବେ ଜଙ୍ଗଲ ଜନ୍ତୁଙ୍କୁ ସୁରକ୍ଷା ଦେବା ତଥା ସେମାନେ କିଭଳି ଜନବସତି ମୁହାଁ ନହେବ ସେ ନେଇ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ତାହା ଦିଗହରା ହେଉଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଖୁଣ୍ଟୁଣୀ ବନାଞ୍ଚଳ ଅଞ୍ଚଳରେ ଗୋଟିଏ ଦନ୍ତା ହାତୀ ଆଖୁ ଫସଲ ଖାଇବାକୁ ଆସି ବିଦ୍ୟୁତ ଆଘାତରେ ପ୍ରାଣ ହରାଇବାର କିଛି ଘଣ୍ଟା ନପୁରୁଣୁ ଗୋଟିଏ ହରିଣ ଗାଁକୁ ପଶିଆସିଥିଲା । ତେବେ ବୁଲା କୁକୁର ଗୋଡ଼ାଇବାରୁ ହରିଣଟି ଭୟଭୀତ ହୋଇ ଜଣେ ଲୋକଙ୍କ ଘରକୁ ପଶି ଆସିଥିବା ଜଣାପଡ଼ିଛି । ତେବେ ଅଞ୍ଚଳବାସୀ ହରିଣଟିକୁ ଉଦ୍ଧାର କରିବାକୁ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ କର୍ମଚାରୀ ପହଞ୍ôଚ ଉକ୍ତ ହରିଣକୁ ଉଦ୍ଧାର କରିବା ସହ ପ୍ରାଥମିକ ଚିକିତ୍ସା ପରେ ବନରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଖୁଣ୍ଟୁଣୀ ବନାଞ୍ଚଳ ଅନ୍ତର୍ଗତ ବାଳି ଗ୍ରାମରେ । ଆଜି ସକାଳୁ ନିକଟସ୍ଥ ଜଙ୍ଗଲରୁ ଏକ ହରିଣ ଆସି ଗାଁରେ ବୁଲୁଥିବାବେଳେ ବୁଲା କୁକୁର ଗୋଡ଼ାଇଥିଲେ । ଫଳରେ ଉକ୍ତ ହରିଣଟି ପ୍ରାଣ ବିକଳରେ ଉକ୍ତ ଗ୍ରାମର ପ୍ରଭାକର ସାହୁଙ୍କ ଘରେ ପଶିଯାଇଥିଲା । ତେବେ ହରିଣକୁ ଦେଖିବା ପାଇଁ ତାଙ୍କ ଘର ନିକଟରେ ପ୍ରବଳ ଭିଡ ହୋଇଥିବାବେଳେ ଶ୍ରୀ ସାହୁ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ôଚ ଉକ୍ତ ହରିଣକୁ ଉଦ୍ଧାର କରିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଜଙ୍ଗଲରୁ ବନ୍ୟଜନ୍ତୁମାନେ କାହିଁକି ଗାଁ ମୁଁହା ହେଉଛନ୍ତି? ବନ୍ୟକର୍ମଚାରୀମାନେ କିଭଳି ଏ ବିଷୟରେ ସୂଚନା ପାଇପାରୁନାହାନ୍ତି । ଯଦି ଜଙ୍ଗଲରେ ବନ୍ୟଜନ୍ତୁଙ୍କ ନିମନ୍ତେ ଖାଦ୍ୟ କିମ୍ବା ପାନୀୟ ସମସ୍ୟା ରହୁଛି ତାହାକୁ କାହିଁକି ସମାଧାନ କରାଯାଉ ନାହିଁ । ଏଥି ସହିତ ଜଙ୍ଗଲ ଚର୍ତ୍ତୃପାଶ୍ୱର୍ରେ ତାରବାଡ଼ (ସୋଲାର ଚାର୍ଜ) ବ୍ୟବସ୍ଥା ପାଇଁ ଖର୍ଚ୍ଚ ହେଉଥିବାବେଳେ ଏଠାରେ କାହିଁକି ହୋଇ ପାରିଲା ନାହିଁ । ବିଭାଗୀୟ ଅଧିକାରୀମାନେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ କେତେ ତତ୍ପର ରହିଛନ୍ତି ତାହା ସ୍ପଷ୍ଟ ଅନୁମେୟ । ଯଦି କୌଣସି ଠାରେ ବନ୍ୟଜନ୍ତୁଙ୍କର କ୍ଷତି ହେଉଛି ବିଭାଗୀୟ ଅଧିକାରୀମାନେ ଅନ୍ୟମୁଣ୍ଡରେ ଅଠାବୋଳି ନିଜେ ଖସି ଯାଉଥିବା ଭଳି ସଂଗୀନ ଅଭିଯୋଗ ଉଠିଛି । ତେବେ ରାଜ୍ୟରେ ସମ୍ପ୍ରତି ବନ୍ୟଜନ୍ତୁ ଅସୁରକ୍ଷିତ ହୋଇ ପଡ଼ିଥିବାବେଳେ ଏମାନଙ୍କ ସୁରକ୍ଷା ପାଇଁ ସରକାର ଓ ପ୍ରଶାସନ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ବନ୍ୟଜନ୍ତୁ ପ୍ରେମୀମାନେ ଦାବି କରିଛନ୍ତି ।