ବିଭିନ୍ନ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିଏମସି ବିଜେଡି କର୍ପୋରେଟର
ଅତିଷ୍ଠ ହେଉଛି ଅଫିସର ରାଜ!

#କଟକ(ଏନ୍.ଏମ୍.): କଟକ ସହରର ବିଭିନ୍ନ ସମସ୍ୟା ନେଇ ଆଜି ଦଳୀୟ କର୍ପୋରେଟରମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଦୀର୍ଘ ଦିନ ଧରି ସିଏମସିର ଅଫିସର ରାଜ ଚାଲିଥିବାବେଳେ ଏବେ ନିର୍ବାଚନ ପ୍ରତିନିଧି(ୟୁଏଲବି)ଙ୍କୁ ସର୍ବଦା ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ସିଏମସିର ଅଧିକାରୀମାନେ କର୍ପୋରେଟରଙ୍କ କୌଣସି କଥା ଶୁଣୁନଥିବା ଭଳି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସଂଗୀନ ଅଭିଯୋଗ କରାଯାଇଛି । ତେବେ କିଛି ଦିନ ତଳେ ଅଧିକାରୀମାନଙ୍କ ମନୋମୁଖୀ କାର୍ଯ୍ୟ ପ୍ରତିବାଦରେ ସିଏମସିର କର୍ପୋରେଟରମାନେ ପ୍ରତିବାଦ କରିବା ସହ ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ ଅଧିକାରୀ ଓ କର୍ପୋରେଟରଙ୍କ ମଧ୍ୟରେ ତୁତୁ ମେମେ ଚାଲିଥିଲା । ତେବେ ଆଜି ଏ ନେଇ କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ସମସ୍ତ ବିଜେଡି କର୍ପୋରେଟର ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଏପରିକି ନିଜ ନିଜ ୱାର୍ଡ଼ରେ ରହିଥିବା ସମସ୍ୟା, ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା କରାଯିବା ଉପରେ ଆଲୋଚନା କରିଥିଲେ । ତେବେ ଏ ନେଇ ମୁଖ୍ୟମନ୍ତ୍ରୀ ଖୁବ ଶିଘ୍ର ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଥି ସହିତ କଟକ ସହରର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତେ ମିଳିମିଶି କାମ କରିବା ତଥା କୌଣସି କର୍ପୋରେଟର ବିଶୃଙ୍ଖଳା ଆଚରଣ ନକରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ଓଡ଼ିଶା ମୋ ପରିବାର କଟକ ସିଟି ଅଧ୍ୟକ୍ଷ ଡକ୍ଟର ରଞ୍ଜନ କୁମାର ବିଶ୍ୱାଳଙ୍କ ସମେତ ବହୁ ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ ।