ସଞ୍ଜ ନଇଁଗଲା ପରେ କିଟିମିଟି ଅନ୍ଧାରରେ ମଧୁସୂଦନ ସେତୁ: ଆଲୋକୀକରଣ ବ୍ୟବସ୍ଥା କେବେ?
#କଟକ, ଚୌଦ୍ୱାର (ଏନ୍.ଏମ): ରାଜ୍ୟରେ ଏବେ ଫଳକ ରାଜନୀତି ଚାଲିବା ଭଳି କାର୍ଯ୍ୟ ଚାଲିଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଜନସାଧାରଣଙ୍କ ସ୍ୱାର୍ଥ ନିମନ୍ତେ ବହୁ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ ହେଉଥିଲେ ମଧ୍ୟ ଏହାର ସଫଳ ରୂପାୟନ ହେଉନଥିବା ଭଳି ଅଭିଯୋଗ ଉଠିଛି । ତେବେ ପ୍ରକଳ୍ପର ଅବଧି ସରିବାକୁ ଆଉ ମାତ୍ର ୨୦ଦିନ ରହିଥିବାବେଳେ ଏବେ କାମ ଆରମ୍ଭ ହେବା ବାହାଘର ବେଳେ ବାଇଗଣ ରୁଆ ବୋଲି ବିରୋଧୀମାନେ ମତପ୍ରକାଶ କରିଛନ୍ତି । ଏଭଳି ଅଭାବନୀ ଘଟଣା କଟକର ମହାନଦୀ ଉପରେ ସିଡିଏ ଠାରୁ ନୂଆପାଟଣାକୁ ସଂଯୁକ୍ତ କରୁଥିବା ମଧୁସୁଦନ ସେତୁରେ ଦେଖିବାକୁ ମିଳିଛି । ଏହି ସେତୁ ନିର୍ମାଣ ପରେ ଆଠଗଡ଼ ଅଞ୍ଚଳରୁ କଟକକୁ ଦୂରତ୍ୱ ହ୍ରାସ ପାଇବା ନେଇ ଲୋକଙ୍କ ଚାହିଦା ବଢ଼ିଯାଇଛି । ମାତ୍ର ସଞ୍ଜ ହେଲେ ସେହି ସେତୁରେ ରାଜୁତି କରୁଛି ଅନ୍ଧାର । ତେବେ ଏହି ଅନ୍ଧାର କେବେ ହଟିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ଅନୁଯାଇ ସେତୁର ଆଲୋକୀ କରଣ ପାଇଁ ସିଏମସି ପକ୍ଷରୁ ନିଆଯାଇଥିବା ପଦେକ୍ଷପ କେତେ ଦୂର କାର୍ଯ୍ୟକ୍ଷମ ହୋଇଛି ତାହା ଏବେ ଜଳଜଳ ହୋଇ ଦେଖା ଯାଉଛି । ଉକ୍ତ ଅଲୋକୀକରଣ ପାଇଁ ସିଏମ୍ ସି ପକ୍ଷରୁ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମକୁ ଏହି ଦାୟିତ୍ୱ ଦିଆଯାଇଥିବା ବେଳେ ଏଥିପାଇଁ ୨କୋଟି ୮୮ଲକ୍ଷ ଟଙ୍କାର ଅର୍ଥ ବ୍ୟୟ ବରାଦ କରାଯାଇଥିଲା । ତେବେ ଏହି କାମକୁ ୫ ମାସ ଭିତରେ ଶେଷ କରିବା ପାଇଁ ଓଏସଆଇସିକୁ କଣ୍ଟ ଦିଆଯାଇଥିଲା । ତେବେ ଧାର୍ଯ୍ୟ ସମୟ ୨୦୨୩ ମସିହା ନଭେମ୍ବର ୩୦ତାରିଖ ରହିଥିଲା । ଏ ସେହି ସେତୁରେ ଆଲୋକୀକରଣ ନିମନ୍ତେ ଦୁଇଟି ଖୁଣ୍ଟ ମଧ୍ୟରେ ୩୦ମିଟର ବ୍ୟବଧାନ ସହିତ ୧୭୨ଟି ଖୁଣ୍ଟ ଲଗାଯିବା ଏବଂ ଗୋଟିଏ ଖୁଣ୍ଟର ଉଭୟ ପାର୍ଶ୍ୱରେ ଆଲୋକର ବ୍ୟବସ୍ତା କରାଯିବାକୁ ନିଷ୍ପତ୍ତି ହୋଇଥିଲା । ପୁନଶ୍ଚ ୯୦ ରୁ ୪୫ ୱାଟର ଏଲ୍ଇଡି ଲାଇଟ୍ ଲଗାଯିବା ସହିତ ୬୩ କେଭିଏର ଏକ ବିଦ୍ୟୁତ୍ ସବ୍ଷ୍ଟେସନ୍ ନିର୍ମାଣ କରାଯିବା ଏବଂ ଧବଳେଶ୍ୱର ଶେଷ ପୋଲ ନିକଟସ୍ଥ ଏକ ୧୬ ମିଟର ଉଚ୍ଚତା ବିଶିଷ୍ଟ ହାଇମାସ୍କ ଲାଇଟ ଲଗାଯିବାର ବ୍ୟବସ୍ଥା କରାଯାଇଥିଲା । ତେବେ ଚଳିତ ବର୍ଷ ଜୁଲାଇ ୧୦ ତାରିଖରେ ସିଏମସି ମେୟର ସୁବାଷ ସିଂହଙ୍କ ତତ୍ତ୍ୱାବଧାନରେ ବିଧାୟକ, ସିଏମସି କର୍ପୋରେଟର, ବିଦ୍ୟୁତ ବିଭାଗ, ଓଏଆଇସିର ଅଧିକାରୀ, ସିଡିଏ ଅଧିକାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଏହି ଏହି ଆଲୋକୀକରଣର ଶିଳାନ୍ୟାସ କରିଥିଲେ । ମାତ୍ର ଏହି ଶିଳାନ୍ୟାସକୁ ପ୍ରାୟ ୪ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାମର ଅଗ୍ରଗତି ଦେଖିବାକୁ ମିଳୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏହି ସେତୁଟି ଅନ୍ଧାର ରହିବା ଯୋଗୁଁ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳି ପାଲଟି ଯାଇଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ସମ୍ପ୍ରତି କାର୍ତ୍ତିକ ମାସ ଯୋଗୁଁ ଆଠଗଡ଼ ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ନିକଟକୁ ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ଏହି ସେତୁ ଦେଇ ଯାତାୟତ କରୁଛନ୍ତି । ତେବେ ସେତୁଟିକୁ ୫ ବର୍ଷ ପୁରଣ ହୋଇଥିବାବେଳେ ଏ ପର୍ଯ୍ୟନ୍ତ ଆଲୋକୀକରଣ ନହେବା ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତା ପ୍ରମାଣିତ କରୁଛି । ସୂଚନା ଯୋଗ୍ୟ ଯେ, ୧୫୬ କୋଟି ଟଙ୍କାରେ ନିର୍ମିତ ଏହି ମଧୁସୁଦନ ସେତୁ ୨୦୧୮ ମସିହା ଏପ୍ରିଲ ୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେତୁଟିକୁ ଲୋକାର୍ପଣ କରିଥିଲେ । ଅଢେଇ କିଲୋମିଟର ବିଶିଷ୍ଟ ଏହି ସେତୁଟି ୨୯ମାସରେ ଶେଷ କରାଯାଇଥିଲା । ମାତ୍ର ଆଲୋକୀକରଣ ନିମନ୍ତେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଲୋକେ ହଇରାଣ ହେଉଥିବା କୁହାଯାଉଛି ।