ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା
#କଟକ(ଏନ୍.ଏମ୍.): ସେକେଣ୍ଡାରୀ ବୋର୍ଡ ହାଇସ୍କୁଲର ଅବସର ନେଇଥିବା ଶିକ୍ଷୟିତ୍ରୀ ଜୟନ୍ତୀ ମାଝୀଙ୍କୁ ପୁରାତନ ଛାତ୍ର ସଂସଦ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଛାତ୍ର ସଂସଦର ଉପସଭାପତି ଡାକ୍ତର ଅମିୟରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯୁଗ୍ମ ସମ୍ପାଦକ ରଶ୍ମିରଞ୍ଜନ ସ୍ୱାଇଁ ସେବା ନିବୃତ ଶିକ୍ଷୟିତ୍ରୀ ଶ୍ରୀମତୀ ମାଝୀ ଓ ଉପସ୍ଥିତ ଅତିଥି ତଥା ସଦସ୍ୟ ସଦସ୍ୟାମାନଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିବା ପରେ ଅନ୍ୟତମ ଉପସଭାପତି ସମୀର ପରିଜା ପ୍ରାରମ୍ଭିକ ସମ୍ଭାଷଣ ପ୍ରଦାନ କରିଥିଲେ । ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦୈତ୍ୟାରି ସାହୁ, ପ୍ରାକ୍ତନ ଶିକ୍ଷୟିତ୍ରୀ ସରସ୍ୱତୀ ମହାନ୍ତି, ଶିକ୍ଷକ ଦର୍ପଗଞ୍ଜନ ସାହୁ ଓ ଅଧୁନାତନ ଶିକ୍ଷକ ନାରାୟଣ ସାହୁ ଓ ପ୍ରଭାସିନୀ ଦତ୍ତ ସହକର୍ମୀ ଭାବେ ଅତୀତର ସ୍ମୃତିଚାରଣ କରିବା ସଙ୍ଗେ ଶ୍ରୀମତୀ ଜୟନ୍ତୀ ମାଝୀଙ୍କ କର୍ତ୍ତବ୍ୟନିଷ୍ଠା, ସମୟାନୁବର୍ତ୍ତିତା, ଛାତ୍ରବତ୍ସଳତା, ସାଧୁତା ଓ ସରଳତା ସମ୍ପର୍କରେ ଉଲ୍ଲେଖ କରିଥିଲେ । ପୁରାତନ ଛାତ୍ର ସଂସଦର କାର୍ଯ୍ୟନିର୍ବାହୀ ସଦସ୍ୟ ବିମଳ ପ୍ରକାଶ ସାହୁ ଓ ପୁଣ୍ୟଶ୍ଲୋକ ଦାଶ ପ୍ରମୁଖ ଶ୍ରୀମତୀ ମାଝୀ ଶିକ୍ଷକତାକୁ ବୃତ୍ତି ନୁହେଁ ବରଂ ବ୍ରତ ପ୍ରମାଣିତ କରିଛନ୍ତି ବୋଲି ମତ ପ୍ରକାଶ କରିଥିଲେ । ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ଶ୍ରୀମତୀ ମାଝୀ ନିଜ ଜୀବନାଭୂତିକୁ ଏକ ମର୍ମସ୍ପର୍ଶୀ ସ୍ୱରଚିତ କବିତା ମାଧ୍ୟମରେ ବର୍ଣ୍ଣନା କରିଥିଲେ । ପରିଶେଷରେ କାର୍ଯ୍ୟକାରୀ ସମିତିର ବରିଷ୍ଠ ସଦସ୍ୟ ସୁବ୍ରତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ କାର୍ଯ୍ୟକାରୀ ସମିତିର ଅନ୍ୟତମ ବରିଷ୍ଠ ସଦସ୍ୟ ଡାକ୍ତର ପ୍ରଫୁଲ୍ଲ ମହାପାତ୍ର, କାର୍ଯ୍ୟନିର୍ବାହୀ ସଦସ୍ୟ ଇଂ. ଅରୁଣ ସାମନ୍ତରାୟ, ମନୋରଞ୍ଜନ ମିଶ୍ର, ମୋତି ପ୍ରକାଶ ରଥ, ପୁରାତନ ଛାତ୍ର ଇଂ. ବିକାଶ ବେହେରା, ପ୍ରଣବ ମହାପାତ୍ର, ସୌଭାଗ୍ୟ ଖୁଣ୍ଟିଆ, ଦେବାଶିଷ ମହାନ୍ତି, ସ୍ୱପ୍ନା ପାତ୍ର, ସତ୍ୟଜିତ ମହାନ୍ତି, ପ୍ରିୟବ୍ରତ ଦାଶ ଅଂଶଗ୍ରହଣ କରି ଶ୍ରୀମତୀ ମାଝୀଙ୍କ ଛାତ୍ରବତ୍ସଳ ଗୁଣ ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କୁ ଅଙ୍ଗବସ୍ତ୍ର, ସ୍ମୃତିସାନନ୍ଦ ଓ ପୁଷ୍ପ ଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।