ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ
ଆଠଗଡ(ଏନ୍.ଏମ୍.): ସମ୍ପ୍ରତି ଗଣତନ୍ତ୍ର ଆଜି ବିପନ୍ନ ହୋଇଥିବା ବିଭିନ୍ନ ମହଲରେ ସ୍ୱର ଉଠିଛି । ସାମ୍ବାଦିକ ଓ ସମ୍ବାଦପତ୍ରର କଣ୍ଠ ରୋଧ କରାଯାଇ ବିନା କାରଣରେ ସାମ୍ବାଦିକ ମାନଙ୍କୁ ଆକ୍ରମଣ କରିବା, ମିଥ୍ୟା ମକଦ୍ଦମା କରି ଜେଲ ପଠାଇବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି । ତେବେ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫ ପ୍ରତିବାଦରେ ଆଜି ଆଠଗଡ ସବ ଡିଭିଜନ ସାମ୍ବାଦିକ ସଂଘପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଆଠଗଡ ଅତିରିକ୍ତ ଉପଜିଲ୍ଲାପାଳ ଦିପ୍ତିମୟୀ ରାଉତଙ୍କୁ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଗଣତନ୍ତ୍ରର ୪ର୍ଥସ୍ତମ୍ବ ସମ୍ପୂର୍ଣ ଭୁଶୁଡ଼ି ପଡ଼ିବା ସହିତ ଦେଶ ଅରାଜକତା ଆଡ଼କୁ ଗତିକରିବ ବୋଲି କୁହାଯାଇଛି । ନ୍ୟୁଜ ଚ୍ୟାନେଲ ବଡ ଖବରର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ । ତାଙ୍କୁ ତାଙ୍କ ବ୍ୟକ୍ତିଗତ ବ୍ୟବସାୟ କାରବାରକୁ ନେଇ ଯେଭଳି ଅଗଣତାନ୍ତ୍ରିକ ଭାବେ ରାତି ଅଧିଆ ଘୋଷଡ଼ା ଓଟରା କରି ଗିରଫ କରାଯାଇ ଅପରାଧୀଙ୍କ ଭଳି ଜେଲକୁ ପଠାଇ ଦିଆଗଲା ତାହା କେବଳ ସାମ୍ବାଦିକ ନୁହଁନ୍ତି ସମଗ୍ର ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି । ତାଙ୍କୁ ଜେଲ ପଠାଇବା ପରେ ତାଙ୍କ ବାସଭବନକୁ ବେଆଇନ ଭାବେ ବିଦ୍ୟୁତ୍ ଆଲୋକ ଓ ପାଣି ଯୋଗାଣ କାଟି ଦିଆଗଲା ତାହା ମାନବିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି ବୋଲି ସଂଘ ପକ୍ଷରୁ କୁହାଯାଇଛି । ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଏକ ସ୍ଥିର ସରକାର ଚାଲୁଥିବା ବେଳେ ଗଣମାଧ୍ୟମ ଓ ସାମ୍ବାଦିକମାନଙ୍କ ଉପରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ କରି ଅସ୍ଥିର ସୃଷ୍ଟି କରୁଥିବା କେତେକ ନେତା ଓ ଅମଲାତନ୍ତ୍ର ଉପରେ ମୁଖ୍ୟମନ୍ତ୍ରୀ ଅଙ୍କୁଶ ଲଗାଇବାକୁ ସଂଘ ପକ୍ଷରୁ ଦାବି ହୋଇଛି । ନଚେତ ଆଗାମୀ ଦିନରେ ରାଜ୍ୟରେ ଅରାଜକତା ସୃଷ୍ଟି ହେବା ସହ ସାମ୍ବାଦିକମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ପ୍ରଦତ୍ତ ସ୍ମାରକପତ୍ରରେ ଉଲ୍ଲେଖ ରହିଛି । ସ୍ମାରକପତ୍ର ପ୍ରଦାନ ସମୟରେ କଟକ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ଲଲାଟେନ୍ଦୂ ସେନାପତି, ସବ ଡିଭିଜନ ସାମ୍ବାଦିକ ସଂଘ ସଭାପତି ସଚିଦାନନ୍ଦ ପଣ୍ଡା, ସମାଜ ସାମ୍ବାଦିକ ସୁଧିରଞ୍ଜନ ଦାସ, ବଡଖବର କଟକ ପ୍ରତିନିଧି ଶିବୁ ପଟ୍ଟନାୟକ ଓ ନିର୍ମଳ କୁମାର, ଅର୍ଦ୍ଧେନ୍ଦୁ ମହାନ୍ତି, ମନୋରଞ୍ଜନ ମହାପାତ୍ର, ପତିତପାବନ ରାଉତ, ସଂଘ ଉପସଭାପତି ସର୍ବେଶ୍ୱର ପଣ୍ଡା, ଯଶୋବନ୍ତ ବାରିକ, ସନ୍ତୋଷ କୁମାର ବାରିକ, ରଜନୀକାନ୍ତ ଜେନା, ଅଭୟ ନାୟକ, ମହେଶ୍ୱର ବେହେରା ପ୍ରମୁଖ ଉପସ୍ଥିତଥିଲେ ।