ମର୍ମନ୍ତୁଦ ଦୁର୍ଘଟଣା:ପୋଲରୁ କେନାଲକୁ ଖସିଲା ବସ୍; ୨ ମୃତ, ୩୦ ଗୁରୁତର
#ଢେଙ୍କାନାଳ(ଏନ୍.ଏମ୍.): ଗତକାଲି ବିଳମ୍ବିତ ରାତିରେ ୫୫ନମ୍ବର ଜାତୀୟ ରାଜପଥରେ ଏକ ବସ ଦୁର୍ଘଟଣା ହେବା ଫଳରେ ୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପଞ୍ଚୁବଟି ନିକଟରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ କେନାଲ ପୋଲ ବାଡା ଭାଙ୍ଗି ତଳକୁ ଖସି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ଇଛାପୁର ଗାଁରୁ ୪୩ ଜଣ ସମ୍ବଲପୁର ଓ ବଲାଙ୍ଗୀରର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିବା ପାଇଁ ଯାଇଥିଲେ । ବସଟି ରାତିରେି ୫୫ନମ୍ବର ଜାତୀୟ ରାଜପଥ ସିମିନଈ ପଞ୍ଚୁବଟି ନିକଟରେ ଏକ ବ୍ରିଜ ଅତିକ୍ରମ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ହିଁ କେନ୍ଦ୍ରାପଡା ଇଛାପୁର ଗାଁର ରେଣୁବାଳା ଜେନା ଓ ବିଜୟଲକ୍ଷ୍ମୀ ସ୍ୱାଇଁଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୫ଜଣଙ୍କ ଅବସ୍ଥା ଶଙ୍କଟାପନ୍ନ ହେବାରୁ କଟକ ବଡ଼ମେଡ଼ିକାଲ(ଏସସିବି)କୁ ସ୍ଥାନାନ୍ତର କରାଯାଇଛି । ତେବେ ଖବର ପାଇ ପୁଲିସ୍, ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ହୋଇଥିଲେ ସୁଦ୍ଧା ରାତିରେ ଏହି ଦୁର୍ଘଟଣା ଘଟିଥିବାରୁ ଉଦ୍ଧାର କାର୍ଯ୍ୟ ସାମାନ୍ୟ ବିଳମ୍ବ ହୋଇଥିଲା । ତେବେ ଦୁର୍ଘଟଣା କିଭଳି ଘଟିଲା ସେ ନେଇ ପୁଲିସ ତଦନ୍ତ କରୁଥିବାବେଳେ କୁହୁଡ଼ି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥାଇ ପାରେ ବୋଲି ଆଲୋଚନା ହେଉଛି ।