ଶ୍ରୀ ଶ୍ରୀ ଗୋପାଳକୃଷ୍ଣ ଗୋଶାଳାରେ ନିଆରା ଗୋପାଷ୍ଟମୀ
କଟକ(ଏନ୍.ଏମ୍.): କରୋନା ମହାମାରୀ ଯୋଗୁଁ ଶ୍ରୀ ଗୋପାଳକୃଷ୍ଣ ଗୋଶାଳାରେ ନିଆରା ଢଙ୍ଗରେ ଗୋପାଷ୍ଟମୀ ପାଳନ ହୋଇଯାଇଛି । ଗତ ଦୁଇବର୍ଷ ଧରି ଗୋପାଷ୍ଟମୀ ମେଳାକୁ ବନ୍ଦ ରଖାଯାଇଥିବା ବେଳେ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଗୋପାଷ୍ଟମୀ ଅବସରରେ ଅନୁଷ୍ଠାନ ପକ୍ଷରୁ ପ୍ରାତଃ କାଳରେ ଗୋମାତାଙ୍କୁ ପୂଜାର୍ଚ୍ଚନା କରାଯାଇ ଶ୍ରଦ୍ଧାଳୁମାନେ ଗୋମାତାଙ୍କ ଆର୍ଶୀବାଦ ନେବା ସହ ଦାନ ଦକ୍ଷିଣା ଆଦି ଅର୍ପଣ କରିଥିଲେ । ସେହିଭଳି ମଧ୍ୟାହ୍ନରେ କଟକ ଲାୟନ୍ସ କ୍ଲବ ଓ ଜୀବନ ରେଖା ହେଲଥ୍ କେୟାର ରିସର୍ଚ୍ଚ ସେଣ୍ଟରର ସହାୟତାରେ ସ୍ୱାସ୍ଥ୍ୟ ଶିବରର ଆୟୋଜନ କରାଯାଇ ମାଗଣାରେ ଔଷଧ ଓ ଭିନ୍ନକ୍ଷମମାନଙ୍କୁ ଆଶା ବାଡି ମଧ୍ୟ ପ୍ରଦାନ କରାଯାଇଥିଲା । ମେଲଭିନ୍ ଜୋନସ୍ ଲାୟନ୍ସ ଚକ୍ଷୁ ଚିକିତ୍ସାଳୟଙ୍କ ସହଯୋଗରେ ମୋତିଆ ବିନ୍ଦୁ ନିମନ୍ତେ ମାଗଣାରେ ଚକ୍ଷୁ ପରିକ୍ଷା କରାଯିବା ସହିତ ଚଷମା ଯୋଗାଇ ଦିଆଯାଇଥିଲା । ରକ୍ତ ସଂକଟର ଆବଶ୍ୟକତାକୁ ଦୃଷ୍ଟରେ ରଖି ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇ ୫୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ସେହିଭଳି ଦି୍ୱତୀୟ ଅଧିବେଶନରେ ସୁନ୍ଦରାକାଣ୍ଡ ପାରାୟଣ ସହିତ ଅକ୍ଷୟପାତ୍ର ଫାଉଣ୍ଡେସନ୍ ତରଫରୁ ଭଜନ ସଂକୀର୍ତ୍ତନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ଗଣେଷ ପ୍ରସାଦ କାଣ୍ଡୋଇ, ଯୁଗ୍ମ ସଂପାଦକ ବିମଳ କୁମାର, ପର୍ଶୁରାମ ପୁରିଆ, କୋଷାଧକ୍ଷ ସୁରେଶ ପୋଦାର, ଗୋଶାଳାର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅରୁଣ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।