ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ

ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ

ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ


#କଟକ(ଏନ୍‌.ଏମ୍‌.): ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଆଜି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଶପଥ ନେଇଛନ୍ତି । ରାଜ୍ୟପାଳ ରଘୁବର ଦାସ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜ୍ୟପାଳ, ପୁଲିସ ଡିଜିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଜଷ୍ଟିସ ସିଂ ପୂର୍ବରୁ ପାଟନା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଥିଲେ । ଜଷ୍ଟିସ ସିଂ ୧୯୬୩ ମସିହା, ଜାନୁଆରୀ ୨୦ତାରିଖରେ ଜନ୍ମଗ୍ରହଣ କରିଥିଲେ । ଦିଲ୍ଲୀ ବିଶ୍ୱବିଦ୍ୟାଳୟ (କ୍ୟାମ୍ପସ ଲ୍ ସେଣ୍ଟର)ରୁ ଏଲ୍‌ଏଲ୍‌.ବି. ଡିଗ୍ରି ହାସଲ କରିବା ପରେ ୧୯୯୦, ଅକ୍ଟୋବର ୩୦ରେ ସେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ । ୧୯୯୮ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା ପାଇଁ ଅତିରିକ୍ତ ଷ୍ଟାଣ୍ଡିଂ କାଉନସେଲ ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା । ଆଇନଜୀବୀ ପେସାର ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ପାଟନା ହାଇକୋର୍ଟର କାଉନସେଲ ଭାବେ ପ୍ୟାନେଲରେ ସ୍ଥାନ ପାଇଥିଲେ । ପାଟନା ହାଇକୋର୍ଟରେ ଆକାଉଣ୍ଟାଣ୍ଟ ଜେନେରାଲ କାର୍ଯ୍ୟାଳୟ ପକ୍ଷରୁ ମାମଲା ପରିଚାଳନା ପାଇଁ ଭାରତର ସିଏଜିଙ୍କ ତରଫରୁ ତାଙ୍କୁ ପ୍ୟାନେଲ କାଉନସେଲ ଭାବେ ନିଯୁକ୍ତି ଦିଆଯାଇଥିଲା । ସେ ମେଡିଏଟରର ଭାବେ ୨୦୦୬ରେ ତାଲିମ ଗ୍ରହଣ କରିଥିଲେ ଓ ପାଟନା ହାଇକୋର୍ଟ ମେଡିଏସନ୍ ସେଣ୍ଟରରେ ମେଡିଏଟର ଭାବେ ନିଯୁକ୍ତି ପାଇଥିଲେ । ୨୦୧୦ମସିହା ସେପ୍ଟେମ୍ବର ୧୮ତାରିଖରୁ ତାଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା ମିଳିଥିଲା । ୨୦୧୦ମସିହା ଡିସେମ୍ବରରେ ସେ ବିହାର ସରକାରଙ୍କ ଅତିରିକ୍ତ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ପାଇଥିଲେ । ଏହି ପଦବିରେ କାର୍ଯ୍ୟ କରୁଥିବାବେଳେ ତାଙ୍କୁ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । ୨୦୧୨ମସିହା ଏପ୍ରିଲ ୫ତାରିଖରେ ସେ ପାଟନା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ । ତାଙ୍କୁ ୨୦୨୩ ମସିହା ଫେବ୍ରୁଆରି ୬ତାରିଖରେ ପାଟନା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ୱ ମିଳିଥିଲା ।୨୦୨୩, ନଭେମ୍ବର ୨ରେ ସୁପ୍ରିମକୋର୍ଟ କଲେଜିୟମ ପାଟନା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସିଂଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରିଥିଲେ । ତେବେ ଆଜି ଓଡ଼ିଶା ହାଇକୋର୍ଟରେ ସେ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ସେ ୨୦୨୫ ମସିହା ଜାନୁୟାରୀ ମାସରେ ଅବସର ନେବେ ବୋଲି ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ଜଷ୍ଟିସ ଶୁଭାଶୀଷ ତାଳପତ୍ରଙ୍କ ଅବସର ପରେ ୨୦୨୩ ମସିହା ଅକ୍ଟୋବର ୩ତାରିଖରୁ ଓଡ଼ିଶା ମୁଖ୍ୟ ବିଚାରପତି ପଦ ଖାଲି ପଡ଼ିଥିଲା ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି