ସହରାଞ୍ଚଳ ଟୀକାକରଣ ଟାସ୍କ ଫୋର୍ସ ବୈଠକ
ସଠିକ୍ ଯୋଜନା କରି ବିଏମସି ଅଞ୍ଚଳରେ ଶତ ପ୍ରତିଶତ ଟୀକାକରଣ କରିବାକୁ ମେୟରଙ୍କ ପରାମର୍ଶ
#ଭୁବନେଶ୍ୱର(ଏନ୍.ଏମ୍.): ଶିଶୁମାନଙ୍କୁ ନିୟମିତ ଟୀକାକରଣ ହେଉଛି ସାରା ବିଶ୍ୱରେ ପ୍ରମୁଖ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ । ଆମ ଦେଶରୁ ୨୦୨୩ ମସିହା ସୁଦ୍ଧା ମିଳିମିଳା ଓ ରୁବେଲା ସଂପୂର୍ଣ୍ଣ ଦୂର କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲକ୍ଷ୍ୟ ରଖିଛନ୍ତି । ସଠିକ ଯୋଜନା ଏବଂ ସମସ୍ତ ପଦକ୍ଷେପ ନିଆଯାଇ ଭୁବନେଶ୍ୱର ମହାନଗନ ନିଗମ ଅଞ୍ଚଳରେ ଟୀକାକରଣ ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରିବାକୁ ଆଜି ଭୁବନେଶ୍ୱର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସହରାଞ୍ଚଳ ଟୀକାକରଣ ଟାକ୍ସ ଫୋର୍ସ ବୈଠକରେ ଅଧ୍ୟକ୍ଷତା କରି ବିଏମ୍ସି ମେୟର ସୁଲୋଚନା ଦାସ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଏବଂ ଭୁବନେଶ୍ୱର ମହାନଗର ନିଗମର ସମ୍ପୃକ୍ତ ଅଧିକାରୀ ତଥା କମିଟିର କର୍ମକର୍ତ୍ତାମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବୈଠକରେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଆଲୋଚନାରେ ଅଂଶଗ୍ରହଣ କରି ସ୍ଥିତି ସମୀକ୍ଷା କରିଥିଲେ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସର୍ବେକ୍ଷଣ ସ୍ୱାସ୍ଥ୍ୟ ଅଧିକାରୀ, ଓଡିଶା ଜୋନ୍ ଡାକ୍ତର ସୁନୀଲ କୁମାର ଦାସ ମିଳିମିଳା ଓ ରୁବେଲା ଟୀକାକରଣ ନେଇ ବିଏମସି ସଂପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ । ଭୁବନେଶ୍ୱରରେ ନଭେମ୍ୱର-୨୦୨୨ ସୁଦ୍ଧା ପୁର୍ଣ୍ଣ ଟୀକାକରଣ ୯୪ ପ୍ରତିଶତ ଏବଂ ସଂପୂର୍ଣ୍ଣ ଟୀକାକରଣ ୮୪ ପ୍ରତିଶତ ରହିଛି । ୧ରୁ ୧୨ମାସ ମଧ୍ୟରେ ଯଦି ଶିଶୁ ଧାର୍ଯ୍ୟ ସମସ୍ତ ଟୀକା ନେଇଥାଏ, ତେବେ ତାହା ପୂର୍ଣ୍ଣ ଟୀକା କରଣ ଏବଂ ୧ରୁ ୨ ବର୍ଷ ମଧ୍ୟରେ ସମସ୍ତ ଧାର୍ଯ୍ୟ ଟୀକା ନେଇଥିଲେ ତାହା ସଂପୂର୍ଣ୍ଣ ଟୀକାକରଣ ବିଚାରକୁ ନିଆଯାଉଛି । କିନ୍ତୁ ଦେଖାଯାଉଛି ଯେ, ସରକାରୀ ଡାକ୍ତରଖାନାରୁ ନବଜାତ ଶିଶୁଙ୍କ ସମ୍ପର୍କରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ ଆଦିଙ୍କ ସହାୟତାରେ ତଥ୍ୟ ଉପଲବ୍ଧ ହେଉଛି । କିନ୍ତୁ ବେସରକାରୀ ଡାକ୍ତରଖାନା ଓ ନର୍ସିଂହୋମଗୁଡିକରୁ ଠିକ୍ ଭାବରେ ତଥ୍ୟ ମିଳିବାରେ ସମସ୍ୟା ରହୁଛି । ଏହି ପରିପ୍ରେକ୍ଷୀରେ ବିଏମସି କମିଶନର ଶ୍ରୀ କୁଲାଙ୍ଗେ କହିଛନ୍ତି ଯେ, ବର୍ତ୍ତମାନ ବୈଷୟିକ ଜ୍ଞାନକୌଶଳ ବଢିଛି । ତାହାକୁ ସମସ୍ତେ ଉପଯୋଗ କରିବା ଆବଶ୍ୟକ । ସ୍ୱତଃପ୍ରବୃତ୍ତ ଭାବେ ତଥ୍ୟ ନମିଳିଲେ ବେସରକାରୀ ଡାକ୍ତରଖାନା ଓ ନର୍ସିଂହୋମଗୁତିକୁ ପଞ୍ଜୀକରଣ କରିବାକୁ ନିଜେ ସଂପୃକ୍ତ ଅଧିକାରୀମାନେ ଯାଇ ତଥ୍ୟ ସଂଗ୍ରହ କରନ୍ତୁ ବୋଲି କମିଶନର ପରାମର୍ଶ ଦେଇଛନ୍ତି । ଶିଶୁ ଜନ୍ମ ହେବା ପରେ ବିଏମ୍ସି ରେ ଶିଶୁର ପଞ୍ଜିକରଣ କରାଯାଉଛି । ଟୀକାକରଣ ସମ୍ପର୍କରେ ପିତାମାତାଙ୍କ ନିକଟକୁ ମୋବାଇଲ ମେସେଜ ଦିଆଯାଇପାରିବ । ବୈଠକରେ କେତେକ ଆପାର୍ଟ ମେଣ୍ଟରେ ଟୀକାକରଣ ଠିକ୍ ଭାବରେ ହେଉନଥିବା କଥା ଉପସ୍ଥାପିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଆପାର୍ଟମେଣ୍ଟ ୱଲଫେୟାର କମିଟି, ବିଭିନ୍ନ ଗୋଷ୍ଟୀମାନଙ୍କ ସହଯୋଗ ଓ ସମ୍ପୃକ୍ତିରେ ଶିବିର କରାଯାଇ ଟୀକାକରଣକୁ ଗୁରୁତ୍ୱ ଦିଆଯିବା, ପାର୍କ କିମ୍ବା ଖୋଲା ସ୍ଥାନରେ, ପିଇବା ପାଣି ସୁବିଧା ସହ ଉତ୍ତମ ପରିବେଶର ବ୍ୟବସ୍ଥା କରାଗଲେ ଶିଶୁମାନଙ୍କର ଟୀକାକରଣ ସହଜ ହେବ ବୋଲି ମେୟର ପ୍ରସ୍ତାବ ଦେଇଥିଲେ । ଶିଶୁମାନଙ୍କ ଟୀକାକରଣ ପାଇଁ ସମସ୍ତ ପିତାମାତା ସଚେତନ ଅଛନ୍ତି । ବିଶେଷ କରି ବସ୍ତି ଅଞ୍ଚଳରେ ରହୁଥିବା ମା’ ମାନଙ୍କ କ୍ଷେତ୍ରରେ ଶିଶୁମାନଙ୍କର ଟିକକରଣରେ ବିଶେଷ ଅସୁବିଧା ହେଉନାହିଁ । କିନ୍ତୁ ବେସରକାରୀ ବ୍ୟବସ୍ଥାରେ ଅଣବସ୍ତି ଅଞ୍ଚଳରେ ରହୁଥିବା ଶିଶୁମାନଙ୍କୁ ଟୀକାକରଣ କରାଯାଉଥିଲେ ମଧ୍ୟ ସଠିକ ତଥ୍ୟ ମିଳିପାରୁନାହିଁ । ତେଣୁ ସର୍ବେକ୍ଷଣ ସମୟରେ ତଥ୍ୟ ଅଭାବରୁ ଏହାର ପ୍ରତିଶତ ଆକଳନ କରିବା ଜଣାଯାଉନାହିଁ ବୋଲି ଆଲୋଚନା ହୋଇଥିଲା । ସଠିକ୍ ଡାଟା ବେସ୍ ପ୍ରସ୍ତୁତ କରି ଶତପ୍ରତିଶତ ଟୀକାକରଣ କରାଯିବା, ଆବଶ୍ୟକ ସ୍ଥଳରେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରି ଟୀକାକରଣ ନିମନ୍ତେ ସୁଚନା ଦେବାକୁ ମଧ୍ୟ କମିଶନର ପରାମର୍ଶ ଦେଇଥିଲେ । ଟୀକାକରଣ ସମ୍ପର୍କରେ ପ୍ରତି ମାସ ସ୍ୱାସ୍ଥ୍ୟ କର୍ମୀ ତଥା ସ୍ୱାସ୍ଥ୍ୟ ଅଧିକାରୀମାନେ ବିବରଣୀ ପ୍ରଦାନ କରିବାକୁ ବୈଠକରେ ମେୟର ନିର୍ଦ୍ଦେଶ ଦେଇଥିଲେ । ସେହିପରି ବିଏମସି ପରିସରରେ ଆସୁନଥିବା ବାଳକାଟି ପାଖାପାଖି ଅଞ୍ଚଳ, ମେଣ୍ଢାଶାଳ, ଭୁବନେଶ୍ୱର ସଂଲଗ୍ନ ଖୋର୍ଦ୍ଧାର ଅଞ୍ଚଳ ଆଦିରେ ଟୀକାକରଣ ପାଇଁ ସଠିକ୍ ଚିହ୍ନଟକରଣ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଶତ ପ୍ରତିଶତ ଟୀକା କରଣ ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି । ଅନୁଷ୍ଠିତ ବୈଠକରେ ବିଏମସି ଡେପୁଟୀ କମିଶନର ଶୁଭେନ୍ଦୁ କୁମାର ସାହୁ, ଅତିରିକ୍ତ ଜିଲ୍ଲା ସହରାଞ୍ଚଳ ଜନସ୍ୱାସ୍ଥ୍ୟ ଅଧିକାରୀ ତଥା ନୋଡାଲ ଅଧିକାରୀ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର, ସହରାଞ୍ଚଳ ସ୍ୱାସ୍ଥ୍ୟ ଅଧିକାରୀ, ଭୁବନେଶ୍ୱର ଡାକ୍ତର ଦୀପକ ବିଶୋୟୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପଠାଣି ରାଉତ, ଭୁବନେଶ୍ୱର ଜୋନର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ, ସହର ମୁଖ୍ୟ କାର୍ଯ୍ୟକ୍ରମ ପରିଚାଳକ(ଏନ୍.ଏଚ୍.ୟୁ,ଏମ୍)ଙ୍କ ସମେତ ବିଏମସିର ଅନ୍ୟ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।