ବିପର୍ଯ୍ୟୟ ରାସ୍ତାକୁ ତୁରନ୍ତ ମରାମତି କରିବାକୁ ଅଞ୍ଚଳବାସୀଙ୍କ ଦାବି
ଜଗତପୁର(ଏନ୍.ଏମ୍.): କଟକ ମହାନଗର ନିଗମ ଅନ୍ତର୍ଗତ ଜଗତପୁର ମହାନଦୀ ଜିରୋ ପଏଣ୍ଟ ଠାରୁ ପୁରୁଣା ଶିଳ୍ପାଞ୍ଚଳ ପର୍ଯ୍ୟନ୍ତ କେନ୍ଦ୍ରାପଡା କେନାଲ ରାସ୍ତା ଦୀର୍ଘ ବର୍ଷ ଧରି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି । ଏହି ରାସ୍ତା ଦେଇ ମୁଖ୍ୟତଃ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନିମପୁର ଉଚ୍ଚ ବିଦ୍ୟାଳୟ, ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, କୃଷ୍ଣେଶ୍ୱର ମନ୍ଦିର ଓ ମୂଖ୍ୟ ବଜାରକୁ ଏହି ରାସ୍ତା ଦେଇ ଶହ ଶହ ଛାତ୍ର ଛାତ୍ରୀ ଓ ସାଧାରଣ ଲୋକେ ପ୍ରତିଦିନ ଯାତୟାତ କରିଥାନ୍ତି । ବିଦ୍ୟାଳୟ ଛାତ୍ର ଛାତ୍ରୀମାନେ ବିପର୍ଯ୍ୟୟ ରାସ୍ତାରେ ସ୍କୁଲ, କଲେଜ ଯିବା ବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି । ପୁନଶ୍ଚ ରାତ୍ରୀ ସମୟରେ ବି ଏହି କେନାଲ ବନ୍ଧ ରାସ୍ତାରେ କେଉଁଠି ଲାଇଟ ଜଳୁଛି ତ ଆଉ କେଉଁଠି ଜଳୁନାହିଁ । ଫଳରେ ଅନ୍ଧାର ରାସ୍ତାରେ ବାଇକ ଓ ସାଇକେଲ ଆରୋହୀମାନେ ଏହି ଖାଲ ଖମା ରାସ୍ତାରେ ଯାତାୟାତ ସମୟରେ ନାନାଦି ଅସୁବିଧାର ସମୁଖିନ ହେଉଛନ୍ତି । ଅନ୍ୟପକ୍ଷରେ ରାସ୍ତାରେ ବିଭିନ୍ନ ସ୍ଥାନରେ ବଡବଡ ଗର୍ତ୍ତ ସୃଷ୍ଟି ହୋଇ ଏଥିରେ ବର୍ଷା ଜଳ ଭର୍ତ୍ତି ହୋଇଯାଉଥିବାରୁ ରାସ୍ତାରେ ଯାତୟାତ କରୁଥିବା ସାଇକେଲ ଓ ବାଇକ ଆରୋହୀମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ବିଶେଷ କରି ଏହିରାସ୍ତା ଦୀର୍ଘ ବର୍ଷ ଧରି ମରାମତି ହେଉନଥିବାରୁ କେତେକ ସ୍ଥାନରେ ରାସ୍ତା କଡରୁ ମାଟି ବାଲି ଗୋଡି ପ୍ରଭୃତି କେନାଲ ଭିତରକୁ ଧସେଇ ଯାଇଥିବାର ଦେଖିବାକୁ ମଧ୍ୟ ମିଳିଛି । ତେଣୁ ତୁରନ୍ତ ଏହି ରାସ୍ତାର କେନାଲ ପାଶ୍ୱର୍ରେ ତାର ଜାଲି ଘେରାଇବା ଓ ରାସ୍ତା ମରାମତି କରିବାକୁ ସାଧାରଣ ଲୋକେ ଦାବି କରିଛନ୍ତି । ବିଭାଗ ପକ୍ଷରୁ ଏଥି ପ୍ରତି ତୁରନ୍ତ ପଦକ୍ଷେପ ନନେଲେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।