ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଗଲେ କନିଷ୍ଠ ଯନ୍ତ୍ରୀ
#ବଡ଼ମ୍ବା(ଏନ୍.ଏମ୍.): ରାଜ୍ୟସରକାର ୫ଟି ମାଧ୍ୟମରେ ଜନହିତକର କାର୍ଯ୍ୟ କରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଥିବାବେଳେ କିଛି ଅସାଧୁ ଅଧିକାରୀଙ୍କ ଯୋଗୁଁ ସରକାରୀ ଯୋଜନା ଦିଗହରା ହେଉଛି । ସରକାରଙ୍କ ଠାରୁ ମୋଟା ଅଙ୍କର ଦରମା ପାଉଥିଲେ ମଧ୍ୟ ଲାଞ୍ଚ ଭଳି ବେଆଇନ ରୋଜଗାର ପଛରେ ପଡ଼ିଛନ୍ତି ବହୁ ଅଧିକାରୀ । ରାତାରାତି କୋଟିପତି ପାଲଟିଯିବା ନିଶାରେ ବହୁ ଅନିୟମିତତା କରିବାକୁ ପଛାଉ ନାହାନ୍ତି ଏହି ଅସାଧୁ ଅଧିକାରୀ । ତେବେ ଆଜି ଲାଞ୍ଚ ନେବାବେଳେ ଜଣେ କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି । ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ି ବସିଥିଲା ଭିଜିଲାନ୍ସ । ଉକ୍ତ ବ୍ୟକ୍ତିଜଣଙ୍କ କଟକ ଜିଲ୍ଲା ବଡ଼ମ୍ବା ବ୍ଲକ କନିଷ୍ଠ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ା ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଭିଜିଲାନ୍ସ ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି । ଜେଇ ବାଉରୀବନ୍ଧୁ ପରିଡ଼ା ବଡ଼ମ୍ବା ବ୍ଲକର ୫ଟି ପଞ୍ଚାୟତ ଦାୟିତ୍ୱରେ ଅଛନ୍ତି । ମୁଗଗହୀର ପଞ୍ଚାୟତର ଏକ ପ୍ରକଳ୍ପ କାର୍ଯ୍ୟର ବିଲ୍ ତ୍ୱରାନ୍ୱିତ ପାଇଁ ଜଣେ ଠିକାଦାର ତାଙ୍କ ପାଖକୁ ଯାଇଥିଲେ । ବିଲ୍ ପାସ ପାଇଁ ସେ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ସରକାରୀ ବାସଭବନରେ ଆଣି ଟଙ୍କା ଦେବାକୁ ସେ ଠିକାଦାରଙ୍କୁ କହିଥିଲେ । ତେବେ ଠିକାଦାର ଜଣକ ଯେତେ ନେହୁରା ହେଲେ ମଧ୍ୟ ଟଙ୍କା ନଦେଲେ ବିଲ ପାସ ହେବ ନାହିଁ ବୋଲି ଜେଇ ଧମକ ଦେଇଥିଲେ । ତେଣୁ ଅନ୍ୟ ଉପାୟ ନପାଇ ଠିକାଦାର ଜଣଙ୍କ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଭିଜିଲାନ୍ସ ଟିମ୍ ଯୋଜନା ମୁତାବକ ଆଜି ଜେଇ ଶ୍ରୀ ପରିଡ଼ାଙ୍କ ସରକାରୀ ବାସଭବନ ପାଖରେ ଛକି ରହିଥିଲେ । ଜେଇ ତାଙ୍କ ସରକାରୀ ବାସଭବନରେ ଠିକାଦାରଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା । ଏହାପରେ ଶ୍ରୀ ପରିଡ଼ାଙ୍କ ସରକାରୀ କ୍ୱାର୍ଟର୍ସ ସମେତ ୩ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ସେ ପ୍ରତ୍ୟେକ କାର୍ଯ୍ୟରେ ଲାଞ୍ଚ ନେଉଥିଲେ ବୋଲି ପୂର୍ବରୁ ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା ବୋଲି ଜଣାପଡ଼ିଛି ।