ରାଷ୍ଟ୍ରପତିଙ୍କ ଶ୍ରୀକ୍ଷେତ୍ର ଆଗମନ ନେଇ ଆସିଲା ଗସ୍ତ ସୂଚନା: ପୁରୀରେ ରାତ୍ରୀଯାପନ, କରିବେ ଶ୍ରୀଜିଉଙ୍କ ଦର୍ଶନ
ପୁରୀ (ଏନ୍.ଏମ୍.): ଶ୍ରୀକ୍ଷେତ୍ର ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏ ନେଇ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ପୁରୀ ଗସ୍ତ ସମ୍ପର୍କୀତ ସୂଚୀ ଆସିଛି । ରାଷ୍ଟ୍ରପତି ପୂର୍ବରୁ ୨ଥର ଶ୍ରୀକ୍ଷେତ୍ର ଆସିଥିବାବେଳେ ଏଥର ତୃତୀୟ ଥର ପୁରୀଗସ୍ତରେ ଆସିବେ ବୋଲି ଜଣାପଡ଼ିଛି । ପୂରୀ ଜିଲ୍ଲାପ୍ରଶାସନକୁ ଆସିଥିବା ଗସ୍ତ ତାଲିକା ଅନୁଯାୟୀ ରାଷ୍ଟ୍ରପତି ଆସନ୍ତା ଫେବ୍ରୁଆରୀ ୧୯ତାରିଖ ଅପରାହ୍ଣ ୨ଟା ୪୫ରେ ଭୁବନେଶ୍ୱରରେ ପହଞ୍ଚିବେ । ସେଠାରୁ ପୁରୀରେ ଅପରାହ୍ଣ ୩ଟା ୩୫ରେ ପହଞ୍ଚିବେ । ପୁରୀରେ ପହଞ୍ôଚବା ପରେ ଏକ ହୋଟେଲକୁ ଯିବେ ଏବଂ ଅପରାହ୍ଣ ୫ଟାରେ ସେ ପୁରୀ ଶ୍ରୀମନ୍ଦିର ଆସି ଶ୍ରୀଜିଉଙ୍କ ଦର୍ଶନ କରିବେ । ସେ ଶ୍ରୀମନ୍ଦିରରେ ୪୫ ମିନିଟ୍ ରହିବାର କାର୍ଯ୍ୟକ୍ରମ ରହିଛି । ତେବେ ସେହି ଦିନ ରାତିରେ ସେ ପୁରୀରେ ରହଣୀ କରିବେ । ଏହାବାଦ ପର ଦିନ ଅର୍ଥାତ୍ ୨୦ ତାରିଖରେ ରାଷ୍ଟ୍ରପତି ଶ୍ରୀ ଚୈତନ୍ୟ ଗୌଡ଼ୀୟ ମଠକୁ ଯିବେ । ସେଠାରେ ସେ ପ୍ରାୟ ୧୫ମିନିଟ୍ ଧରି ରହିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ରାଷ୍ଟ୍ରପତି ସିଧା ଶରଧାବାଲି ସଭାସ୍ଥଳରେ ପହଞ୍ଚିବେ ଏବଂ ଶ୍ରୀଲ ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ମହାରାଜ (ଗୌଡ଼ୀୟ ମଠ ମିଶନର ପ୍ରତିଷ୍ଠାତା)ଙ୍କ ୧୫୦ତମ ଜୟନ୍ତୀ ଅବସରରେ ୩ ବର୍ଷ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଉତ୍ସବକୁ ଉଦ୍ଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ସେ ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ରହିବେ । ସେଠାରୁ ସେ ଭୁବନେଶ୍ୱର ଯାଇ ବିମାନ ଯୋଗେ ଦିଲ୍ଲୀ ଫେରିଯିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି ସେଣ୍ଟ୍ରାଲ ରେଞ୍ଜ ଆଇଜି ନରସିଂହ ଭୋଳ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ଶ୍ରୀ ଚୈତନ୍ୟ ଗୌଡ଼ୀୟ ମଠ ଓ ଶରଧାବାଲିରେ ଆଇଜି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ରାଷ୍ଟ୍ରପତି ଯେଉଁ ଯେଉଁ ସ୍ଥାନକୁ ଯିବେ ସେଠାରେ କେମିତି ସୁରକ୍ଷା ବ୍ୟବସ୍ଥା ରହିବ ସେ ନେଇ ଆଇଜି ଆଜି ସମୀକ୍ଷା କରିଛନ୍ତି ।