ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ସମୀକ୍ଷା ବୈଠକ
ଭୁବନେଶ୍ୱର(ଏନ୍.ଏମ୍.): ପ୍ରାଣୀସମ୍ପଦ ଗ୍ରାମାଞ୍ଚଳର ଆର୍ଥିକ ବିକାଶ ଓ କୃଷକମାନଙ୍କର ଆୟବୃଦ୍ଧିର ଏକ ପ୍ରମୁଖ ବାହକ ହୋଇଥିବାରୁ ବିଭାଗୀୟ ଯୋଜନାଗୁଡ଼ିକର ସଫଳ ରୂପାୟନ କରି ଚାଷୀମାନଙ୍କୁ ଏହାର ସୁଫଳ ସିଧାସଳଖ ପହଞ୍ଚାଇବା ଉପରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି । କୃଷି ଭବନଠାରେ ଆୟୋଜିତ ଏକ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ଘର ଅଗଣାରେ କୁକୁଡ଼ାପାଳନ ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ବୃଦ୍ଧି ଦ୍ୱାରା ଗ୍ରାମାଞ୍ଚଳର କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାର, ମହିଳା, ଜନଜାତି ଚାଷୀମାନଙ୍କର ଜୀବିକା ନିର୍ବାହରେ ସହାୟକ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଅଣକାର୍ଯ୍ୟକ୍ଷମ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗୀୟ ଫାର୍ମଗୁଡ଼ିକ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଏବଂ ମତ୍ସ୍ୟ ଅବତରଣ କେନ୍ଦ୍ରଗୁଡ଼ିକର ବିକାଶ ଓ ସଂଖ୍ୟା ବୃଦ୍ଧି ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଚାଷୀମାନଙ୍କ ସଚେତନତା ବୃଦ୍ଧି ନିମନ୍ତେ ବିଭାଗୀୟ ସୂଚନା, ଶିକ୍ଷା, ପ୍ରସାରଣ କାର୍ଯ୍ୟକ୍ରମ ଅଧିକ ପ୍ରଭାବୀ କରିବା ପାଇଁ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ଯୋଜନାଗୁଡ଼ିକର ଦ୍ରୁତ କାର୍ଯ୍ୟାନ୍ୱୟନ ଓ ସ୍ୱଚ୍ଛତା ନିମନ୍ତେ ନୂତନ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରିବା ଏବଂ ବ୍ଲକ୍ ଓ ପଞ୍ଚାୟତସ୍ତରରେ ଖାଲିଥିବା ବିଭାଗୀୟ ପଦବୀଗୁଡ଼ିକର ପୂରଣ ନିମନ୍ତେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଆର. ରଘୁପ୍ରସାଦ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଡକ୍ଟର ୟେଦୁଲ୍ଲା ବିଜୟ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।