ଯୋଗ୍ୟ ବିବେଚିତ ବାସହୀନ ସାହି-ବସ୍ତିବାସିନ୍ଦାଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ଦାବି
କଟକ(ଏନ୍.ଏମ୍.): ସକାଳ ୧୦ଟା ସମୟରେ ସ୍ଥାନୀୟ ଶିଶୁଭବନ ନିକଟସ୍ଥ ପୀର ପଡ଼ିଆ ସିଂ ରୋଡ଼ଠାରେ ବସ୍ତିବାସୀଙ୍କ ଏକତାମଞ୍ଚ ତରଫରୁ ଏକ ଗଣକନ୍ଭେନ୍ସନ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ସେଖ୍ ଅବ୍ଦୁଲ୍ଲାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କନ୍ଭେନ୍ସନର ଉଦ୍ଦେଶ୍ୟ ସମ୍ପର୍କରେ ଏକତା ମଞ୍ଚ ସଂପାଦକ ଆଇନଜୀବୀ ହେମେନ୍ଦ୍ର ସାମଲ ନିଜ ବକ୍ତବ୍ୟ ରଖିଥିଲେ । ଗତ ୨୦୨୦ ମସିହା ଅକ୍ଟୋବର ମାସରେ ସିଏମସି ପକ୍ଷରୁ ବସ୍ତିବାସିଙ୍କ ଏକତା ମଞ୍ଚକୁ ଏକ ପତ୍ରଦ୍ୱାରା କଟକ ମହାନଗର ଦ୍ୱାରା ସର୍ଭେ କରାଯାଇଥିବା ବାସ ହୀନ ସାହି-ବସ୍ତିର ଗରିବ ଲୋକଙ୍କ ମଧ୍ୟରୁ ୧୫୧୫୯ ପରିବାରକୁ ଯୋଗ୍ୟ ବିବେଚିତ ବୋଲି ଜଣାଇଥିଲେ । ଇତି ମଧ୍ୟରେ ବସ୍ତିବାସୀଙ୍କ ଏକତାମଞ୍ଚକୁ ଦେଇଥିବା ଚିଠି ୧ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଚିହ୍ନିତ ହିତାଧିକାରୀଙ୍କୁ ସୂଚନା ପ୍ରଦାନ କରାଯାଉ ନାହିଁ । ବାରମ୍ବାର ସିଏମସି, ଜିଲ୍ଲା ପ୍ରଶାସନ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାବିପତ୍ର ଦେଇଥିଲେ ସୁଦ୍ଧା ଏହାର କୌଣସି ସୁଫଳ ନମିଳିବାରୁ ଏହି ଗଣକନ୍ଭେନ୍ସନ ଅନୁଷ୍ଠିତ କରାଯାଇ ଆସନ୍ତା ଦିନର ଆନ୍ଦୋଳନ ସମ୍ପର୍କରେ ନିଷ୍ପତ୍ତି ନିଆଗଲା । ଏହି ଆଲୋଚନାରେ ବିଭିନ୍ନ ସାହି-ବସ୍ତିର ବାସନ୍ତି ବିଶ୍ୱାଳ, ସବିତା ନାୟକ, ଖୁର୍ସିଦା ବେଗମ, ଆଇନଜୀବୀ ପଦ୍ମାବତୀ ନାୟକ, କେ. ଲିଙ୍ଗରାଜୁ, ଲକ୍ଷ୍ମୀ ବାରିକ, ଶଶୀ ଡାକୁଆ, ସାବିତ୍ରୀ ପାଲ, ଜଗନ୍ନାଥ ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଆସନ୍ତା ସେପ୍ଟେମ୍ବର ୧୬ତାରିଖରେ ସିଏମସି କାର୍ଯ୍ୟାଳୟ ଘେରାଉ କରାଯିବା ସହ ପରବର୍ତ୍ତୀ ସମୟରେ ନ୍ୟାୟ ପାଇବା ପାଇଁ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି ।