ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ପ୍ରଶାସନର ଅସହଯୋଗ ସତ୍ତ୍ୱେ ଶକ୍ତି ପ୍ରଦର୍ଶନ କଲେ ରୂପାଲୀ ଲେଙ୍କା
ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ଜୟଗାନରେ ପ୍ରକମ୍ପିତ କଲେ ସମର୍ଥକ
#କଟକ(ଏନ୍.ଏମ୍.): କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳର ବହୁ ଚର୍ଚ୍ଚିତ ଓଟିଏମ ଜମିରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଶିଳାନ୍ୟାସ କରିଛନ୍ତି । ୱେଲସ୍ପନ ଗ୍ରୁପ ପକ୍ଷରୁ ଏକ ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ ମାନୁଫାକ୍ଚରିଂ ଫାସିଲିଟି ଏବଂ ୱେୟାରହାଉସିଂ କମ୍ପେ୍ଲକ୍ସ ନିର୍ମାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବା ସହ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ଏକତ୍ରିତ କରିବା ନିମନ୍ତେ ସ୍ଥାନୀୟ ରାଜନେତା, ସଂଗଠକଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏପରିକି ସ୍ଥାନୀୟ ବିଧାୟକ, ବିଜେଡି କର୍ମୀମାନେ ବିଭିନ୍ନ ଅଞ୍ଚଳରୁ ଜନସାଧାରଣଙ୍କୁ ସଭାସ୍ଥଳକୁ ଆସିବା ବ୍ୟବସ୍ଥା କରିଥିଲେ । ଏହି ପରିପ୍ରେକ୍ଷୀରେ ବିଜେଡିର ନେତ୍ରୀ ରୂପାଲୀ ଲେଙ୍କା ମଧ୍ୟ ଶହସ୍ରାଧିକ ସମର୍ଥଙ୍କୁ ସାଥୀରେ ନେଇ ଏକ ବିରାଟ ରାଲିରେ ମୁଖ୍ୟମନ୍ତ୍ରୀ ଓ ନୂଆ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ଜୟଗାନ କରି ସଭାସ୍ଥଳକୁ ଆସିଥିଲେ । ତେବେ ତାଙ୍କ ରାଲିରେ ଏତେ ଜନସଂଖ୍ୟା ଦେଖି କଥାକଥିତ ରାଜନେତାମାନେ ସହ୍ୟ କରି ପାରିନଥିଲେ । ତେଣୁ ତାଙ୍କ ସମର୍ଥକମାନଙ୍କୁ ହଇରାଣ କରାଯିବା ପାଇଁ ଚକ୍ରାନ୍ତ କରାଯାଇଥିବା ଶ୍ରୀମତୀ ଲେଙ୍କା ଅଭିଯୋଗ କରିଛନ୍ତି । ଏପରିକି ତାଙ୍କ ରାଲିରେ ଯୋଗଦେବାକୁ ଆସିଥିବା ଲୋକଙ୍କ ପାଇଁ ସ୍ଥାନୀୟ ଗୋପବନ୍ଧୁ ସ୍କୁଲ ପଡ଼ିଆରେ ଖାଦ୍ୟ ପ୍ରସ୍ତୁତିର ବ୍ୟବସ୍ଥା କରିଥିଲେ । ସଭାସ୍ଥଳ ସହ ସେହି ସ୍ଥାନର କୌଣସି ସମ୍ପର୍କ ନଥିଲେ ମଧ୍ୟ ପୁଲିସ ପହଞ୍ଚି ସେମାନଙ୍କ ଖାଦ୍ୟ ପ୍ରସ୍ତୁତି ବେଳେ ଆକ୍ରମଣ କରିଥିଲେ । ଏପରିକି ତାଙ୍କ ହାଣ୍ଡି ଚୁଲି ଆଦି ଭାଙ୍ଗିରୁଜି ଦେବା ସହ ଲୋକଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଖାଦ୍ୟ ଫିଙ୍ଗି ଦେଇଥିଲେ । ତଥାପି ଶ୍ରୀମତୀ ଲେଙ୍କାଙ୍କ ସମର୍ଥକମାନେ ଏହାକୁ ସହ୍ୟ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଶୃଙ୍ଖଳାର ସହ ଉପସ୍ଥିତ ରହିଥିଲେ । ତେବେ ଏହା କଥାକଥିତ ରାଜନେତାଙ୍କ ଚକ୍ରାନ୍ତ ବୋଲି ଶ୍ରୀମତୀ ଲେଙ୍କା ଅଭିଯୋଗ କରିବା ସହ ତାଙ୍କ ପ୍ରତି ବଢ଼ୁଥିବା ଜନସମ୍ପର୍କକୁ ଦଳୀୟ ଅନ୍ୟ ରାଜନେତାମାନେ ସହ୍ୟ କରିପାରୁନଥିବା ସେ କହିଛନ୍ତି । ତଥାପି ସେ ଜନସାଧାରଣଙ୍କ ସହ ରହି କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।