ପ୍ରଶାସନର ଧବଳେଶ୍ୱର ମନ୍ଦିର ବନ୍ଦକୁ ବିରୋଧ: ରାଜପଥ ଅବରୋଧ କରିବ ପୂଜକ ସମିତି
#ଆଠଗଡ଼(ଏନ୍.ଏମ୍.): ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ କଟକ ଜିଲ୍ଲା ଆଠଗଡ଼ର ବାବା ଧବଳେଶ୍ୱରଙ୍କ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଜାରି କରାଯାଇଛି । ଦୀର୍ଘ ଦୁଇ ମାସ ଧରି ରହିଛି ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିଥିବାବେଳେ ସେବାୟତମାନଙ୍କ ରୋଜଗାର ମଧ୍ୟ ବନ୍ଦ ରହିଛି । ଗୋଟିଏ ପଟେ ପ୍ରଶାସନ ପକ୍ଷରୁ ଝୁଲାପୋଲର ରକ୍ଷଣାବେକ୍ଷଣରେ ଅବହେଳା ତଥା ବାଟମାରଣା ନୀତି ଯୋଗୁଁ ଏହା କ୍ରମଶଃ ଦୁର୍ବଳ ହେଲା । ଏ ନେଇ ସେବାୟତମାନେ ମଧ୍ୟ ଦୀର୍ଘ ବର୍ଷ ଧରି ଅଭିଯୋଗ କରିଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏଥିପ୍ରତି କର୍ଣ୍ଣପାତ କରିନଥିଲେ । ମାତ୍ର ଗୁଜୁରାଟ ଅଘଟଣ ପରେ ଏବେ ପ୍ରଶାସନର ଚେତା ପଶିଲା । ତେବେ ଏହାକୁ ମରାମତି କରିବା ଉଦ୍ଦେଶ୍ୟରେ ମନ୍ଦିରକୁ ଶ୍ରଦ୍ଧାଳୁ ଆସିବା ପାଇଁ କଟକଣା ଲଗାଇ ଦିଆଗଲା । ମାତ୍ର ପୀଠକୁ ଦର୍ଶକ କିଭଳି ଆସିବେ ସେ ନେଇ କୌଣସି ବିକଳ୍ପ ବ୍ୟବସ୍ଥ କରାଗଲା ନାହିଁ । ଫଳରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଶତାଧିକ ଶ୍ରଦ୍ଧାଳୁ ଆସି ଦୁଃଖରେ ଫେରୁଛନ୍ତି । ଏଥି ସହିତ ଶ୍ରଦ୍ଧାଳୁଙ୍କ ଠାରୁ ସେବାୟତଙ୍କୁ ମିଳୁଥିବା ଦକ୍ଷିଣା ବନ୍ଦ ହୋଇଯାଇଛି । ତେଣୁ ସେବାୟତମାନେ ମନ୍ଦିରକୁ ନିର୍ଭରକରି ପରିବାର ପ୍ରତିପୋଷଣ କରୁଥିବାବେଳେ ପ୍ରଶାସନର ଅଦୂରଦର୍ଶୀ ନୀତି ଯୋଗୁଁ ତାହା ମଧ୍ୟ ବନ୍ଦ ହୋଇଗଲା । ଫଳରେ ଦୀର୍ଘ ଦୁଇମାସ ଧରି ରୋଜଗାର ହରାଇ ସେବାୟତମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି । ଏନେଇ ବାବା ଧବଳେଶ୍ୱର ପୂଜକ ସଂଘ ପକ୍ଷରୁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଏଥି ପ୍ରତି କୌଣସି ଦୃଷ୍ଟି ନଦେବାରୁ ବାଧ୍ୟ ହୋଇ ସମିତି ପକ୍ଷରୁ ଅହୋରାତ୍ର ଅହିଂସା ଧାରଣା ଦିଆଯାଇଛି । ତେବେ ଏହି ଆନ୍ଦୋଳନ ୪ଦିନ ଧରି ଚାଲିଥିବାବେଳେ ସେବାୟତମାନେ ଶୀତକାକରରେ ପଡ଼ି ନିଜର ଦାବି ପାଇଁ ପ୍ରଶାସନ ଓ ସରକାରଙ୍କୁ ନିବେଦନ କରି ଆସୁଛନ୍ତି । ମାତ୍ର ପ୍ରଶାସନ ଓ ସରକାର ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ଯୋଗୁଁ ଏବେ ଅସନ୍ତୋଷ ତିବ୍ରରୂପ ଧାରଣ କରିବାର ଆଶଙ୍କା ସୃଷ୍ଟି ହୋଇଛି ।
ଶେଷରେ ପୂଜକ ସମିତି ଏବେ ମନ୍ଦିର ପୂଜା ଛାଡି ରାଜ୍ୟ ରାଜପଥ ଅବରୋଧ ପାଇଁ ନିଷ୍ପତ୍ତି ନେଇଛି । ଗୋଟିଏ ପଟେ ସରକାର ବିଭିନ୍ନ ଦେବାଳୟର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରୁଥିବାବେଳେ ବିଶେଷ କରି କଟକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ବୋଲି ସାଧାରଣରେ ଅଭିଯୋଗ ଉଠିଛି । ଏ ନେଇ ଆଜି ସମିତି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ୩୦ତାରିଖ ଶୁକ୍ରବାର ଠାରୁ ପୁରୁଣା କଟକ ସମ୍ବଲପୁର ରାସ୍ତାକୁ ଅବରୋଧ କରିବାକୁ ପୂଜକ ସମିତି ସିଧାସଳଖ ଚେତାବନୀ ଦେଇଛି । ଦୀର୍ଘ ଦିନ ଧରି ସରକାର ଓ ପ୍ରଶାସନ ପୂଜକମାନଙ୍କ ସମସ୍ୟାର ସମାଧାନ କରୁନଥିôବା ଯୋଗୁଁ ଆନ୍ଦୋଳନରତ ସେବାୟତଙ୍କୁ ବିଜେପି ଏବଂ ବିଶ୍ୱ ହିନ୍ଦୁ ପରିଷଦ ସମର୍ଥନ ଦେଇଛି । ବାବା ଧବଳେଶ୍ୱରଙ୍କ ପୀଠରେ ପ୍ରଶାସନିକ ଉଦାସୀନତାକୁ ବରଦାସ୍ତ କରାଯିବ ନାହିଁ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ତେବେ ଏହାର ତିବ୍ର ବିରୋଧ କରାଯିବ ବୋଲି ଆଠଗଡ଼ ବିଜେପି ନେତା ବ୍ରଜେନ୍ଦ୍ର ରାୟ ସୂଚନା ଦେଇଛନ୍ତି । ଏବେ ପୂଜକ ସମିତିର ଏଭଳି ନିଷ୍ପତ୍ତି ଏବେ ପ୍ରଶାସନ ପାଇଁ ପାଲଟିଛି ମୁଣ୍ଡ ବ୍ୟଥାର କାରଣ ହେବ ବୋଲି ଶୁଣିବାକୁ ମିଳୁଛି ।