ବ୍ରିଜ୍ ଉପରୁ ପିଲାକୁ ଧରି ମା’ର ଆତ୍ମହତ୍ୟା ଉଦ୍ୟମ: ବଞ୍ଚାଇ ଦେଲେ ଟ୍ରାଫିକ୍ କର୍ମଚାରୀ
#କଟକ(ଏନ୍.ଏମ୍.): କଟକ ମଧୁପାଟଣା ବ୍ରିଜ୍ ଉପରୁ ପିଲାକୁ ଧରି ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରୁଥିବାବେଳେ କୌଶଳକ୍ରମେ ଟ୍ରାଫିକ କର୍ମଚାରୀ ତାଙ୍କୁ ବଞ୍ଚାଇ ଦେଇଛନ୍ତି । ତେବେ ଟ୍ରାଫିକ୍ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁଇଟି ଜୀବନ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ ସମୟରେ ଜଣେ ମହିଳା ମଧୁପାଟଣା ଓଭର ବ୍ରିଜ ବାଡ଼ା ଉପରକୁ ଚଢ଼ିଯାଇଥିଲେ । ଏବଂ ସେଠାରୁ ତଳ ରାସ୍ତାକୁ ଡେଇଁବା ପାଇଁ ଉଦ୍ୟମ କରୁଥିବାବେଳେ ସଠିକ ସମୟରେ ଟ୍ରାଫିକ କର୍ମଚାରୀ ତପନ କୁମାର ଦାସ ତାଙ୍କ ପଛ ପଟେ ଯାଇ ହଠାତ ତାଙ୍କୁ ଟାଣି ଆଣିଥିଲେ । ଫଳରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ ପଣ୍ଡ ହୋଇଥିଲା । ତେବେ ଟ୍ରାଫିକ କର୍ମଚାରୀ ଶ୍ରୀ ଦାସ ଉକ୍ତ ମହିଳାଙ୍କୁ ଧରି ଥାନାକୁ ନେଇଥିଲେ । ପୁଲିସ ଉକ୍ତ ମହିଳାଙ୍କୁ ଅଟକ ରଖି ଏଭଳି ଉଦ୍ୟମ ସମ୍ପର୍କରେ ପଚରାଉଚରା କରିବା ସହ ଆତ୍ମହତ୍ୟା ନକରି ଧୈର୍ଯ୍ୟସହ ସମସ୍ୟାର ସମାଧାନ କରିବାକୁ ବୁଝାଉଥିବା ଜଣାପଡ଼ିଛି । ତେବେ ଉକ୍ତ ମହିଳା ଜଣକ କଟକ ଜିଲ୍ଲା ତିଗିରିଆ ଅଞ୍ଚଳର ହୋଇଥିବା ବେଳେ ତାଙ୍କର ନାମ ପ୍ରଣତୀ ସାହାଣୀ ବୋଲି ଜଣାପଡ଼ିଛି ।