ମାଟ୍ରିକ୍ ମୂଲ୍ୟାୟନରେ ତ୍ରୁଟି ଅଭିଯୋଗ: ତାତିଲେ ଛାତ୍ରଛାତ୍ରୀ, ବୋର୍ଡ଼ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ମାଟ୍ରିକ୍ ମୂଲ୍ୟାୟନରେ ତ୍ରୁଟି ଅଭିଯୋଗ: ତାତିଲେ ଛାତ୍ରଛାତ୍ରୀ, ବୋର୍ଡ଼ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ମାଟ୍ରିକ୍ ମୂଲ୍ୟାୟନରେ ତ୍ରୁଟି ଅଭିଯୋଗ: ତାତିଲେ ଛାତ୍ରଛାତ୍ରୀ, ବୋର୍ଡ଼ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
କୌଣସି ତ୍ରୁଟି ହୋଇନାହିଁ, ସ୍କୁଲରୁ ଆସିଥିବା ନମ୍ୱରକୁ ତର୍ଜମା କରି ଦିଆଯାଇଛି- ବୋର୍ଡ଼ ସଭାପତି


କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମହଲରେ ଅସନ୍ତୋଷ ତେଜିବାରେ ଲାଗିଛି । ଏଥି ପାଇଁ ବିଭିନ୍ନ ସ୍କୁଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଆଜି କିଛି ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ଅଭିଯୋଗ ବୋର୍ଡ଼ରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ କରାଯାଇଛି । ଫଳରେ ଛାତ୍ରଛାତ୍ରୀଙ୍କୁ ଆଶାନୁରୂପ ଫଳ ମିଳି ପାରିନାହିଁ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକମାନେ କହିଥିଲେ । ତେବେ ମାଟ୍ରିକ ନମ୍ବର ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନାହିଁ । ସ୍କୁଲମାନଙ୍କରୁ ଯାହା ନମ୍ବର ଆସିଥିଲା ତର୍ଜମା କରି ଦିଆଯାଇଛି । ୨ଟି ପରୀକ୍ଷା ଓ ୪ ବର୍ଷର ପରଫରମାନ୍ସ ଦେଖି ନମ୍ବର ଦିଆଯାଇଛି । କେତେକ ସ୍କୁଲ ଅଧିକ ନମ୍ବର ଦେଇଥିଲେ, ତର୍ଜମା କରି ନମ୍ବର ଦେଇଛୁ । ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନରେ ପରୀକ୍ଷା ଦେଇପାରିବେ । ଯାହା ହୋଇଛି ନିୟମ ଅନୁସାରେ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି ।
ଚଳିତ ବର୍ଷ ବିନା ପରୀକ୍ଷାରେ ଗତ ୨୫ତାରିଖ ଦିନ ମାଟ୍ରିକ ଫରୀକ୍ଷା ଫଳ ପ୍ରକାଶ ପାଇଛି । ଏଥର ୯୭.୮% ଛାତ୍ରଛାତ୍ରୀ ପାସ୍ କରିଛନ୍ତି, ଯାହା ଏକ ରେକର୍ଡ । ମୋଟ ୫, ୭୪, ୧୨୫ ପିଲାଙ୍କର ମୂଲ୍ୟାୟନ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫, ୬୨,୦୧୦ ଜଣ ପାସ୍ କରିଛନ୍ତି । ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ବେଳେ ୪୪୧୨ ପିଲା ଅନୁପସ୍ଥିତ ରହିଥିଲେ । ସେହିପରି ୨୨୫୬ ପିଲାଙ୍କ ମାର୍କ ସ୍କୁଲଗୁଡ଼ିକ ଦେଇ ନାହାନ୍ତି । ତେବେ ବୋର୍ଡ ପକ୍ଷରୁ ଦିଆଯାଇଥିବା ମାର୍କକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ବିଭିନ୍ନ ସ୍କୁଲରୁ ଅସନ୍ତୋଷର ସ୍ୱର ଉଠୁଛି । ଆଜି କଟକ କଲେଜ ଛକ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ମାଟ୍ରିକ୍ ଛାତ୍ରଛାତ୍ରୀ ସ୍କୁଲରେ ହୋହଲ୍ଲା କରିବା ସହିତ ଶିକ୍ଷକଙ୍କୁ ଘେରାଓ କରିଥିଲେ । ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ବୋର୍ଡ ଦେଇଥିବା ନମ୍ବରରେ ତ୍ରୁଟି ରହିଥିବା ଦର୍ଶାଇଛନ୍ତି । ସେମାନଙ୍କୁ ଯେଉଁ ମାର୍କ ମିଳିଛି, ସେହି ଅନୁସାରେ ସେମାନଙ୍କୁ ଭଲ କଲେଜରେ ଯୁକ୍ତ ଦୁଇ ପଢ଼ିବା ପାଇଁ ସୁଯୋଗ ମିଳିବ ନାହିଁ ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ମିଳିଥିବା ମାର୍କ ସେମାନଙ୍କ କ୍ୟାରିୟରେ ଅସୁବିଧା ସୃଷ୍ଟି କରିବ । ଏଥିପାଇଁ ସେମାନେ ପୁନଃ ମୂଲ୍ୟାୟନ ଦାବି କରିଛନ୍ତି । ୫, ୬୨, ୦୧୦ ଜଣ ପାସ୍ କରିଥିବା ବେଳେ ସେମାନଙ୍କ ମଧ୍ୟରେ ୨,୮୦,୩୫୨ ଜଣ ଛାତ୍ର ଥିବା ବେଳେ ୨,୮୧,୬୫୮ ଜଣ ଛାତ୍ରୀ ରହିଛନ୍ତି ।
ସେହିପରି କେବଳ କଟକରେ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ମାଟ୍ରିକ ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀଙ୍କ ମହଲରେ ଅସନ୍ତୋଷ ତେଜିବାରେ ଲାଗିଛି । ଛାତ୍ରଛାତ୍ରୀମାନେ ସ୍କୁଲ୍ ଘେରାଉ କରିବା ସହ ରାସ୍ତା ଅବରୋଧ ମଧ୍ୟ କରିଛନ୍ତି । ଆଜି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଟକ, ପୁରୀ ଓ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ କିଛି ସ୍ଥାନରେ ଦେଖିବାକୁ ମିଳିଛି । କଟକ ବୋର୍ଡ କାର୍ଯ୍ୟାଳୟ ଆଗରେ ମଧ୍ୟ ଅଭିଭାବକଙ୍କ ଭିଡ଼ ଦେଖିବାକୁ ମିଳିଛି । ମୂଲ୍ୟାୟନରେ ତ୍ରୁଟି ଦର୍ଶାଇ ସେମାନେ ରାସ୍ତାରୋକ କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି