ମେଡିକାଲରେ ବାପାଙ୍କ ଦେଖାକରି ଘରକୁ ଫେରିବା ବେଳେ ପୁଅର ମୃତ୍ୟୁ
ବାସୁଦେବପୁର(ଏନ୍.ଏମ୍.): ମେଡ଼ିକାଲରେ ବାପା ଚିକିତ୍ସିତ ହେଉଥିବାବେଳେ ପୁଅ ମେଡ଼ିକାଲରୁ ଦେଖାକରି ଘରକୁ ଫେରିବା ବେଳେ ପାଲଟିଗଲା ଅଫେରା ପଥର ଯାତ୍ରୀ । କିଏ ଯାଣିଥିଲା ମେଡ଼ିକାଲରେ ବାପାଙ୍କ ସହ ଥିଲା ଏହା ଶେଷ ଦେଖା । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ । ନିର୍ମାଣଧୀନ ପୋଲ ନେଇଗଲା ଯୁବକଙ୍କ ଜୀବନ । ମେଡିକାଲରେ ଚିକିତ୍ସିତ ହେଉଥିବା ବାପାଙ୍କ ନିକଟରୁ ଘରକୁ ଫେରୁଥିବା ବେଳେ ଅଧାଗଢ଼ା ପୋଲ ଯୋଗୁଁ ହୋଇଥିଲା ଦୁର୍ଘଟଣାର ଶିକାର । ତେବେ ରାସ୍ତା କାମ କରୁଥିବା ସଂସ୍ଥାର ଅବହେଳା ପାଇଁ ପୁଅର ଜୀବନ ଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ନିର୍ମାଣଧୀନ ପୋଲ ପୂର୍ବରୁ ଡ଼ାଇଭର୍ସନ ପାଇଁ କୌଣସି ସୂଚନା ନଥିବାରୁ ବାଇକଟି ପୋଲ ତଳକୁ ଖସିପଡିବା ସହ ପୋଲ ପାଇଁ ତିଆରି ଚାଲିଥିବା ଢଳେଇରେ ପିଟି ହୋଇ ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଜାମୁଝାଡି-ବାସୁଦେବପୁର ରାସ୍ତାର ପଟା ପୋଲ ନିକଟରେ ଆଜି ଭୋରରୁ ଏଭଳି ମର୍ମନ୍ତୁଦ ଘଟଣା ଘଟିଛି । ମୃତକ ଜଣକ ସ୍ଥାନୀୟ ବାସୁଦେବପୁର ଥାନା ବାଷଠି ଗ୍ରାମର ବିପିନ ବେହେରା ବୋଲି ଜଣାପଡ଼ିଛି । ବିପିନଙ୍କ ବାପା ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ସେଠାରୁ ଆଜି ସକାଳୁ ବିପିନ ଅନ୍ୟ ଜଣେ ଯୁବକଙ୍କ ସହ ଘରକୁ ଫେରୁଥିଲେ । ପଟା ପୋଲ ନିକଟରେ ନିର୍ମାଣଧୀନ ପୋଲରେ ଡ଼ାଇଭର୍ସନ ପାଇଁ କୌଣସି ସୂଚନା ନଥିବାରୁ ବାଇକଟି ତଳେ ପଡ଼ି ଯାଇଥିଲା । ଘଟଣାସ୍ଥଳରେ ହିଁ ବିପିନଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାଥୀରେ ଥିବା ଅନ୍ୟଜଣେ ଯୁବକ ମଧ୍ୟ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣା ପାଇଁ ନିର୍ମାଣ ଦାୟିତ୍ୱରେ ଥିବା ସଂସ୍ଥାକୁ ଦାୟୀ କରି ଅଞ୍ଚଳବାସୀ ବିକ୍ଷୋଭ ପ୍ରଦନ କରିବା ସହ କ୍ଷତିପୂରଣ ଦାବିରେ ଜାମୁଝାଡି-ବାସୁଦେବପୁର ରାସ୍ତା ପଟା ପୋଲ ନିକଟରେ ରାସ୍ତା ଅବରୋଧ କରିଥିଲେ ।