ବସର ପ୍ରଥମ ପାସେଞ୍ଜର ଭାବେ ମହିଳାଙ୍କୁ ବାରଣ କଲେ ଜରିମାନା ଗଣିବେ ମାଲିକ
#କଟକ (ଏନ୍.ଏମ୍.): ବସରେ ପ୍ରଥମ ମହିଳା ଯାତ୍ରୀଙ୍କୁ ଉଠାଇଲେ ଅମଙ୍ଗଳ ହେବ; ଏଭଳି ଅନ୍ଧବିଶ୍ୱାସ ଦୀର୍ଘ ଦିନ ଧରି ଚାଲି ଆସିଛି । ତେଣୁ ବସ ଯାତ୍ରା ଆରମ୍ଭ କରିବା ବେଳେ ମହିଳା ଯାତ୍ରୀଙ୍କୁ ନ ଉଠାଇ ପ୍ରଥମେ ପୁରୁଷ ଯାତ୍ରୀଙ୍କୁ ବସ କର୍ମଚାରୀମାନେ ଉଠାଇଥାନ୍ତି । ତେବେ ଏଭଳି ଅନ୍ଧ ବିଶ୍ୱାସକୁ ଦୂର କରିବା ପାଇଁ ରାଜ୍ୟ ପରିବହନ ବିଭାଗ କଠୋର ପଦକ୍ଷେପ ନେଇଛନ୍ତି । ଏଣିକି ମହିଳା ଯାତ୍ରୀଙ୍କୁ ଯଦି କୌଣସି ବସ କର୍ମଚାରୀ ପ୍ରଥମେ ପାସେଞ୍ଜର ଭାବେ ଉଠାଇବାକୁ ବାରଣ କରିବେ, ସଂପୃକ୍ତ ବସ୍ ମାଲିକଙ୍କୁ ଜରିମାନା ଦେବାକୁ ପଡ଼ିବ । ବସର ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବାରଣ ଅଭିଯୋଗ ମାମଲା ଉପରେ ରାଜ୍ୟ ପରିବହନ ବିଭାଗ ସଚିବ ଏଭଳି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ମହିଳାଙ୍କୁ ପ୍ରଥମ ପାସେଞ୍ଜର ଭାବେ ବାରଣ କଲେ ଦଣ୍ଡ ଦିଆଯିବ ବୋଲି ନିର୍ଦ୍ଦେଶନାମାରେ ରାଜ୍ୟ ପରିବହନ ସଚିବ ଉଲ୍ଲେଖ କରିଛନ୍ତି । ଏନେଇ ରାଜ୍ୟର ସବୁ ଆରଟିଓ ମାନଙ୍କୁ ସଚିବ ଚିଠି କରିଛନ୍ତି । ତା’ସହ ନିୟମିତ ଯାଞ୍ଚ କରିବାକୁ ରାଜ୍ୟର ସମସ୍ତ ଆରଟିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେଉଁଠି ଯଦି ମହିଳାଙ୍କୁ ପ୍ରଥମେ ବସ୍ ଉପରେ ଚଢ଼ିବା ପାଇଁ ବାରଣ କରାଯାଏ, ତେବେ ସଂପୃକ୍ତ ବସ୍ ମାଲିକଙ୍କ ବିରୋଧରେ ଇ-ଚାଲାଣ କାଟିବାକୁ ରାଜ୍ୟ ପରିବହନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଅପରପକ୍ଷେ ଏଭଳି ନିର୍ଦ୍ଦେଶନାମା ଆସିବା ପରେ ଆଜି କଟକ ବାଦାମବାଡ଼ି ବସଷ୍ଟାଣ୍ଡରେ ବସ ମାଲିକ ସଂଘ ପକ୍ଷରୁ ବସର କର୍ମଚାରୀମାନଙ୍କ ଉଦ୍ଦେଶ୍ୟରେ ସରକାରୀ ନିୟମ ପାଳନ ପାଇଁ ଡାକବାଜି ଜରିଆରେ ପ୍ରଚାର କରାଯାଇଛି ।