ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲା: ପୁଲିସ ବ୍ୟାରେକକୁ ଫେରାର ପରେ ଆଖୁବାଡ଼ିରେ ଲୁଚିଥିଲା ଅଭିଯୁକ୍ତ ଗୋବିନ୍ଦ
ବଲାଙ୍ଗିର (ଏନ୍.ଏମ୍.): ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନିଖୋଜ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ବ୍ୟାରେକରୁ ଫେରାର ହୋଇ ପଯିବା ପରେ ପୁଲିସ ହାତରେ ଧରା ପଡ଼ିଛି । ବଙ୍ଗୋମୁଣ୍ଡା ବ୍ଲକ୍ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁର ଏକ ଆଖୁ ବାଡ଼ିରେ ଗୋବିନ୍ଦ ଲୁଛିଥିବାବେଳେ ପୁଲିସ ତାକୁ ଧରିଛି । ତେବେ ଗୋବିନ୍ଦ ସେଠାରେ ଲୁଚିଥିବା ଗାଁ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ ।
କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜରେ ଗୋବିନ୍ଦଙ୍କ ହାତ ଥିବା ପରିବାର ଲୋକେ ଅଭିଯୋଗ କରିବା ପରେ ସିନ୍ଧେଇକେଲା ପୁଲିସ୍ ଗୋବିନ୍ଦକୁ ଖୋଜିଥିଲା । ତେବେ ଗୋବିନ୍ଦ ଫେରାଥିବାବେଳେ ଗତ ୧୪ ତାରିଖରେ ଗୋବିନ୍ଦକୁ ପୁଲିସ୍ ଉଠାଇ ଆଣିଥିଲା । ଦୀର୍ଘ ସମୟ ଧରି ଶିକ୍ଷୟିତ୍ରୀ ନିଖୋଜ ସମ୍ପର୍କରେ ପୁଲିସ ତାକୁ ପଚରାଉଚରା କରିଥିଲା । ତେବେ ସୋମବାର ହାତ ଧୋଇବାର ବାହାନା କରି ପୁଲିସକୁ ଚମକା କରି ବାରାକରୁ ଚମ୍ପଟ୍ ମାରିଥିଲା ଗୋବିନ୍ଦ ।
ପୁଲିସ୍ କବଜାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବାକୁ ନେଇ ଜିଲ୍ଲାରେ ଆଲୋଡ଼ନ ଖେଳିଯାଇଥିଲା । ଏଥିପାଇଁ ପୁଲିସ୍ ନାନା ସମାଲୋଚନାର ଶିକାର ହୋଇଥିଲା । ଶେଷରେ ବିଭିନ୍ନ ମହଲରେ ସମାଲୋଚନାର ଶିକାର ହେବା ପରେ ପୁଲିସ ଗୋବିନ୍ଦକୁ ଧରିବା ପାଇଁ ଅଣ୍ଟା ଭିଡ଼ିଥିଲା । ଏଥିପାଇଁ ତିନୋଟି ଟିମ୍ ଗଠନ କରି ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଥିଲା । ତଥାପି ଗୋବିନ୍ଦ ପୁଲିସ୍ ଜାଲରେ ପଡ଼ିନଥିଲା । ଏହାରି ଭିତରେ ଗୋବିନ୍ଦକୁ ଧରାଇଦେବା ପାଇଁ ପୁଲିସ୍ ପୁରସ୍କାର ରାଶି ଘୋଷଣା କରିଥିଲା । ମୋଷ୍ଟ ୱାଣ୍ଟେଡ୍ ଗୋବିନ୍ଦକୁ ଧରାଇ ଦେଲେ ଲକ୍ଷେ ଟଙ୍କାର ପୁରସ୍କାର ଘୋଷଣା କରିଥିଲା । ଏହି ଘୋଷଣାର କିଛି ସମୟ ପରେ ପୁଲିସ ମୋଷ୍ଟ ୱାଣ୍ଟେଡ୍ ଗୋବିନ୍ଦକୁ ଧରିଥିଲା । ସେ ଏକ ଆଖୁବାଡ଼ିରେ ଲୁଚିଥିବା ଗାଁ ଲୋକଙ୍କ ଠାରୁ ଖବର ପାଇ ପୁଲିସ ତାକୁ ଧରିଛି । ପୁଲିସ୍ ତା’ ଠାରୁ ଶିକ୍ଷୟିତ୍ରୀ ମମିତା ମେହେରା ନିଖୋଜ ମାମଲାରେ ତଥ୍ୟ ହାସଲ କରିବ ବୋଲି ଅନୁମାନ କରାଯାଉଛି ।
ତେବେ ଗୋବିନ୍ଦ ପୁଲିସ ପଞ୍ଝାରୁ ଚମ୍ପଟ ମାରିବା ପରେ ପୁଲିସର ସନ୍ଦେହ ଅଧିକ ଘନିଭୂତ ହୋଇଥିଲା । ଏହି ଘଟଣାରେ ୩ଜଣ ପୁଲିସ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି । ଅନ୍ୟପକ୍ଷରେ ଘଟଣାର ତଦନ୍ତ କରିବାକୁ ଯାଇ ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମରେ ଜେସିବି ସାହାଯ୍ୟରେ ଖୋଳାଖୋଳି ଆରମ୍ଭ ହୋଇଥିଲା । ଘଟଣାର ମାତ୍ର ୩ ଘଣ୍ଟା ପରେ ଜେସିବି ଖୋଳୁ ଖୋଳୁ ୮-୧୦ ଫୁଟ ତଳୁ ଏକ ପୋଡ଼ି ଯାଇଥିବା ମୃତଦେହ ଉଦ୍ଧାର ହୋଇଛି । ମୃତଦେହଟି ପୋଡ଼ି ଯାଇଥିବାରୁ ତାହାକୁ ଚିହ୍ନିବା କଷ୍ଟକର ହୋଇପଡ଼ିଛି । ଉକ୍ତ ସ୍ଥାନକୁ ପୁଲିସ୍ ଚାରିପଟୁ ସିଲ୍ କରି ଦେଇଛି । ଘଟଣାସ୍ଥଳରୁ ମୃତଦେହ ବାଦ ଏକ ଧୂପକାଠି, ପାଉଁଜି, ସୁନା ଚେନ୍, ବ୍ରେସଲେଟ୍, ମୁଦି ଓ ଆହୁରି କିଛି ସାମଗ୍ରୀ ମଧ୍ୟ ଉଦ୍ଧାର ହୋଇଛି । ପାରିପାର୍ଶ୍ୱିକ ସ୍ଥିତିରୁ ଏହା ମମିତାଙ୍କ ମୃତଦେହ ବୋଲି ଜଣା ପଡ଼ୁଥିବା ବେଳେ ଏହାକୁ ନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇନି ।