ମୃତ ସୋହେଲଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା
ଜଗତପୁର(ଏନ୍.ଏମ୍.): ସନ୍ତରଣ ଅଭ୍ୟାସ ସମୟରେ ମହାନଦୀରେ ବୁଡି ପିରବଜାର ଅଞ୍ଚଳର ସୋହେଲ ଖାନଙ୍କର ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଛି । ଏ ନେଇ ଆଜି ସଂଧ୍ୟାରେ ଜଗତପୁର ଗୋଲେଇଛକ ଠାରୁ ନିମପୁର ଖେଳ ପଡିଆ ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯିବା ସହ ସ୍ୱର୍ଗତ ଆତ୍ମାର ସଦଗତି କାମନା କରାଯାଇଥିଲା । ତେବେ ଏହି କ୍ୟାଣ୍ଡେଲ ଶୋଭାଯାତ୍ରାରେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା ଯୋଗ ଦେଇଥିବାବେଳେ ସୋହେଲଙ୍କ ସାଙ୍ଗ ସାଥି, ପରିବାର ବର୍ଗ ଓ ଗ୍ରାମବାସୀଙ୍କ ସମେତ ଶତାଧିକ ଲୋକେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଜଗତପୁର ପିରବଜାରସ୍ଥିତ କାଜିବଜାର ଅଞ୍ଚଳର ସୋହେଲ ଗତ ୧୧ ତାରିଖ ରବିବାର ସକାଳ ୯ଟା ସମୟରେ ଜୋବ୍ରା ଆନିକଟ ଠାରେ ମହାନଦୀକୁ ପହଁରା ଅଭ୍ୟାସ କରିବାକୁ ଆସିଥିଲେ । ସୋହେଲଙ୍କ ଇଚ୍ଛାଥିଲା ସେ ସେନାରେ ଭର୍ତ୍ତି ହେବା ପାଇଁ ସେଥିପାଇଁ ପ୍ରତିଦିନ ସକାଳେ ଜଗତପୁରସ୍ଥିତ ନିମପୁର ପଡିଆକୁ ବିଭିନ୍ନ ଖେଳ ଅଭ୍ୟାସ କରିବା ପାଇଁ ଆସୁଥିଲେ । କିନ୍ତୁ ତାଙ୍କ ଇଚ୍ଛା କେବଳ ଇଚ୍ଛାରେ ରହିଗଲା । ସେଥିପାଇଁ ସୋହେଲଙ୍କ ଗ୍ରାମବାସୀ ଓ ତାଙ୍କ ସହିତ ନିତିଦିନ ଅଭ୍ୟାସ କରୁଥିବା ଛାତ୍ର ଛାତ୍ରୀମାନେ ଏକଜୁଟ ହୋଇ ଜଗତପୁର ଗୋଲେଇଛକରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ନିମପୁର ଖେଳ ପଡିଆରେ ପହଁଞ୍ôଚ ଶୋକ ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମ ସଭାପତି କାଜୁଦିନ ଖାଁ, ସାହିଲଙ୍କ ପ୍ରଶିକ୍ଷଣ ଶିକ୍ଷକ, ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଲୋକନାଥ ବଶ୍ୱାଳ, ମୋହନ ବେହେରା, ବିଶ୍ୱଜିତ ରାଉତ, ଶ୍ରାବଣୀ ସେଠୀ, ନନ୍ଦିନି ଦେବତାଙ୍କ ସମେତ ବହୁ ଲୋକ ଏହି କ୍ୟାଣ୍ଡେଲ ଶୋଭାଯାତ୍ରାରେ ଯୋଗଦେଇଥିଲେ ।