ମର୍ମନ୍ତୁଦ ସଡକ ଦୁର୍ଘଟଣା: ଗୋଡ଼ ହରାଇଲେ ଅଟୋ ଡ୍ରାଇଭର

ଆଠଗଡ଼ (ଏନ୍.ଏମ୍.): ସ୍ଥାନୀୟ ଆଠଗଡ଼ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଏକ ଅଟୋରେ ଯାଉଥିବା ୨ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବାବେଳେ ଡ୍ରାଇଭର ଜଣକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଏପରିକି ଡ୍ରାଇଭରଙ୍କର ୨ଟି ଯାକ ଗୋଡ଼ ଛିଣ୍ଡି ଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଆଠଗଡରୁ କନ୍ଦରପୁରକୁ ସଂଯୋଗ କରୁଥିବା ରାସ୍ତାର କେନ୍ଦୁଟୋକଲି ସବରସାହି ନିକଟରେ ଯାଉଥିବା ଏକ ଅଟୋ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଏହି ଅଟୋରେ ଥିବା ତିନିଜଣ ଆହତ ହୋଇଥିବା ବେଳେ ଅଟୋ ଚାଳକଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣାରୁ ପ୍ରକାଶ ଯେ ଆଜି ଅପରାହ୍ନ ସମୟରେ ଆଠଗଡ଼ ରାଧାଗୋବିନ୍ଦପୁର ପେଟ୍ରୋଲ ଟାଙ୍କିରୁ ଅଟୋରେ ପେଟ୍ରୋଲ ପକାଇ ନିଜ ଘର କନ୍ଦରପୁର ଗ୍ରାମକୁ ଗଣେଷ ଖଟୁଆ ଯାଉଥିଲେ । ତେବେ କଇଥ ଛକରୁ ସେହି ଗ୍ରାମର ନିରଞ୍ଜନ ନାୟକ ଓ ମାଳତୀ ସାହୁ ଅଟୋକୁ ଅଟକାଇ ସେଥିରେ ବସିଥିଲେ । ତାଙ୍କୁ ଅଟୋ ନେଇ ଘରକୁ ଯାଉଥିବାବେଳେ କେନ୍ଦୁଟୋକଲି ଶବରସାହି ନିକଟରେ ହଠାତ୍ କୌଣସି କାରଣ ବସତଃ ରାସ୍ତା ଉପରେ ଅଟୋଟି ଓଲଟି ପଡଥିଲା । ଫଳରେ ସେଥିରେ ଥିବା ଦୁଇଜଣ ସାମାନ୍ୟ ଆହତ ହୋଇଥିବାବେଳେ ଅଟୋ ଡ୍ରାଇଭରର ଦୁଇଟି ଗୋଡ଼ ଛିଣ୍ଡିଯାଇ ରକ୍ତାକ୍ତ ଅବସ୍ଥାରେ ରାସ୍ତା ଉପରେ ପଡ଼ି ରହିଥିଲେ । ପ୍ରାୟ ଅଧଘଣ୍ଟା କାଳ ରାସ୍ତା ଉପରେ ପଡ଼ି ରହିବା ପରେ ସ୍ଥାନୀୟ ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତେବେ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି ।