ରାସ୍ତା ମାପ ନକରି ଡ୍ରେନ ନିର୍ମାଣ ପାଇଁ ସିଏମସି ତତ୍ପରତା: ତହସିଲ ନୋଟିସକୁ ଅଣଦେଖା
କଟକ(ଏନ୍.ଏମ୍.): ସିଏମସି ଅଞ୍ଚଳରେ ରାସ୍ତା ନିର୍ମାଣରେ ଅନିୟମିତତା ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ସିଏମସି ଅନ୍ତର୍ଗତ ଜଗତପୁର ୪୮ନମ୍ବର ୱାର୍ଡ ଅଞ୍ଚଳରେ ସିଏମସିର ମନମୁଖୀ କାର୍ଯ୍ୟ କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ତେବେ ଉକ୍ତ ଅଞ୍ଚଳରେ ରାସ୍ତା ଓ ଡ୍ରେନ ନିର୍ମାଣ କରିବା ନିମନ୍ତେ ଅର୍ଥ ମଞ୍ଜୁର ହେବା ପରେ କାମ ଆଗେଇ ଚାଲିଥିଲା । ତେବେ ଉକ୍ତ ଅଞ୍ଚଳରେ କିଛି ଲୋକ ରାସ୍ତା ଜବର ଦଖଲ କରିବା ଅଭିଯୋଗ ଆସିବା ପରେ ଟାଙ୍ଗୀ-ଚୌଦ୍ୱାର ତହସିଲଦାର ପକ୍ଷରୁ ଚିଠିନମ୍ବର ୫୧୩୦ ତା ୧୨/୭/୨୦୨୧ରେ ଉକ୍ତ ଅଞ୍ଚଳର ରାସ୍ତା ମାପ କରିବା ପାଇଁ ସିଏମସିକୁ ଏକ ନୋଟିସ ହୋଇଥିଲା । ସିଏମସି କର୍ତ୍ତୃପକ୍ଷ ଏବଂ ମହାନଦୀ ନର୍ଥ ଡିଭିଜନ(ଜଳସେଚନ ବିଭାଗ) ଅଧିକାରୀଙ୍କ ଉପସ୍ଥିତିରେ ରାସ୍ତା ମାପ ପରେ ନିର୍ମାଣ କରିବାକୁ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହି ନିର୍ଦ୍ଦେଶକୁ ଅଣଦେଖା କରାଯାଇ ସିଏମସି ପକ୍ଷରୁ ରାସ୍ତା ଓ ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଦୁର୍ଭାଗ୍ୟଜନକ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏହି ୱାର୍ଡ଼ ଅନ୍ତର୍ଗତ ଆଇବି ରୋଡ ଫକିରପୁର ମା’ ବାଟ ମଙ୍ଗଳା ଗଡା ଠାରୁ ଭୂବନପୁର ଦେଇ ନଜରପୁର ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ କରିବା ପାଇଁ ରାସ୍ତାଘାଟ ମାପ କରିବା ପାଇଁ ଏହି ନୋଟିସ ଯାରି କରାଯାଇଥିଲା । କିନ୍ତୁ ରାସ୍ତା ଘାଟ ମାପ ନକରି ତରବରିଆ ଭାବେ ସିଏମସି ପକ୍ଷରୁ ଏକ ସିମେଣ୍ଟ ଇଟାରେ ଫଳକ ନିର୍ମାଣ କରିବା ନେଇ ଦ୍ୱନ୍ଦ୍ୱ ଉପୁଜିଛି । କିଛି ରାଜନୈତିକ ବ୍ୟକ୍ତି ଓ କିଛି ବଡ ବଡିଆ ବ୍ୟକ୍ତିମାନେ ସରକାରୀ ରାସ୍ତା ଉପରକୁ ମାଡିଆସି ଥିବାରୁ ରାସ୍ତା ମାପଚୁପ ନହୋଇ ଏହି ଡ୍ରେନନିର୍ମାଣ କାମ ଆରମ୍ଭ ହେଉଥିବାରୁ ଜନ ଅସନ୍ତୋଷର ମୁଖ୍ୟକାରଣ ହୋଇଛି । ଅନ୍ୟପକ୍ଷରେ ତହସିଲଦାରଙ୍କ ନିର୍ଦ୍ଦେଶନାମାକୁ ଅଣଦେଖା କରାଯାଇ ରାସ୍ତା ମାପଚୁପ ନକରାଯାଇ କିପରି ସିଏମସି କିଭଳି ଡ୍ରେନ ନିର୍ମାଣ ପାଇଁ ପ୍ରସ୍ତୁତ ହେଉଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ଯେଉଁ ବ୍ୟକ୍ତି ମାନେ ସରକାରୀ ରାସ୍ତାକୁ ମାଡି ଆସି ଘର ଓ ଦୋକାନ ବଜାର ନିର୍ମାଣ କରିଛନ୍ତି ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ସିଏମସିର ଏଭଳି ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି । ତେବେ ନିମପୁର ବସ୍ତିର ଡ୍ରେନ ପାଣିକୁ ମଙ୍ଗଳା ଗଡା ଫକିରପୁର ବଉଳେଇ ସାହି, ଭୂବନପୁର ଦେଇ ଛଡାଯିବ ବୋଲି ଏହି ଫଳକ ନିର୍ମାଣ ହୋଇଛି । ପୂର୍ବରୁ ଆଇବି ରୋଡ ମଙ୍ଗଳା ଗଡାରୋଡ ଆଦି ୩୦ ଫୁଟ ଚଉଡ଼ା ରହିଥିବା ବେଳେ ଏବେ ଏହି ରୋଡ କେଉଁଠି ୨୫ ଫୁଟ ତ କେଉଁଠି ୨୦ ଫୁଟ ଆଉ କେଉଁଠି ୧୫ ଫୁଟ ରାସ୍ତା ରହିଛି । ତେବେ ସେଠାରେ ଅବଶିଷ୍ଟ ଜାଗା ଗଲା କୁଆଡେ ସେ ନେଇ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି । ତେବେ ରାସ୍ତା ପାଶ୍ୱର୍ରେ ୨ଟି ଡ୍ରେନ କରାଯିବାକୁ ସ୍ୱାଗତ କରାଯାଉଥିବାବେଳେ ଯଦି ସିଏମସି ପକ୍ଷରୁ ଜାଗା ମାପ କରାନଯାଇ ରାସ୍ତା ତଥା ଡ୍ରେନ ନିର୍ମାଣ କରାଯାଏ ତେବେ ବ୍ୟାପକ ଜନଆନ୍ଦୋଳନ ହେବ ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।