ସିଏମସି ନିର୍ବାଚନ ପାଇଁ ୫୯ଟି ୱାର୍ଡ଼ରେ ମୋଟ- ୨୯୫ କର୍ପୋରେଟର ଓ ୨୨ଜଣ ମେୟର ପ୍ରାର୍ଥୀ
ମାର୍ଚ୍ଚ ୯ରେ ଯାଞ୍ଚ, ୧୪ରେ ପ୍ରତ୍ୟାହାର
କଟକ(ଏନ୍.ଏମ୍.): ସିଏମସି ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି । ତେବେ ୫୯ଟି ୱାର୍ଡ଼ ବିଶିଷ୍ଟ କଟକ ମହାନଗର ନିଗମରେ ବିଭିନ୍ନ ୱାର୍ଡ଼ରେ ଏକାଧିକ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବିଶେଷ କରି ବିଭିନ୍ନ ଦଳରୁ ଟିକେଟ ପାଇବା ପାଇଁ ଆଶା ରଖିଥିବା ପ୍ରାର୍ଥୀମାନେ ଟିକେଟ ପାଇବା କ୍ଷେତ୍ରରେ ନିରାଶ ହୋଇ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏଥି ସହିତ ଆଉକିଛି ସମାଜସେବୀ, ସୂଚନା ଅଧିକାରକର୍ମୀ, ସଂଗଠକ ମଧ୍ୟ ସ୍ୱାଧୀନପ୍ରାର୍ଥୀଭାବେ ନାମାଙ୍କନପତ୍ର ଦାଖଲ କରି ନିର୍ବାଚନ ରଣାଙ୍ଗନକୁ ପ୍ରବେଶ କରିଛନ୍ତି । ଆଜି ଶେଷ ଦିନରେ କଟକ ମହାନଗର ନିଗମର ବିଭିନ୍ନ ୱାର୍ଡ଼ରୁ ୧୬୨ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ । ଆଜି ବିଜେପି ପକ୍ଷରୁ ୩୦ଜଣ, କଂଗ୍ରେସର ୧୭ଜଣ, ବିଜେଡିରୁ ୪୨ଜଣ ଓ ସ୍ୱାଧୀନରୁ ୭୩ଜଣ କର୍ପୋରେଟର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେହିଭଳି ସିଏମସିର ମେୟର ପାଇଁ ୨୨ଟି ସେଟ ପ୍ରାର୍ଥୀପତ୍ର ଦାଖଲ ହୋଇଛି । ତେବେ ମାର୍ଚ୍ଚ ୯ ତାରିଖରେ ନାମାଙ୍କନପତ୍ର ଦାଖଲ କରିଥିବା ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହ ୧୦ତାରିଖରେ ସମସ୍ତ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ । ସେହିଭଳି ୧୪ତାରିଖ ଦିନ ଅପରାହ୍ନ ୩ଟା ପୂର୍ବରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସୁଯୋଗ ରହିଥିବାବେଳେ ସେହିଦିନ ୫ଟା ସମୟରେ ଚୁଡ଼ାନ୍ତ ପ୍ରାର୍ଥୀତାଲିକା ପ୍ରକାଶ ପାଇବ । ତେଣୁ କିଏ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ ତାହାକୁ ନେଇ ମଧ୍ୟ ଅଙ୍କକଷା ଚାଲିଛି ।
ଅନ୍ୟପକ୍ଷରେ ନାମାଙ୍କନପତ୍ର ଦାଖଲ କରିଥିବା ମେୟର ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡିର ସୁବାସ ସିଂହ, ବିଜେପିର ମେୟର ପ୍ରାର୍ଥୀ ଶ୍ରୀତମ ଦାସ ରହିଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ଭାବେ ଅଖିଳ ଓଡ଼ିଶା ଝୋପଡ଼ିପଟ୍ଟି(ଏକତା) ସଭାପତି ତଥା ବିଶିଷ୍ଟ ବସ୍ତିନେତା ବୃନ୍ଦାବନ ଦାସ ଆଜାଦ, ପ୍ରେମଜିତ ସାହୁ, ଜୟଶଙ୍କର ଆଚାର୍ଯ୍ୟ, ଦେବାନନ୍ଦ ମହାପାତ୍ର, ବବି ବଳବନ୍ତରାୟ, ସୌଦାମିନୀ ମିଶ୍ର, ଦୟାନିଧି ନାୟକ, ହେମନ୍ତ କୁମାର ସାହୁ, ଲଳିତ କୁମାର ମିଶ୍ର, ଶ୍ରୀରାମ ପାଣ୍ଡେ, ସନ୍ତୋଷ କୁମାର ମହାପାତ୍ର, ସେକ୍ ମୁସ୍ତାକ ଅଲ୍ଲୀ, ହେମନ୍ତ କୁମାର ବିଶ୍ୱାଳ, ରୁଦ୍ରମାଧବ ପଣ୍ଡା ପ୍ରମୁଖ ଆଜି ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେହିଭଳି ଗତକାଲି ସିଏମସି ନିର୍ବାଚନ ପାଇଁ ୮ସେଟ ନାମାଙ୍କନପତ୍ର ଦାଖଲ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ କଂଗ୍ରେସ ମେୟର ପ୍ରାର୍ôଥନୀ ଗିରିବାଳା ବେହେରା, ସ୍ୱାଧୀନ ପ୍ରାର୍ଥୀଭାବେ ପଛୁଆବର୍ଗ ନେତା ସଞ୍ଜିତ ସାମଲ, ଏବିଭିପିର ଓମପ୍ରକାଶ ପଣ୍ଡା, ବିକାଶ କୁମାର ସାହୁ, ଶୁଭ୍ରକାନ୍ତ ଭୌମିକ, ବିଜୟ କୁମାର ସାମଲ ପ୍ରମୁଖ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ୫ତାରିଖରେ ଏସୟୁସିଆଇସି ପକ୍ଷରୁ ବବି ବଳବନ୍ତରାୟ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତେବେ ଏଥର ସିଏମସି ନିର୍ବାଚନରେ ମେୟର ପଦବୀ ନିମନ୍ତେ ମୋଟ ୨୨ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ତେବେ ଏଥର ସିଏମସି ନିର୍ବାଚନରେ ୫୯ଟି ୱାର୍ଡ଼ରୁ ୪ତାରିଖରେ ୭ଟି ପ୍ରାର୍ଥୀପତ୍ର ଦାଖଲ ହୋଇଥିବାବେଳେ ବିଜେପିରୁ ୨ଜଣ, କଂଗ୍ରେସରୁ ଜଣେ ବିଜେଡିରୁ ଜଣେ ଓ ସ୍ୱାଧୀନରୁ ୩ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ୫ ତାରିଖରେ ୧୨ଟି ପ୍ରାର୍ଥୀପତ୍ର ଦାଖଲ ହୋଇଥିବାବେଳେ ବିଜେପିରୁ ୨ଜଣ କଂଗ୍ରେସରୁ ୪ଜଣ, ବିଜେଡିରୁ ୨ଜଣ ଓ ସ୍ୱାଧୀନରୁ ୪ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ସେହିଭଳି ୬ତାରିଖରେ ୧୧୪ଟି ପ୍ରାର୍ଥୀପତ୍ର ଦାଖଲ ହୋଇଥିବାବେଳେ ବିଜେପିର ୨୮ଟି, କଂଗ୍ରେସରୁ ୩୮ଟି, ବିଜେଡିରୁ ୨୨ଟି, ସିପିଆଇ(ଏମ)ରୁ ୨ଜଣ, ସିପିଆଇରୁ ଜଣେ, ବିଏସପିରୁ ୨ଜଣ ଓ ସ୍ୱାଧୀନ ପ୍ରାର୍ଥୀ ୨୧ଜଣ ନାମାଙ୍କନପତ୍ର ଦାଖଲ କରିଥିଲେ । ଆଜି ଶେଷ ଦିନରେ ୩୦ଟି ବିଜେପି, ୧୭ଟି କଂଗ୍ରେସ, ୪୨ଟି ବିଜେଡି ଓ ୭୩ଟି ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ଏଥର ମୋଟ- ୨୯୫ଜଣ କର୍ପୋରେଟର ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ।