ବଦଳିଲା ‘ଖେଳରତ୍ନ ପୁରସ୍କାର’ର ନାମ

ବଦଳିଲା ‘ଖେଳରତ୍ନ ପୁରସ୍କାର’ର ନାମ

ବଦଳିଲା ‘ଖେଳରତ୍ନ ପୁରସ୍କାର’ର ନାମ


ନୂଆଦିଲ୍ଲୀ (ଏଜେନ୍ସି): ଦେଶର କ୍ରୀଡ଼ାବିତ୍‌ମାନଙ୍କୁ ପ୍ରଦାନ କରାଯାଉଥିବା ସମ୍ମାନଜନକ ‘ଖେଳରତ୍ନ ପୁରସ୍କାର’ର ନୂତନ ନାମ କରଣ କରାଯାଇଛି । ପୂର୍ବରୁ ଏହାକୁ ‘ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର’ କୁହାଯାଉଥିବା ବେଳେ ଏବେ ଏଥିରୁ ରାଜୀବ ଗାନ୍ଧୀଙ୍କ ନାମକୁ ହଟାଇ ଦିଆଯାଇଛି । ତା’ସହିତ ଏହାକୁ ‘ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ ପୁରସ୍କାର’ ନାଁରେ ନାମିତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନ ପୁରସ୍କାରର ନାମ ଘୋଷଣା କରିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ଗତ ଗୁରୁବାର ବ୍ରୋଞ୍ଜ ପଦକ ଜିତି ଥିବାବେଳେ ପ୍ରଧାନମନ୍ତ୍ରୀ ଆଜି ଏହି ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ଅଲିମ୍ପିକ୍ସରେ ୪୦ ବର୍ଷ ପରେ ପୁରୁଷ ହକି ଦଳ ପଦକ ଜିତିଛି ।
ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ଖେଳରତ୍ନ ପୁରସ୍କାରକୁ ମେଜର ଧ୍ୟାନ ଚାନ୍ଦଙ୍କ ନାଁରେ ନାମିତ କରିବାକୁ ସାରା ଦେଶରୁ ଅନେକ ନାଗରିକ ମୋତେ ଅନୁରୋଧ କରିଥିଲେ । ସେମାନଙ୍କ ମତାମତ ପାଇଁ ମୁଁ ଧନ୍ୟବାଦ ଦେଉଛି । ସେମାନଙ୍କ ଭାବନାକୁ ସମ୍ମାନ ଦେଇ ଏବେଠାରୁ ଖେଳ ରତ୍ନ ପୁରସ୍କାରକୁ ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ ପୁରସ୍କାର କୁହାଯିବ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ମେଜର ଧ୍ୟାନ ଚାନ୍ଦ ଭାରତର ପ୍ରମୁଖ କ୍ରୀଡ଼ାବିତମାନଙ୍କ ମଧ୍ୟରୁ ଜଣେ, ଯିଏ ଦେଶ ପାଇଁ ସମ୍ମାନ ଓ ଗୌରବ ଆଣିଥିଲେ । ତେଣୁ ଦେଶର ସର୍ବୋଚ୍ଚ ଖେଳ ସମ୍ମାନକୁ ତାଙ୍କ ନାଁରେ କରାଯିବା ଠିକ୍ ହେବ । ଧ୍ୟାନ ଚାନ୍ଦଙ୍କୁ ସର୍ବକାଳୀନ ସର୍ବଶ୍ରେଷ୍ଠ ହକି ଖେଳାଳି ବୋଲି କୁହାଯାଏ । ଦଶନ୍ଧି ଦଶନ୍ଧି ଧରି ହକିରେ ଭାରତ ପ୍ରାଧ୍ୟାନ ହାସଲ କରିଥିଲା । ଅଲିମ୍ପିକ୍ସ ପଦକୁ ଦେଖିଲେ ଏହା ସ୍ପଷ୍ଟ ହୋଇଯାଏ । ୧୯୨୮, ୧୮୩୨ ଓ ୧୯୩୬ ମସିହାରେ ଅଲିମ୍ପିକ୍ସରେ ଭାରତ ସ୍ୱର୍ଣ୍ଣ ପଦକ ଜିତି ଥିବା ବେଳେ ଏଥିରେ ମେଜର ଧ୍ୟାନ ଚାନ୍ଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ଏଯାବତ୍ ମୋଟ ୧୨ଟି ପଦକ ପାଇଛି । ସେଥିମଧ୍ୟରେ ରହିଛି ୮ଟି ସ୍ୱର୍ଣ୍ଣ ପଦକ । ଦଳ ୧୯୨୮, ୧୯୩୨, ୧୯୩୬, ୧୯୪୮, ୧୯୫୨, ୧୯୫୬, ୧୯୬୪ ଓ ୧୯୮୦ରେ ସ୍ୱର୍ଣ୍ଣ ପଦକ ଜିତିଥିଲା । ୧୯୬୦ ଅଲିମ୍ପିକ୍ସରେ ଦଳ ରୌପ୍ୟ ପଦକ ଜିତିଥିଲା । ୧୯୬୮ ଓ ୧୯୭୨ରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ପାଇଥିବା ବେଳେ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ମଧ୍ୟ ବ୍ରୋଞ୍ଜ ପଦକ ହାସଲ କରିଛି ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ