ସକାଳ ୮ଟାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା:
୩୨୧୮ କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୪୧ ହଜାର ୨୪୭ ପରୀକ୍ଷାର୍ଥୀ

#କଟକ(ଏନ୍.ଏମ୍.): ଆସନ୍ତା କାଲିଠୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତବର୍ଷ ୩ ହଜାର ୨୧୮ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଥିବା ବୋର୍ଡ ଉପସଭାପତି ଡ. ନିହାରରଞ୍ଜନ ମହାନ୍ତି ଓ ସମ୍ପାଦକ ସୁମିତା ସରକାର ସୂଚନା ଦେଇଛନ୍ତି । ୩୨୧୮ଟି କେନ୍ଦ୍ରରେ ୫ ଲକ୍ଷ ୪୧ହଜାର ୨୪୭ ପରୀକ୍ଷାର୍ଥୀ ବୋର୍ଡ ପରୀକ୍ଷା ଦେବାକୁ ଥିଲା ବେଳେ ଆସନ୍ତା କାଲିଠାରୁ ଏହି ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ୧୦ଟାରେ ଶେଷ ହେବ । ଚଳିତଥର ୩୧୬ଟି ନୋଡାଲ ସେଣ୍ଟର କରାଯାଇଛି । ତେବେ ମାଓ ଅଧ୍ୟୁଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି । ସେଥି ମଧ୍ୟରୁ କନ୍ଧମାଳରେ ୭ଟି, କୋରାପୁଟରେ ୫ ଓ ମାଲକାନାଗିରିରେ୧୦ ଥାନାରେ ନୋଡାଲ ସେଣ୍ଟର କରାଯାଇଛି । ପ୍ରଥମ ଦିନରେ ପିଲାମାନେ ଏକ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ । ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ଗଲାବେଳେ ସାଙ୍ଗରେ ଆଡମିଟ କାର୍ଡ, ପେନ, ପେନସିଲ ଓ ଜୋମେଟ୍ରି ବକ୍ସ ଆଦି ନେଇ ପାରିବେ । ପରୀକ୍ଷାର୍ଥୀ ଏସବୁ ସାମଗ୍ରୀ ବ୍ୟତୀତ ଅନ୍ୟ ସାମଗ୍ରୀ ପରୀକ୍ଷା କେନ୍ଦ୍ରକୁ ନେଇ ଯାଇ ପାରିବେ ନାହିଁ । ସେହିଭଳି ଶିକ୍ଷକମାନେ ପରୀକ୍ଷା କେନ୍ଦ୍ରକୁ ଯିବାବେଳେ ମୋବାଇଲ ଫୋନ ସ୍ୱିଚ୍ ଅଫ୍ ମୋଡରେ ରଖିବେ । ଚଳିତବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ କଡା ପଦକ୍ଷେପ ନିଆଯାଇଛି । ଯେଉଁ ଦିନ ଯେଉଁ ବିଷୟ ପରୀକ୍ଷା ସେହିଦିନ ଉକ୍ତ ବିଷୟ ପ୍ରଶ୍ନପତ୍ର ସକାଳୁ ଯିବ । ପୁଲିସ ସୁରକ୍ଷାବଳୟରେ ଏହି ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ । ସକାଳ ୬ଟାରୁ ୭ଟା ଭିତରେ ହିଁ ପ୍ରଶ୍ନପତ୍ର କେନ୍ଦ୍ରରେ ପହଞ୍ଚିବ ।
ମାଟ୍ରିକ ପରୀକ୍ଷା ସହ ମଧ୍ୟମା ଓ ମୁକ୍ତ ବିଦ୍ୟାଳୟର ପରୀକ୍ଷା ମଧ୍ୟ ଆସନ୍ତା କାଲି ସେହି ଧାର୍ଯ୍ୟ ସମୟରେ କରାଯିବ । ଚଳିତ ବର୍ଷ ମଧ୍ୟମା ପାଇଁ ୨୯୧୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୦୮ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା ହୋଇଛି । ସେହିଭଳି ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୭୧୮୧ ପରୀକ୍ଷାର୍ଥୀ ୧୪୬ଟି କେନ୍ଦ୍ରରେ ପରୀକ୍ଷା ଦେବେ । ତେବେ ସମ୍ମେଟିଭ ୧ରେ ପରୀକ୍ଷା କେନ୍ଦ୍ର ଯେଉଁଠି ଥିଲା ସମ୍ମେଟିଭ ୨ପରୀକ୍ଷା ମଧ୍ୟ ସେହି କେନ୍ଦ୍ରରେ ହେବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।