ଭାରତୀୟ ନୌବାହିନୀକୁ ଏକାଦଶ ବୋଇଂ ପି-୮ଆଇ ବିମାନ ପ୍ରଦାନ
#ନୂଆଦିଲ୍ଲୀ(ଏନ୍.ଏମ୍.): ଭାରତୀୟ ନୌବାହିନୀକୁ ଏକାଦଶତମ ବୋଇଂ ପି-୮ଆଇ ବିମାନ ମିଳିଛି । ଆମେରିକାର ଅଗ୍ରଣୀ ପ୍ରତିରକ୍ଷା ଉତ୍ପାଦନକାରୀ କମ୍ପାନୀ ବୋଇଂ ଏହି ବିମାନ ନିର୍ମାଣ କରିଛି । ବୁଡାଜାହାଜ ବିଧ୍ୱଂସୀ ଲଢେଇରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଏହି ବିମାନ ସମର୍ଥ ବୋଲି ନୌବାହିନୀ ପକ୍ଷରୁ କୁହାଯାଇଛି । ଏହି ଲଙ୍ଗ ରେଞ୍ଜ ମେରିଟାଇମ ରେକନିସାନ୍ସ ଆଣ୍ଟି ସବମାରାଇନ ୱାରଫେୟାର (ଏଲଆରଏମଆରଏଏସଡବ୍ଲୁ) ସିଆଟଲରୁ ଆସି ଗୋଆରେ ପହଞ୍ଚିଛି ।
ସୂଚନାଯୋଗ୍ୟ ଯେ, ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୮ଟି ବୋଇଂ ପି-୮ଆଇ ବିମାନ ଖରିଦ କରିବାକୁ ୨୦୦୯ମସିହାରେ ଏକ ରାଜିନାମାରେ ସ୍ୱାକ୍ଷର ହୋଇଥିଲା । ସେହିଭଳି ୨୦୧୬ ମସିହାରେ ଆଉ ୪ଟି ପି-୮ଆଇ କ୍ରୟ କରିବାକୁ ମଧ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଦ୍ୱିତୀୟ ଦଫାରେ ୪ଟି ବିମାନ କ୍ରୟ ସକାଶେ ହୋଇଥିବା ରାଜିନାମା ପର୍ଯ୍ୟାୟରେ ଏହା ତୃତୀୟ ବିମାନ ଭାବରେ ଭାରତକୁ ହସ୍ତାନ୍ତର କରାଯାଇଛି । ଏହି ପର୍ଯ୍ୟାୟର ୪ଟି ବିମାନ ମଧ୍ୟରୁ ପ୍ରଥମ ବିମାନ ୨୦୨୦ ନଭେମ୍ବରରେ ଭାରତକୁ ଆସିଥିଲା । ତାହାପରେ ଦ୍ୱିତୀୟ ବିମାନଟି ଚଳିତ ବର୍ଷ ଜୁଲାଇରେ ଭାରତକୁ ମିଳିଥିଲା । ମିଳିଥିବା ଖବର ଅନୁଯାୟୀ ଏହି ବିମାନ ୨୦୧୩ ମସିହାରେ ଭାରତୀୟ ନୌବାହିନୀରେ ସାମିଲ ହେବା ପରଠାରୁ ୩୦ ହଜାର ଘଣ୍ଟାରୁ ଅଧିକ ଉଡାଣ କରିସାରିଛି । ଏହାର ସାମୁଦ୍ରିକ ଅଞ୍ଚଳରେ ସତର୍କ ଦୃଷ୍ଟି ରଖିବା ସହିତ ବୁଡାଜାହାଜ ବିଧ୍ୱଂସୀ ଲଢେଇ କ୍ଷେତ୍ରରେ ଅତୁଳନୀୟ କ୍ଷମତା ରହିଛି । ଏଥି ସହିତ ରିଲିଫ ଏବଂ ମାନବୀୟ ସହାୟତା ଅଭିଯାନ ସମୟରେ ମଧ୍ୟ ଏହାକୁ ନିୟୋଜିତ କରାଯାଉଛି । ବୋଇଂ ପକ୍ଷରୁ କୁହାଯାଇଛି ଯେ, ଭାରତରେ ବର୍ଦ୍ଧିତ ସଂଖ୍ୟାରେ ପି-୮ଆଇ ବିମାନଗୁଡିକ ପରିଚାଳନା କରିବାକୁ ଏହା ଭାରତର ନୌବାହିନୀ ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ଦେଉଛି । ବିମାନଗୁଡିକର ରକ୍ଷଣାବେକ୍ଷଣ ନିମନ୍ତେ ଲଜିଷ୍ଟିକ୍ସ ସହାୟତା ଯୋଗାଇ ଦେଉଥିବା କୁହାଯାଇଛି ।