ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ
ପୁରୀ/କଟକ (ଏନ୍.ଏମ୍.): ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସ୍ନାନପୂର୍ଣ୍ଣିମା ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଭୁ ଚତୁର୍ଦ୍ଧାମୂର୍ତ୍ତି ପ୍ରଭୁ ଜଗନ୍ନାଥ, ବଳଭଦ୍ର, ଶୁଭଦ୍ରା ଓ ସୁଦର୍ଶନଙ୍କ ମହାସ୍ନାନ ଅନୁଷ୍ଠିତ ହୋଇଥିଲା । ଆଜି ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ଶ୍ରୀ ଜୀଉମାନେ ସ୍ନାନ କରିବା ସହ ଅଗଣିତ ଶ୍ରଦ୍ଧାଳୁଙ୍କୁ ଦୁର୍ଲଭ ଗଜବେଶରେ ଦର୍ଶନ ଦେଇଛନ୍ତି । ଶ୍ରୀମନ୍ଦିର ସ୍ନାନବେଦୀର ଚତୁର୍ଦ୍ଧାମୂର୍ତ୍ତି ଏହି ଦେବଦୁର୍ଲଭ ଦର୍ଶନ ନିମନ୍ତେ ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଛି । ପୁରୀ ଶ୍ରୀମନ୍ଦିରରେ ଆଜି ଭୋର ସାଢ଼େ ୩ଟାରେ ମଙ୍ଗଳାର୍ପଣ ପରେ ୪ଟାରେ ଆରମ୍ଭ ହୋଇଥିଲା ଧାଡ଼ି ପହଣ୍ଡି ବିଜେ । ସକାଳ ସାଢ଼େ ୭.୪୦ଟା ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ମଣ୍ଡପରେ ବିରାଜ କରିଥିଲେ । ୭.୫୫ରେ ମଦନମୋହନ ବିଜେ କରିଥିଲେ । ୧୧.୨୦ରେ ଜଳବିଜେ ଓ ୧୨.୪୫ରେ ଜଳ ଲାଗି ଶେଷ ହୋଇଥିଲା । ଅପରାହ୍ନ ୨.୪୦ରେ ଛେରାପହଁରା ହୋଇଥିଲା । ୩ଟାରେ ହାତୀବେଶ ଆରମ୍ଭ ହୋଇ ୩ଟା ୫୦ରେ ହାତୀବେଶ ଶେଷ ହୋଇଥିଲା । ଏହା ପରେ ଶ୍ରଦ୍ଧାଳୁମାନେ ଶ୍ରୀଜୀଉଙ୍କ ଦିବ୍ୟ ହାତୀବେଶ ଦର୍ଶନ କରି ଭାବ ବିହ୍ନଳ ହୋଇ ପଡ଼ିଥିଲେ । ପୁନଶ୍ଚ ସନ୍ଧ୍ୟା ୬ଟାରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ସାହାଣ ମେଳା ଦର୍ଶନ ଅନୁଷ୍ଠିତ ହୋଇଛି । । ତେବେ ରାତି ୧୦ଟାରୁ ରାତି ଗୋଟାଏ ଭିତରେ ବାହୁଡ଼ା ପହଣ୍ଡି ପାଇଁ ସମୟ ନିର୍ଘଣ୍ଟ ହୋଇଛି । ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀ ସହର ଚଳଚଞ୍ଚଳ ପଡ଼ିପଡ଼ିଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ଦୁଇବର୍ଷ ପରେ କୋଭିଡ୍ କଟକଣା କୋହଳ ହୋଇଥିବାରୁ ଶ୍ରୀଜିଉ ସ୍ନାନଯାତ୍ରା ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲେ ।
ସୂଚନା ଯୋଗ୍ୟ ଯେ, ପ୍ରଭୁ ଶ୍ରୀଜଗନ୍ନାଥ ଜ୍ୟେଷ୍ଠ ବା ଜ୍ୟେଷ୍ଠମାସର ପୂର୍ଣ୍ଣିମା ତିଥିରେ ଦାରୁବ୍ରହ୍ମ ରୂପରେ ଅବତୀର୍ଣ୍ଣ ହୋଇଥିଲେ । ଏହା ତାଙ୍କ ଜନ୍ମତିଥି ଓ ମହାସ୍ନାନ ବିଧାନରେ ସ୍ନାନଯାତ୍ରା ପର୍ବ । ଯେଉଁ ବ୍ୟକ୍ତି ଜ୍ୟେଷ୍ଠ ପୂର୍ଣ୍ଣିମାରେ ସର୍ବତୀର୍ଥମୟ କୂପରୁ ଉତ୍ତୋଳିତ ସୁଗନ୍ଧିତ ଜଳଦ୍ୱାରା ଭଗବାନଙ୍କୁ ସ୍ନାନ କରାଇବା ବେଳେ ଦର୍ଶନ କରେ, ସେ ସମସ୍ତ ପାପରୁ ମୁକ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେବେ ଏହି ପରିପ୍ରେକ୍ଷୀରେ ପୁରୀ ଶ୍ରୀମନ୍ଦିର ସମେତ କଟକ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ମହାସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସେହିପରି କଟକ ସହରର ଚାନ୍ଦିନ ଚୌକ, ଜଗନ୍ନାଥ ବଲ୍ଲଭ, ରାଣୀହାଟ, ଦୋଳମୁଣ୍ଡାଇ, ମହାନଦୀ ବିହାର, ସିଡ଼ିଏ ନାଗାମଠ, ନୂଆପାଟଣା, ମାଛୁଆବଜାର, ମହ୍ଲାସାହି, ଖାନନଗର, ବକ୍ସିବଜାର, ଯୋବ୍ରା ଆଦି ସ୍ଥାନରେ ଥିବା ଜଗନ୍ନାଥ ମନ୍ଦିରରେ ସ୍ନାନଯାତ୍ରା ଅନୁଷ୍ଠିତ ହେବା ସହ ଗଜବେଶ କରାଯାଇଥିଲା । ପୁନଶ୍ଚ ଚୌଦ୍ୱାର, ଭଟ୍ଟିମୁଣ୍ଡା, କୁମାରପୁର, ପଣ୍ଡୁଆ, ହରିଅନ୍ତା, ଆଠଗଡ଼ ଆଦି ଅଞ୍ଚଳରେ ମଧ୍ୟ ସ୍ନାନପୂର୍ଣ୍ଣିମାରେ ଶ୍ରୀ ଜୀଉଙ୍କୁ ଦର୍ଶନ କରିବା ନିମନ୍ତେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଏହି ସ୍ନାନପରେ ଆସନ୍ତା କାଲି ଠାରୁ ପ୍ରଭୁଙ୍କୁ ଜ୍ୱର ହେବ ଏବଂ ସେ ଅଣସର ଘରେ ବିଶ୍ରାମ ନେବେ ଓ ଏହି ସମୟରେ ତାଟି ଦିଅଁ ଭାବେ ଶ୍ରୀ ନାରାୟଣୀ, ଶ୍ରୀ ଭୁବନେଶ୍ୱରୀ, ଶ୍ରୀ ବାସୁଦେବ ପୂଜା ପାଇବେ ବୋଲି ଜଣାପଡ଼ିଛି ।