ରାଜ୍ୟରେ ଲାଗିଛି ହାତୀ ମଣିଷଙ୍କ ଲଢ଼େଇ: କେତେବେଳେ ହାତୀ ତ ଆଉ କେତେବେଳେ ମଣିଷ ଚାଲିଯାଉଛି ଆରପାରିକୁ
#ଭୁବନେଶ୍ୱର/ଢେଙ୍କାନାଳ(ଏନ୍.ଏମ୍.): ସମ୍ପ୍ରତି ହାତୀ ମଣିଷଙ୍କ ଯୁଦ୍ଧ ବଢ଼ିବାରେ ଲାଗିଛି । କେଉଁଠି ମଣିଷର ଛଳନା ଭିତରେ ଛନ୍ଦି ହୋଇ ହାତୀର ପ୍ରାଣ ଯାଉଛି ତ ଆଉ କେଉଁଠି ହାତୀର ବଳ ଆଗରେ ମଣିଷ ଶୋଇ ଯାଉଛି ଚିର ନିଦ୍ରାରେ । ହେଲେ ଏ ଯୁଦ୍ଧର ଅବସାନ କେବେ? ଏ ନେଇ ସରକାର କି ପଦକ୍ଷେପ ନେଉଛନ୍ତି ଆଉ ତାହା କେତେଦୂର ସଫଳ ହେଉଛି । ଏହାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ମହା ବିତର୍କ ଆରମ୍ଭ ହୋଇଥିବାବେଳେ କେଉଁଠି ହାତୀ ତ ଆଉ କେଉଁଠି ମଣିଷ ବଳି ପଡ଼ୁଥିବା ଦେଖିବାକୁ ମିଳିଛି । ଆଜି ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ କଣ୍ଟାବଣିଆ ଥାନା ମଙ୍ଗଳପୁର ଗାଁରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ନାମ ରଣଜିତ ରାଉତ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ମଙ୍ଗଳପୁର ନିକଟରେ ଗତ କିଛି ଦିନ ହେଲା ଏକ ହାତୀପଲ ରହି ଫସଲ ନଷ୍ଟ କରୁଛନ୍ତି । ତେଣୁ ଆଜି ସକାଳେ ରଣଜିତ ନିଜ ଚାଷ ଜମି ଦେଖିବାକୁ ଯାଉଥିଲେ । ସେହି ସମୟରେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି । ଅନ୍ୟପକ୍ଷରେ ଆଜି ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ ଓରାଘାଟ ଗାଁର ପାରମସାହିରେ ଏକ ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି । ହାତୀଟିର କେମିତି ମୃତ୍ୟୁ ହେଲା, ତାହା ଜଣାପଡ଼ିନି । ଶବ ବ୍ୟବଚ୍ଛେଦ ପରେ ତା’ର ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଗତ ୨୦୧୫-୧୬ରୁ ୨୦୨୩-୨୪ (୨୫.୦୯.୨୦୨୩) ସୁଦ୍ଧା ୫ ବର୍ଷରେ ରାଜ୍ୟରେ ହାତୀ ଆକ୍ରମଣରେ ୬୦୨ ଜଣଙ୍କ ମୃତ୍ୟୁ ଘଟିଛି । ହାତୀ ୧୨୭ଟି ଗୃହପାଳିତ ପ୍ରାଣୀଙ୍କୁ ମାରିଥିବା ବେଳେ ୯୬୧୧ଟି ଘର ଭାଙ୍ଗି ଦେଇଛନ୍ତି । ସେହିଭଳି ଏହି ୫ବର୍ଷ ମଧ୍ୟରେ ୬୯୮ଟି ହାତୀଙ୍କର ମୃତ୍ୟୁ ହୋଇଛି । ବିଭିନ୍ନ ରୋଗ, ବିଦ୍ୟୁତ୍ ଆଘାତ, ରେଳ ଦୁର୍ଘଟଣା, ଶିକାର, ବିଷ ପ୍ରୟୋଗ ଇତ୍ୟାଦି କାରଣ ଯୋଗୁ ଏହି ହାତୀମାନଙ୍କର ମୃତ୍ୟୁ ଘଟିଛ ବୋଲି ବିଧାନସଭାର ମୌସୁମୀ ଅଧିବେଶନ ଚାଲିଥିବା ବେଳେ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଦେଇଥିବା ଉତ୍ତରରେ ଏହି ତଥ୍ୟ ରଖିଛନ୍ତି । ତେବେ ଆଗକୁ ହାତୀ ଓ ମଣିଷଙ୍କ ମଧ୍ୟରେ ଏଭଳି ସଂହାର କାର୍ଯ୍ୟ କେତେଦିନ ଆଉ ଚାଲିବ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି ।