ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ କୟଳପଡ଼ାରେ କୌଶଳ ପ୍ରଦର୍ଶନ

ଚୌଦ୍ୱାର(ଏନ୍.ଏମ୍.): ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ନକଲ ଅଭ୍ୟାସ କୌଶଳ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଜି କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ କୟଳପଡ଼ା ପଞ୍ଚାୟତରେ ବିପର୍ଯ୍ୟୟ ସମୟରେ କିଭଳି ଜନସାଧାରଣଙ୍କୁ ସୁରକ୍ଷା ଦିଆଯାଇ ପାରିବ ସେ ନେଇ ଏକ କୌଶଳ ପ୍ରଦଶନ ବା ମକ୍ ଡ୍ରିଲ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବାତ୍ୟା, ବନ୍ୟା, ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣ ସୁରକ୍ଷିତ ରହିବା ଭଳି କୌଶଳ ପ୍ରଦର୍ଶନ କରାଯାଇଥିଲା । ଏଥିରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ରାଜ୍ୟ ପର୍ଯ୍ୟବେକ୍ଷକ) ଡକ୍ଟର ଜ୍ଞାନ ଦାସ ଯୋଗ ଦେଇଥିଲେ । ଏଥି ସହିତ ଟାଙ୍ଗୀ-ଚୌଦ୍ୱାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶୁତୋଷ ମିଶ୍ରଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତଥିଲେ । ଆଜି ଜିଲ୍ଲାର ବିଭିନ୍ନ ବ୍ଲକରେ ୨୫ଗୋଟି ବହୁମୂଖୀ ଆଶ୍ରୟସ୍ଥଳୀରେ ଏହି ମକଡ୍ରିଲ ଅନୁଷ୍ଠିତ ହୋଇଥିଲା । ବିପର୍ଯ୍ୟୟର ପ୍ରାକ ପ୍ରସ୍ତୁତି, ବିପର୍ଯ୍ୟୟ ସମୟରେ ଧନଜୀବନ ସୁରକ୍ଷା ନିମିତ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ବିସ୍ତୃତ କୌଶଳ ଓ ଯୋଜନା ସମ୍ବନ୍ଧରେ ଅବଗତ ଗ୍ରାମବାସୀଙ୍କୁ ଅବଗତ କରାଯାଇଥିଲା । ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଏନ.ଏନ. ରାଜଲକ୍ଷ୍ମୀ ଓଝାଙ୍କ ସଂଯୋଜନା, ସହକାରୀ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶଶାଙ୍କ ଶେଖର ମିଶ୍ର ଉପସ୍ଥିତଥିଲେ । ଏଥି ସହିତ ଓଡ୍ରାଫ ୬ଷ୍ଠ ବାଟାଲିୟନର ସବ ଇନ୍ସପେକ୍ଟର ସୁନିଲ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଅଲେଖ ବେହେରା, ସଞ୍ଜିବ ବିଶ୍ୱାଳ, ବିମଳ ଚନ୍ଦ୍ର ବେହେରା, ମନୋଜ ନାଥଙ୍କ ସମେତ ଚୌଦ୍ୱାର ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଓ ସ୍ଥାନୀୟ ଅଞ୍ଚଳ ପ୍ରତିନିଧିଙ୍କ ମଧ୍ୟରେ ସରପଞ୍ଚ ଶୈଳବାଳା ନାୟକ, ସମିତି ସଭ୍ୟା ବନ୍ଦନା ସ୍ୱାଇଁ, ନାଏବସରପଞ୍ଚ ମାଧବାନନ୍ଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।