ମହଙ୍ଗା ପଡ଼ିଲା ୫ହଜାର ଟଙ୍କା ୨କିଲୋ ଦେଶୀ କୁକୁଡ଼ା: ଭିଜିଲାନ୍ସ ହାତରେ ପଡ଼ିଲେ ଏଆରଆଇ

ମହଙ୍ଗା ପଡ଼ିଲା ୫ହଜାର ଟଙ୍କା ୨କିଲୋ ଦେଶୀ କୁକୁଡ଼ା: ଭିଜିଲାନ୍ସ ହାତରେ ପଡ଼ିଲେ ଏଆରଆଇ

ମହଙ୍ଗା ପଡ଼ିଲା ୫ହଜାର ଟଙ୍କା ୨କିଲୋ ଦେଶୀ କୁକୁଡ଼ା: ଭିଜିଲାନ୍ସ ହାତରେ ପଡ଼ିଲେ ଏଆରଆଇ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ଦୁର୍ନୀତି । କେଉଁଠି ଭେଜାଲ ଖାଦ୍ୟସାମଗ୍ରୀ ପ୍ରସ୍ତୁତି ବିକ୍ରି ଚାଲୁଛି ତ ଆଉ କେଉଁଠି ଲାଞ୍ଚ କାରବାର । ପୁଣି ଆୟବର୍ହିଭୁତ ସମ୍ପତ୍ତି ଠୁଳ । ସମ୍ପ୍ରତି ଯେଉଁ ଦିଗକୁ ଚାହିଁବ ଦୁର୍ନୀତି ହିଁ ଦୁର୍ନୀତି । ଏପରିକି ସରକାରୀ ଅଧିକାରୀମାନେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ମଧ୍ୟ ଲୋକଙ୍କ ଠାରୁ ଉତ୍କୋଚ ନେବାକୁ ପଛାଉ ନାହାନ୍ତି । ତେବେ ଦୁର୍ନୀତିନିବାରଣ (ଭିଜିଲାନ୍ସ) ବିଭାଗ ଅନେକ ଅଧିକାରୀଙ୍କୁ ଧରିଥିଲେ ମଧ୍ୟ ଏ ଦୁର୍ନୀତିର ମୂଳୋତ୍ପାଟନ ହୋଇ ପାରୁନାହିଁ । ତେବେ ଅନେକ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିବା ପରେ ଆଜି ଜଣେ ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର (ଏଆରଆଇ)ଙ୍କ କଳା କାରନାମା ଧରାପଡ଼ିଛି । ନବରଙ୍ଗପୁର ତହସିଲ ଅନ୍ତର୍ଗତ ସାନମସିଗାଁ ରାଜସ୍ୱ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ କାର୍ଯ୍ୟରତ ଜଗଦୀଶ ବେହେରା ନାମକ ଏଆରଆଇ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ।
ଅଭିଯୋଗ ଅନୁଯାୟୀ, ସାନମସିଗାଁର ବୈଜୟନ୍ତୀ ଭତରା ତାଙ୍କ ମା’ କମଳା ଭତରାଙ୍କ ମୃତ୍ୟୁ ପରେ ୩ ମାସ ହେବ ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ନବରଙ୍ଗପୁର ତହସିଲ ଅଫିସରେ ଆବେଦନ କରିଥିଲେ । ଏହାର ତଦନ୍ତ କରିବାକୁ ସାନମସିଗାଁ ଆରଆଇ ଅଫିସକୁ ଚିଠି କରାଯାଇଥିଲା । ଜଗଦୀଶ ବେହେରା ସେଠାରେ ଆରଆଇ ଦାୟିତ୍ୱରେ ଥିବାରୁ ବୈଜୟନ୍ତୀଙ୍କ ସପକ୍ଷରେ ତହସିଲଦାରଙ୍କୁ ରିପୋର୍ଟ ଦେବାକୁ ସେ ୫ ହଜାର ଟଙ୍କା ଓ ୨ କିଲୋ ଦେଶୀ କୁକୁଡ଼ା ମାଂସ ମାଗି ଥିଲେ । ଟଙ୍କା ନଦେଲେ କାମ ହେବନି ବୋଲି ବୈଜୟନ୍ତୀଙ୍କୁ ଜଗଦୀଶ କହିଥିଲେ । ଏପରିକି ବୈଜୟନ୍ତୀ ଯେତେ ନେହୁରା ହୋଇଥିଲେ ମଧ୍ୟ ସେ ଶୁଣିନଥିଲେ । ଫଳରେ ବୈଜୟନ୍ତୀ ବାଧ୍ୟ ହୋଇ ଏ ସମ୍ପର୍କରେ ନବରଙ୍ଗପୁର ଭିଜିଲାନ୍ସକୁ ଜଣାଇଥିଲେ । ବୈଜୟନ୍ତୀ ଯୋଜନା ମୁତାବକ ଆଜି ଜଗଦୀଶଙ୍କୁ ୫ ହଜାର ଟଙ୍କା ଦେଇଥିଲେ । ଏହି ସମୟରେ ଭିଜିଲାନ୍ସ ଅଧିକାରୀମାନେ ଜଗଦୀଶଙ୍କୁ ଧରି ପକାଇଥିଲେ । ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଜଗଦୀଶଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ପରେ ତାଙ୍କର ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଭିଜିଲାନ୍ସ ପକ୍ଷରୁ ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପ୍ରତିବର୍ଷ ବିଭିନ୍ନ ବିଭାଗରେ ଅଧିକାରୀମାନେ ମାନେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରିବାବେଳେ ଯେଉଁ ଶପଥପାଠ କରୁଛନ୍ତି ତାହା କେବଳ ଲୋକଦେଖାଣିଆ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ