ଭଦ୍ରକରେ ଆତଙ୍କ: ଗୁଳି ଫୁଟାଇ ମେଡ଼ିସିନ ଷ୍ଟୋରରୁ ଲୁଟ୍
ଭଦ୍ରକ(ଏନ୍.ଏମ୍.): ଦିନକୁ ଦିନ ଭଦ୍ରକ ଏବେ ଅସୁରକ୍ଷିତ ହୋଇ ଗଲାଣି । ଏଠାରେ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ ବୃଦ୍ଧି ପାଇବା ଯୋଗୁଁ ସାଧାରଣ ଜନତା ନିଜକୁ ଅସୁରକ୍ଷିତ ମଣିଲେଣି । ଏପରିକି ଦୁବୃତ୍ତମାନେ ଗୁଲି ଫୁଟାଇ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରୁ ଲୁଟ କରିବା ଘଟଣା ଜାଣିବା ପରେ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଲେଣି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ଆରଡି ଛକରେ ଏକ ମେଡ଼ିସିନ ଷ୍ଟୋରରେ ଗୁଳିଗୁଳି ଫୁଟାଇ ଭୟଭୀତ କରାଇ ଦୁବୃତ୍ତମାନେ ଲୁଟ କରିଥିବା ଜଣାପଡ଼ିଛି । ଆରଡିଛକ ନିକଟରେ ଥିବା ମାନବଜ୍ୟୋତି ମେଡିସିନ ଷ୍ଟୋରରୁ ଦୁର୍ବୃତ୍ତମାନେ ତିନୋଟି ମୋବାଇଲ ସହିତ ପ୍ରାୟ ୩୦ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି । ଅଭିଯୋଗ ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଦୁଇଟି ବାଇକରେ ୬ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ମାନବଜ୍ୟୋତି ମେଡ଼ିସିନ ଷ୍ଟୋରରେ ପହଞ୍ଚିଥିଲେ । ଏହାପରେ ଷ୍ଟୋରର ମାଲିକଙ୍କୁ ଟଙ୍କା ମାଗିଥିଲେ । ମାତ୍ର ଷ୍ଟୋର ମାଲିକ ଟଙ୍କା ଦେବାକୁ ମନା କରିବାରୁ ତାଙ୍କ ଉପରୁକୁ ଦୁଇ ଦୁର୍ବୃତ୍ତ ଗୁଳି ଫୁଟାଇଥିଲେ । ସୌଭାଗ୍ୟବଶତଃ ଗୁଳିଟି ମେଡିସିନ ଷ୍ଟୋର ମାଲିକଙ୍କ ଦେହରେ ନ ବାଜି ଦୋକାନରେ ବାଜିଥିଲା । ଗୁଳି ଶବ୍ଦ ଶୁଣି ମେଡିସିନ ଷ୍ଟୋର ମାଲିକ ସମେତ ଅନ୍ୟ ପାଖ ଲୋକମାନେ ଭୟରେ ଦୌଡ଼ି ପଳାଇଥିଲେ । ଏହି ସୁଯୋଗରେ ଦୁର୍ବୃତ୍ତମାନେ ମେଡ଼ିସିନ ଷ୍ଟୋରରୁ ୩ଟି ମୋବାଇଲ ଓ ପ୍ରାୟ ୩୦ ହଜାର ଟଙ୍କା ଲୁଟ୍ କରି ପଳାଇଥିଲେ । ଖବର ପାଇ ଗ୍ରାମାଞ୍ଚଳ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଦୋକାନର ସିସିଟିଭିର ହାର୍ଡଡିସ୍କ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । କେଉଁମାନେ ଏହି ଲୁଟରେ ସମ୍ପୃକ୍ତ ଅଛନ୍ତି, ସେନେଇ ଅନୁସନ୍ଧାନ ଚାଲିଛି ଏବଂ ସେମାନଙ୍କୁ ଖୁବଶିଘ୍ର ଧରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।