ସିଏମସି ଡେପୁଟି ମେୟର ହେଲେ ଦମୟନ୍ତୀ
କଟକ(ଏନ୍.ଏମ୍.): ଆଜି କଟକ ମହାନଗର ନିଗମରେ ପୌର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇ ଯାଇଛି । ପୂର୍ବରୁ କେବଳ କର୍ପୋରେଟରଙ୍କୁ ଜନସାଧାରଣ ସିଧାସଳଖ ନିର୍ବାଚନ କରୁଥିବାବେଳେ ମେୟର ଡେପୁଟି ମେୟର ଆଦି ପଦବୀରେ ପରୋକ୍ଷ ନିର୍ବାଚନ କରାଯାଇ ପ୍ରାର୍ଥୀ ଚୟନ ହୋଇଥାନ୍ତି । ଅର୍ଥାତ ନିର୍ବାଚିତ କର୍ପୋରେଟର ମାନେ ମେୟର ଓ ଡେପୁଟି ମେୟର ପ୍ରାର୍ଥୀଙ୍କୁ ନିର୍ବାଚିତ କରିଥାନ୍ତି । ତେବେ ଚଳିତ ବର୍ଷ ପ୍ରଥମ କରି ପୌର ପରିଷଦମାନଙ୍କରେ ମୟେର- ଅଧ୍ୟକ୍ଷ ପଦବୀ ପାଇଁ ପ୍ରତ୍ୟେକ୍ଷ ନିର୍ବାଚନ ହୋଇଥିଲା । ଏଥିରେ କଟକ ସହରବାସୀ ବିଜେଡି ମେୟର ପାର୍ଥୀ ସୁବାସ ସିଂହଙ୍କୁ ବିପୁଳ ସମର୍ଥନ ଦେଇ ଜୟଯୁକ୍ତ କରାଇଥିଲେ । ମାତ୍ର ଡେପୁଟ୍ଟି ମେୟର ପଦବୀ ପାଇଁ ପରୋକ୍ଷ ନିର୍ବାଚନ ବ୍ୟବସ୍ଥା ରହିଥିବାରୁ ଆଜି ସିଏମସିରେ ଡେପୁଟି ମେୟର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ତେବେ ଏଥର କଟକ ମହାନଗର ନିଗମର ୪୯ ନମ୍ବର ୱାର୍ଡର ନିର୍ବାଚିତ ସଭ୍ୟା ଦମୟନ୍ତୀ ମାଝୀ ଅପ୍ରତିଦ୍ୱନ୍ଦୀ ଭାବେ ଡେପୁଟିମେୟର ଭାବରେ ନିର୍ବାଚିତ ହୋଇଥିଲେ । ତେବେ ନଗର ଉନ୍ନୟନ ବିଭାଗର ପୂର୍ବ ଘୋଷଣା ମୁତାବକ ଆଜି ସିଏମସିର ଡେପୁଟି ମେୟର ନିର୍ବାଚନ ନିମନ୍ତେ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ପୂର୍ବାହ୍ନ ୧୦ଟାରୁ ୧୧ଟା ସମୟରେ ନିର୍ବାଚିତ କର୍ପୋରେଟରମାନଙ୍କ ମଧ୍ୟରୁ ଡେପୁଟି ମେୟର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା । ପୂର୍ବାହ୍ନ ୧୧ଟାରୁ ୧୨ ମଧ୍ୟରେ ନାମାଙ୍କନପତ୍ର ଯାଞ୍ଚ ଓ ଦିନ ୧ଟା ସମୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ନିର୍ଦ୍ଧାରଣ କରାଯାଇଥିଲା । କିନ୍ତୁ ବିଜେଡିର ୪୯ ନମ୍ବର କର୍ପୋରେଟ ପ୍ରାର୍ଥିନୀ ସୁଶ୍ରୀ ମାଝୀଙ୍କ ବ୍ୟତୀତ କୌଣସି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ ନକରିବାରୁ ସେ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ତେବେ ସିଏମସିରେ ବିଜେଡିର ସର୍ବାଧିକ ସଂଖ୍ୟାଗରିଷ୍ଠତା ଥିବାରୁ ଏହାର ମୁକାବିଲା କରିବା ପାଇଁ ଅନ୍ୟ କୌଣସି ଦଳ ବା ସ୍ୱାଧୀନ ପ୍ରାର୍ଥୀଙ୍କ ପାଇଁ ସୁଯୋଗ ନଥିବାରୁ ଏଠାରେ ଏକାଧିକ ପ୍ରାର୍ଥୀ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିପାରିନଥିଲେ ।