ବଡ଼ମ୍ବା ଟ୍ରାଜେଡି: ଦଳଚକଟାରେ ୪ଗୁରୁତର ଜଣେ ମୃତ
#କଟକ(ଏନ୍.ଏମ୍.): କଟକ ଜିଲ୍ଲା ବଡ଼ମ୍ବାସ୍ଥିତ ସିଂହନାଥଙ୍କ ପୀଠ ଏକ ଐତିହାସିକ ଧର୍ମାନୁଷ୍ଠାନ । ରାଜ୍ୟ କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଏଠାକୁ ଆସିଥାନ୍ତି । ତେବେ ଚଳିତ ବର୍ଷ ଏହି ପୀଠରେ କେତେ ଶ୍ରଦ୍ଧାଳୁଙ୍କ ଆଗମନ ହେବ ସେ ନେଇ ଜିଲ୍ଲାପ୍ରଶାସନ କିମ୍ବା ସ୍ଥାନୀୟ ପୁଲିସ ପ୍ରଶାସନ କେହିବି ଆକଳନ କରିନଥିଲେ । ତେଣୁ ପ୍ରଶାସନ ପକ୍ଷରୁ ସେଠାରେ ମାତ୍ର ୩ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଥିଲା । କିନ୍ତୁ ସେଠାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାରୁ ତାହା ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ତେଣୁ ଏହା ପ୍ରଶାସନିକ ଅବହେଳା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ ଉଠାଇଛନ୍ତି । ତେବେ ଆଜି ଟି-ବ୍ରିଜରେ ହଠାତ ପ୍ରବଳ ଭିଡ ହୋଇ ଯିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠେଲାପେଲା ହେବା ସହ ଦଳାଚକଟା ହୋଇଯାଇଥିଲା । ଏହି ଦଳାଚକଟାରେ ୨୦ରୁ ଉର୍ଦ୍ଧ୍ୱ ଆହତ ହୋଇଥିବାବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତା ମହିଳା ଜଣଙ୍କ ନିମସାହି ଆଇଁଶିଆ ଗ୍ରାମର ଅଞ୍ଜନା ସ୍ୱାଇଁ (୪୫) ବୋଲି ଜଣାପଡ଼ିଛି । ତେବେ ଅନ୍ୟ ୪ଜଣ ଶଙ୍କଟାପନ୍ନ ଅବସ୍ଥାରେ ଥିବାବେଳେ ସେମାନଙ୍କୁ କଟକ ବଡମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ ଖଣ୍ଡପଡ଼ା ଅଞ୍ଚଳର ଆଦ୍ୟଶ ସାହୁ(୮) ଓ ନରସିଂହ ପୁର ଅଞ୍ଚଳର ସୁମିତ୍ରା ସାହୁ(୧୦)ଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ସେହିଭଳି ବାଙ୍କୀର କେଶବ ଲେଙ୍କା (୧୧) ଓ ସ୍ୱର୍ଣ୍ଣଲତା ପଣ୍ଡା(୫୨) ମଧ୍ୟ ଏସସିବିରେ ଚିକିତ୍ସିତ ହେଉଛନ୍ତି । ଅଞ୍ଚଳବାସୀଙ୍କ କହିବାନୁଯାୟୀ ଯେତେବେଳେ ଏଠାରେ ଟି-ବ୍ରିଜ ନିର୍ମାଣ ହୋଇନଥିଲା ସେତେବେଳେ ଏଠାକୁ ଡଙ୍ଗାରେ ପ୍ରାୟ ୩୦ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ତେଣୁ ଦୀର୍ଘ ବର୍ଷ ଧରି କରୋନା କଟକଣା ଦୀର୍ଘ ଦିନ ଧରି ଲୋକେ ଏଠାକୁ ଆସିନଥିଲେ । ଇତି ମଧ୍ୟରେ ଟି-ବ୍ରିଜ ଦେଖିବା ପାଇଁ ତଥା ବ୍ରିଜରେ ସହଜରେ ପୀଠକୁ ଯିବା ବ୍ୟବସ୍ଥା ହୋଇଥିବାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶ୍ରଦ୍ଧାଳୁ ଏଠାକୁ ଚାଲିଆସିଥିଲେ । ହଠାତ ଲକ୍ଷାଧିକ ଲୋକଙ୍କ ସମାଗମ ହେତୁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି । ତେବେ ଏତେ ଜନସମାଗମ ହେବା ସତ୍ତ୍ୱେ ପ୍ରଶାସନିକ ଅଧିକାରୀ କୌଣସି ପଦକ୍ଷେପ ନେବା ବଦଳରେ ହାତଟେକି ଦେଇଥିବା ଅଭିଯୋଗ ହେଉଛି । ଆହତମାନଙ୍କୁ ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ବାଙ୍କୀ ପୂର୍ବ ବିଧାୟକ ପ୍ରଭାତ ତ୍ରିପାଠୀ, ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ରଘୂପତି ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ରବୀନ୍ଦ୍ର ସାହୁ, ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଆହତମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବାର ବନ୍ଦୋବସ୍ତ କରିଥିଲେ ।
ଦୁର୍ଘଟଣା ପରେ ଏସସିବି ପ୍ରସ୍ତୁତ: କଟକ ଜିଲ୍ଲା ବଡମ୍ବାସ୍ଥିତ ଟି-ବ୍ରିଜରେ ଘଟିଥିବା ଅଘଟଣରେ ପ୍ରାୟ ୨୦ଲୋକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ବଡ଼ମ୍ବାସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଶଙ୍କଟାପନ୍ନ ଥିବା ୩ଜଣ ରୋଗୀମାନଙ୍କ ଉନ୍ନତ ଚିକିତ୍ସା ନିମନ୍ତେ କଟକ ବଡ଼ମେଡ଼ିକାଲ(ଏସସିବି)କୁ ସ୍ଥାନାନ୍ତର କରାଯାଇଛି । ତେବେ କଟକ ବଡ଼ମେଡ଼ିକାଲରେ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଚିକିତ୍ସା ନିମନ୍ତେ ସମସ୍ତ ବ୍ୟବସ୍ଥା ହୋଇଥିବା ମେଡ଼ିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏସସିବିର ସର୍ଜରୀ, ଅର୍ଥପେଡିକ ଓ ନ୍ୟୁରୋସର୍ଜରୀ ବିଭାଗ ଆଲର୍ଟ ଅଛନ୍ତି । ଅତ୍ୟନ୍ତ ଗୁରୁତରଙ୍କ ପାଇଁ ଆଇସିୟୁ ବେଡ ପ୍ରସ୍ତୁତ ରଖାଯାଇଛି ବୋଲି ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ପ୍ରକାଶ କରିଛନ୍ତି । ପୁନଶ୍ଚ ଏ ନେଇ ଏସିବି ଅଧିକ୍ଷକ ସୁଧାଂଶୁ ମିଶ୍ର କହିଛନ୍ତି ଯେ, ୩ ଜଣ ଗୁରୁତରଙ୍କ ମଧ୍ୟରୁ ଜଣକୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ତାଙ୍କର ଶରୀରରେ ମଲଟିପୁଲ ଇଂଜୁରି ରହିଛି ବୋଲି ପ୍ରାଥମିକ ଚିକିତ୍ସା ପରେ ଜଣାପଡ଼ିଛି । ଅନ୍ୟ ଜଣଙ୍କ ସିଟି ସ୍କାନ କରାଯାଇଥିବା ବେଳେ ଆଉଜଣେ ସୁସ୍ଥ ଥିବା କହିଛନ୍ତି । ସେହିଭଳି ଅନ୍ୟ ଆହତମାନେ ବଡ଼ମ୍ବା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବାବେଳେ ଯଦି ଆଉ କେହି ଏସସିବିକୁ ଆସନ୍ତି ତେବେ ସେମାନଙ୍କୁ ତ୍ୱରିତ ଚିକିତ୍ସା ସେବା ଯୋଗାଇବା ପାଇଁ ସ୍ୱତନ୍ତ୍ର ଟିମ ଆଲର୍ଟ କରାଯାଇଥିବା ସେ କହିଛନ୍ତି ।
ଆହତଙ୍କୁ ଭେଟିଲେ ଜିଲ୍ଲାପାଳ: ବଡ଼ମ୍ବା ନିକଟ ମହାନଦୀର ଟି-ସେତୁରେ ଦଳାଚକଟା ପରେ ବଡ଼ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଗୁରୁତରଙ୍କୁ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ ଆଜି ରାତିରେ ଭେଟିଛନ୍ତି । ଏସସିବିରେ ଭର୍ତ୍ତି ହୋଇଥିବା ୩ ଜଣ ଶିଶୁଙ୍କୁ ଭେଟିଲା ପରେ ଜିଲ୍ଲାପାଳ ଡକ୍ଟର ଚୟନୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଆକଳନ ଠାରୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ସେତୁ ଉପରକୁ ଆସି ଯାଇଥିଲେ, ଯେଉଁଥି ପାଇଁ ଏହି ଅଘଟଣ ଘଟିଛି । ତେବେ ଏହି ଦିଗରେ ଉଚ୍ଚସ୍ତରୀୟ ତଦନ୍ତ ଓ ଅନୁଧ୍ୟାନ କରାଯିବ । ସେ କହିଛନ୍ତି ଯେ, ମୃତକଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ଆର୍ôଥକ ସାହୟତା ଘୋଷଣା କରିଥିବାବେଳେ ଆହତଙ୍କୁ ୧୦ ହଜାର ଓ ମୃତକଙ୍କୁ ୨୦ ହଜାର ଟଙ୍କା ରେଡ଼କ୍ରସ ପାଣ୍ଠିରୁ ଆର୍ôଥକ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।