ବୋର୍ଡ଼ର ପ୍ରସ୍ତୁତି ଶେଷ: ପରୀକ୍ଷା ଦେବେ ରାଜ୍ୟରେ ୫ଲକ୍ଷ ୭୬ହଜାର ୩୮୭ ଛାତ୍ରଛାତ୍ରୀ
କଟକ(ଏନ୍.ଏମ୍.): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ନୂତନ ପଦ୍ଧତିରେ ମାଟ୍ରିକ ପରୀକ୍ଷା କରାଯିବ । ଏଥିଲାଗି ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତ ଶେଷ ହୋଇଥିବା ବୋର୍ଡ଼ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଆସନ୍ତା କାଲି (ବୁଧବାର) ଠାରୁ ଦଶମ ସମ୍ମେଟିଭ ଆସୋସମେଣ୍ଟ-୧ ଆରମ୍ଭ ହେବ । ଏହି ପରୀକ୍ଷା ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ୨ଟି ସିଟିଂରେ ପରୀକ୍ଷା କରାଯିବ । ସକାଳ ୮ଟାରୁ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବ । ପ୍ରତିଦିନ ଦିନ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ । ପ୍ରଥମ ତିନି ଦିନ ୨ଟି ସିଟିଂରେ ଲିଖିତ ଓ ଶେଷ ଦିନ କେବଳ ପ୍ରାକ୍ଟିକାଲ ପରୀକ୍ଷା ହେବ । ପ୍ରଥମ ଦିନରେ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ମାତୃଭାଷା ବିଷୟରେ ପରୀକ୍ଷା ହେବାକୁ ଥିବାବେଳେ ମଧ୍ୟାହ୍ଣ ୧୨ଟାରୁ ଅପରାହ୍ଣ ୧ଟା ୧୫ ମିନିଟ ପର୍ଯ୍ୟନ୍ତ ଗଣିତ ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜିରା ସୂଚନା ଦେଇଛନ୍ତି ।
ଚଳିତ ବର୍ଷ ରାଜ୍ୟରେ ୩ ହଜାର ୧୪୩ଟି କେନ୍ଦ୍ରରେ ମୋଟ ୫ ଲକ୍ଷ ୭୬ ହଜାର ୩୮୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେଥିପାଇଁ ୩୧୧ଟି ନୋଡାଲ କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯାଇଛି । କେନ୍ଦ୍ର ମାନଙ୍କରେ କପି ଧରିବା ଲାଗି ୧୧୨ଟି ସ୍କ୍ୱାର୍ଡ ଗଠନ କରାଯାଇଛି । ତେବେ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ ନେବାକୁ ବୋର୍ଡ ତରଫରୁ ବାରଣ କରାଯାଇଛି । ପରୀକ୍ଷା କେନ୍ଦ୍ରର ଅଧିକ୍ଷକ ମଧ୍ୟ ପରୀକ୍ଷା ହଲକୁ ଯିବା ପୂର୍ବରୁ ନିଜ ମୋବାଇଲକୁ ଲକରରେ ରଖି ଯିବେ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅନ୍ୟପକ୍ଷରେ କରୋନା ସଂକ୍ରମଣ ଦୃଷ୍ଟିରୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ବ୍ୟାପକ ସତର୍କତା ଅବଲମ୍ବନ କରିବାକୁ ବୋର୍ଡ ପକ୍ଷରୁ କେନ୍ଦ୍ର ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ରୁମରେ ୨୪ ଜଣ ଲେଖାଏଁ ପିଲା ବସିବେ । ଛାତ୍ରଛାତ୍ରୀ ଏବଂ ପରିକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକଙ୍କ ମଧ୍ୟରୁ ଯଦି କେହି କରୋନା ସଂକ୍ରମିତ ଥିବେ କିମ୍ବା ସାମାନ୍ୟ ଲକ୍ଷଣ ଦେଖାଯାଏ ତେବେ ସେମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଲାଗି ଅନୁମତି ଦିଆଯିବନାହିଁ । ସେହିପରି କୌଣସି ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅନୁପସ୍ଥିତ ରହିଲେ ସେମାନଙ୍କୁ ପୂର୍ବରୁ ହୋଇଥିବା ଦୁଇଟି ଫର୍ମେଟିଭ ପରୀକ୍ଷାର ନମ୍ବର ଅଧାରରେ ମୂଲ୍ୟାଙ୍କନ କରାଯିବ । ହାଇସ୍କୁଲ ସାର୍ଟିଫିକେଟ(ରେଗୁଲାର) ଲାଗି ୩ହଜାର ୯୩ଟି କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୩୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେହିପରି ସଂସ୍କୃତ ମଧ୍ୟମାର ୪ହଜାର ୪୫୨ଜଣ ଛାତ୍ରଛାତ୍ରୀ ୫୦ ଟି କେନ୍ଦ୍ରରେ ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଛି । ପରୀକ୍ଷା ନିମନ୍ତେ ଚର୍ତୁଃସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସ୍କୁଲସ୍ତରୀୟ ବ୍ୟତୀତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ପକ୍ଷରୁ ମୋଟ ୭୨ଟି ସ୍କ୍ୱାର୍ଡ ଗଠନ କରାଯାଇଥିବାବେଳେ ବୋର୍ଡ ପକ୍ଷରୁ ୪୦ଟି ସେଣ୍ଟ୍ରାଲ ସ୍କ୍ୱାର୍ଡ ଗଠନ ହୋଇଛି । ପ୍ରଶାସନିକ ସ୍ତରରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ ଲାଗି ମଧ୍ୟ ଜିଲ୍ଲାପାଳଙ୍କ ମାନଙ୍କୁ ବୋର୍ଡ ପକ୍ଷରୁ ଚିଠି କରାଯାଇଛି ।