ବିଦ୍ୟାଳୟକୁ ଗଣମାଧ୍ୟମ ପ୍ରବେଶରେ ଅଙ୍କୁଶ ପ୍ରତିବାଦ
କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ଜଗତପୁର(ଏନ୍.ଏମ୍.): ବିଦ୍ୟାଳୟ ପରିସରକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ କରିବା ଏବଂ ଯଦି ଯିବେ ତେବେ ଉକ୍ତ ସାମ୍ବାଦିକଙ୍କ ନାମରେ ଏଫ.ଆଇ.ଆର ଦିଆଯିବ । ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ଏକ ବିଜ୍ଞପ୍ତି ପ୍ରକାଶ ପାଇବା ଲୋକତନ୍ତ୍ର ପାଇଁ କୁଠାର ଘାତ ଓ ଏହାକୁ ନିନ୍ଦା କରିବା ସହ ଏହାକୁ ପ୍ରତ୍ୟାହାର ଦାବିରେ କଟକ-ଚୌଦ୍ୱାର ବିକାଶ ପରିଷଦ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ପରିଷଦ ସଭାପତି ମାନସ ପରିଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜଗତପୁର ସ୍ଥିତ ଟାଙ୍ଗୀ-ଚୌଦ୍ୱାର ତହସିଲଦାର ଅଜୟ କୁମାର ମଲ୍ଲିକଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଓଡ଼ିଶାର ବିପର୍ଯ୍ୟସ୍ତ ଶିକ୍ଷାବ୍ୟବସ୍ଥା ଓ ସ୍ମାର୍ଟ ସ୍କୁଲର ବାସ୍ତବ ଚିତ୍ର ଆସିଯିବା ଭୟରେ ଗଣମାଧ୍ୟମକୁ ସ୍କୁଲ ବ୍ୟାନ କରାଯାଇଛି ବୋଲି ପରିଷଦ ପକ୍ଷରୁ ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ସଚ୍ଚିବାଳୟ, ବିଧାନସଭା, ବଡ଼ମେଡିକାଲ, ସାମ୍ବାଦିକଙ୍କୁ ବନ୍ଦ ଥିବାବେଳେ ଏବେ ବିଦ୍ୟାଳୟ ପରିସରକୁ ଯିବା ମନା ଅତ୍ୟନ୍ତ ନିନ୍ଦା ଜନକ । ବିଭିନ୍ନ ସମୟରେ ଗଣମାଧ୍ୟମ ଗ୍ରାଉଣ୍ଡ ଜିରୋକୁ ଯାଇ ବାସ୍ତବ ଚିତ୍ର ପରିବେଷଣ କରିବା ଦ୍ୱାରା ପ୍ରଶାସନ ଓ ସରକାର ସଚେତନ ହୁଅନ୍ତି ଓ ସମସ୍ୟାର ନିରାକରଣ ତ୍ୱରିତ ହୋଇଥାଏ । ମାତ୍ର ସରକାର ଓ ପ୍ରଶାସନର ଏପରି ଗଣମାଧ୍ୟମକୁ ବାରଣ ନୀତି ବାସ୍ତବ ଚିତ୍ରକୁ ଲୁଚେଇବା ପାଇଁ ଉଦ୍ଦିଷ୍ଟ ବୋଲି ପରିଷଦ ଅଭିଯୋଗ କରିଛି । ଏଥି ସହିତ ସମ୍ପ୍ରତି ରାଜ୍ୟରେ ବିଭିନ୍ନ ସମୟରେ କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣର ମାତ୍ରା ମଧ୍ୟ ବଢି ବଢି ଚାଲିଛି । ଏପରି ସମୟରେ ଏଭଳି ଅଙ୍କୁଶ ଲଗେଇବା ଗଣତନ୍ତ୍ର ପରି କୁଠାରଘାତ ଏବଂ ଗଣମାଧ୍ୟମର ସ୍ୱାଧୀନତା ନଷ୍ଟ ହେଉଛି । ତେଣୁ ଏପରି ନିଷ୍ପତ୍ତିକୁ ସରକାର ଓ ପ୍ରଶାସନ ପ୍ରତ୍ୟାହାର କରିବାକୁ ପରିଷଦ ଦାବି କରିଛି । ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ପରିଡାଙ୍କ ସହିତ ତୀର୍ଥାନନ୍ଦ ପଣ୍ଡା, ଅଲେଖ ଚନ୍ଦ୍ର ବେହେରା, ଯୁବନେତା ସୁକାନ୍ତ ସାହାଣୀ, ସୂର୍ଯ୍ୟକାନ୍ତ ରାଉତ, ବସ୍ତିସଙ୍ଘ ନେତା ଚିତ୍ତରଞ୍ଜନ ମହାନ୍ତି, କିଶୋର ନାୟକ, ବରିଷ୍ଠ ନାଗରିକ ଗୋବର୍ଦ୍ଧନ ସାହୁ, ଛାତ୍ର ନେତା ଜଗନ୍ ସାହୁ, କାଉନସିଲର ଦିଲ୍ଲୀପ ଭୂୟାଁ, ରାଜୀବ ମହାନ୍ତି, ସୁବାସ ସୁବୁଦ୍ଧିରାୟ, ଉମାଶଙ୍କର ସାମଲ, ଜୟନାରାୟଣ ତ୍ରିପାଠୀ, ଶ୍ରମିକ ନେତା ପ୍ରବୀର ରଥ, ମନୋରଞ୍ଜନ ସାସମଲ, ନଗେନ୍ଦ୍ର ମହାପାତ୍ର, ସୁଶୀଲ ମହାନ୍ତି, ରଞ୍ଜନ ବେହେରା, ବାମାଚରଣ ଦାସ, ମନୋଜ ସାହୁ ପ୍ରମୁଖ ଉପସ୍ଥିତଥିଲେ ।
News by Kanhucharan Panda (Cuttack)