ରାଜେନ୍ଦ୍ର ପ୍ରସାଦ ସିଂହଙ୍କର ପ୍ରଥମ ବାର୍ଷିକ ଶ୍ରାଦ୍ଧବାର୍ଷିକୀ
#କଟକ(ଏନ୍.ଏମ୍.): ବିଶିଷ୍ଟ ସମାଜବାଦୀ ନେତା ପ୍ରାକ୍ତନ ବିଧାୟକ ସ୍ୱର୍ଗତଃ ରାଜେନ୍ଦ୍ର ପ୍ରସାଦ ସିଂହଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ସିଡିଏସ୍ଥିତ ଉଣ୍ଡିସର ପାଲେସ୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସିଏମସି ମେୟର ସୁବାସ ସିଂହ ଯୋଗଦେଇ ରାଜେନ୍ଦ୍ର ପ୍ରସାଦ ବହୁବିଧ ପ୍ରତିଭାର ଅଧିକାରୀ ବୋଲି ମତ ପ୍ରକାଶ କରିଥିଲେ । ସେ ଜଣେ ଗୀତିକାର, ଚଳଚ୍ଚିତ୍ର ନିର୍ଦ୍ଦେଶକ, ପ୍ରାବନ୍ଧିକ, ଲେଖକ, ରାଜନୈତିକ ସମୀକ୍ଷକ ଏବଂ ତେଜସ୍ୱୀ ବକ୍ତା ଭାବେ ସ୍ମୃତି ଓ ଅନେକ କୀର୍ତ୍ତି ଛାଡ଼ି ଯାଇଛନ୍ତି ବୋଲି ମେୟର କହିଥିଲେ । ଅନ୍ୟତମ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା ଯୋଗଦେଇ ରାଜୁ ଭାଇଙ୍କ ସହ ତାଙ୍କର ଏକ ଅଲିଭା ସମ୍ପର୍କ ଥିଲା ବୋଲି କହିଥିଲେ । ସବୁ ଶ୍ରେଣୀର ଶ୍ରମିକ ତଥା କର୍ମଚାରୀଙ୍କ ସାମଗ୍ରିକ ସୁରକ୍ଷା, ନିରାପତ୍ତା, କଲ୍ୟାଣ ଓ ସ୍ଥାୟିତ୍ୱ ସପକ୍ଷରେ ସ୍ୱର୍ଗତ ସିଂହ ଜୀବନ ବ୍ୟାପୀ ସଂଗ୍ରାମ କରିଥିଲେ ବୋଲି ଉପସ୍ଥିତ ବକ୍ତାମାନେ ମତପୋଷଣ କରିଥିଲେ ।
ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସ୍ୱର୍ଗତ ସିଂହଙ୍କୁ ସମାଜବାଦୀ ଚିନ୍ତା ଚେତନାର ପ୍ରତୀକ ରୂପେ ବର୍ଣ୍ଣନା କରିଥିଲେ । ଏହି ଉପଲକ୍ଷେ ପ୍ରକାଶିତ ‘ରାଜେନ୍ଦ୍ର କଥନିକା’ ପୁସ୍ତକକୁ ଅବିଭକ୍ତ କଟକ ଜିଲ୍ଲାର ପୂର୍ବତନ ବିଧାୟକ ରଘୁନାଥ ମିଶ୍ର ଉନ୍ମୋଚନ କରିଥିଲେ । ବରିଷ୍ଠ ସାମ୍ବାଦିକ ଡ. ସତ୍ୟ ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ହିନ୍ଦ ମଜଦୁର ସଭାର ରାଜ୍ୟ ଶାଖା ସଭାପତି କୃଷ୍ଣଚନ୍ଦ୍ର ପାତ୍ର, ସାଧାରଣ ସଂପାଦକ ପ୍ରଭାତ କୁମାର ତ୍ରିପାଠୀ, ଇନ୍ଦିରା ସାକ୍ସେନା, ଏଆଇସିସିଟିୟୁର ନେତା ରାଧାକାନ୍ତ ସେଠୀ, ଜନତା ଦଳ(ୟୁ) ନେତା ଚିତ୍ତରଞ୍ଜନ ମହାନ୍ତି, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ଏଆଇଟିୟୁସି ନେତା ଜୟନ୍ତ ଦାସ, ସିଆଇଟିୟୁ ନେତା ରବି ମଲ୍ଲିକ, ପୂର୍ବତନ ଜିଲ୍ଲାପାଳ ନିର୍ମଳ ମିଶ୍ର, ସିପିଆଇ ନେତା ଅମରେନ୍ଦୁ ମହାନ୍ତି, କଟକ ମହାନଗର ନାଗରିକ ମଞ୍ଚ ସଭାପତି ଡା. ରବିରଞ୍ଜନ ସାହୁ, ହରିବନ୍ଧୁ ନାୟକ, ନାରୀନେତ୍ରୀ ଲକ୍ଷ୍ମୀପ୍ରିୟା ମହାନ୍ତି, ସାହାନାଜ ବାନୋ, ସୁଶ୍ରୀ ତନୁଶ୍ରୀ ସିଂହ, ବିଜେଡି ନେତା ପ୍ରଶାନ୍ତ ନାୟକ, ବ୍ୟାଙ୍କ କର୍ମଚାରୀ ନେତା ଅଶୋକ ତା, ଆଇଏନଟିୟୁସିର ନେତା ଶ୍ୟାମସୁନ୍ଦର ମହାପାତ୍ର ପ୍ରମୁଖ ଭାଷଣ ଦେଇ ସ୍ୱର୍ଗତ ସିଂହଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ଦେବାଶିଷ ସାମନ୍ତରାୟ, ନିରାମୟର ଉପଦେଷ୍ଟା ରଞ୍ଜନ ବିଶ୍ୱାଳ, ବିଜେଡି ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂହ, ପ୍ରକାଶ ଦାଶ, କର୍ପୋରେଟର ସନ୍ତୋଷ ଭୋଳ, କଂଗ୍ରେସ ନେତ୍ରୀ ଗିରିବାଳା ବେହେରା ପ୍ରମୁୁଖଙ୍କ ସମେତ ବହୁ ଶ୍ରମିକ ଓ କର୍ମଚାରୀ ସଂଘ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଶ୍ରମିକ ନେତା କିଶୋର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ବସୁନ୍ଧରାର ଶୈଳ ବେହେରା, ସ୍ୱର୍ଗତ ସିଂହଙ୍କ ପତ୍ନୀ ନଳିନୀପ୍ରଭା ସିଂହ ଓ ସମାଜସେବୀ ପ୍ରଶାନ୍ତ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।