ସିଏମସି ୪୮ନମ୍ବର ୱାର୍ଡ ଅଞ୍ଚଳରେ ଲହଡ଼ି ମାରୁଛି ଆଣ୍ଠୁଏ ଉଚ୍ଚର ବର୍ଷାଜଳ

#ଜଗତପୁର(ଏନ୍.ଏମ୍.): କଟକ ମହାନଗର ନିଗମ ୪୮ନମ୍ବର ୱାର୍ଡ ଫକିରପୁର ପଣ୍ଡା ସାହି ଗ୍ରାମର ମୁଖ୍ୟ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବର୍ଷାଜଳ ଲହଡ଼ି ମାରୁଥିବା ଦେଖିବାକୁ ମିଳିଛି । ଏହି ସାହିରେ ବର୍ଷା ଜଳର ନିଷ୍କାସନ ବ୍ୟବସ୍ଥା ନଥିବାରୁ ପ୍ରତି ବର୍ଷ ଗ୍ରାମ ମୁଖ୍ୟ ରାସ୍ତାରେ ବର୍ଷା ଜଳ ଜମି ରହିଥାଏ । ଗତ ବର୍ଷ ଏହି ସାହିର ମୁଖ୍ୟ ରାସ୍ତାକୁ କିଛି ଅଂଶ ଉଚ୍ଚା କରାଯାଇଥିଲା; ଯାହା ଫଳରେ ସେତିକି ରାସ୍ତାରେ ପାଣି ନଜମି ଯେଉଁ ବଳକା ରାସ୍ତାକୁ ଉଚ୍ଚା କରାଯାଇନାହିଁ ସେହି ରାସ୍ତାରେ ବର୍ଷା ଜଳ ଜମା ହୋଇ ରହୁଛି । ରାସ୍ତା ଉପରେ ନର୍ଦ୍ଦମା ଜଳ ପ୍ରବାହିତ ହେଉଥିବାରୁ ଅଞ୍ଚଳବାସୀ ନାହିଁ ନଥିବା ଅବସ୍ଥାର ସମ୍ମୁଖିନ ହେଉଛନ୍ତି । ତେବେ ଏହି ଅଞ୍ଚଳଟି କଟକ ମହାନଗର ନିଗମର ଅଂଶ ବିଶେଷ ହୋଇଥିଲେ ମଧ୍ୟ ଏଠାରେ ଉନ୍ନତ ରାସ୍ତା ଓ ଡ୍ରେନ ଆଦି ନିର୍ମାଣ କରାଯାଉନାହିଁ । ଯେଉଁ କେତୋଟି ଅଞ୍ଚଳକୁ ଡ୍ରେନ ସଂଯୋଗ କରାଯାଇଛି ସେଗୁଡ଼ିକ ନିୟମିତ ବ୍ୟବଧାନରେ ସଫେଇ ହେଉନଥିବା ଯୋଗୁଁ ଅଞ୍ଚଳବାସୀ ନର୍କ ଯନ୍ତ୍ରଣା ଭୋଗ କରୁଛନ୍ତି । ତେବେ ସିଏମସିର ଏହି ଅଞ୍ଚଳ ପ୍ରତି ଥିବା ବୈମାତୃକ ମନୋଭାବକୁ ଅଞ୍ଚଳବାସୀ ମର୍ମେ ମର୍ମେ ଅନୁଭବ କରିସାରିଥିବା ଅଞ୍ଚଳର ମୁରବୀମାନେ ଅଭିଯୋଗ ଆଣିଛନ୍ତି । ବର୍ଷ ବର୍ଷ ଧରି ଏହି ଅଞ୍ଚଳ ଅବହେଳିତ ହୋଇ ରହିଥିଲା । ତେବେ ଚଳିତ ପୌର ନିର୍ବାଚନରେ ନୂତନ ଲୋକପ୍ରତିନିଧିମାନେ ଏହି ଅଞ୍ଚଳ ପ୍ରତି ଯଥେଷ୍ଟ ଗୁରୁତ୍ୱ ଦେବେ ବୋଲି ଯେଉଁ ଆଶା କରାଯାଉଥିବା ତାହା ଏବେ ମଉଳି ଯିବାକୁ ବସିଛି । ଅନ୍ୟପକ୍ଷରେ ଜଗତପୁର ଅଞ୍ଚଳରୁ ଡେପୁଟି ମେୟର ବଛାଯିବା ପରେ ଅଞ୍ଚଳର ରହିଥିବା ଦୀର୍ଘ ଦିନର ସମସ୍ୟା ଦୂରୀଭୂତ ହେବେ ବୋଲି ଜଗତପୁରବାସୀ ଯେଉଁ ଆଶା ରଖିଥିଲେ ତାହା ପାଣି ଫୋଟକା ଭଳି ମିଳେଇ ଯାଉଥିବା କୁହାଯାଉଛି । ତେଣୁ ଏହି ଅଞ୍ଚଳପ୍ରତି ସିଏମସି ଅଗ୍ରାଧିକାର ଭିତ୍ତିରେ ରହିଥିବା ଦୀର୍ଘଦିନର ସମସ୍ୟାର ସମାଧାନ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ନଚେତ ଏହି ଅଞ୍ଚଳର ବରିଷ୍ଟନାଗରିକ, ବୁଦ୍ଧିଜୀବୀ ଓ ଯୁବବର୍ଗ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।