ପ୍ରଭାତ ତ୍ରିପାଠୀଙ୍କୁ ନାଗରିକ ସମ୍ବର୍ଦ୍ଧନା

ପ୍ରଭାତ ତ୍ରିପାଠୀଙ୍କୁ ନାଗରିକ ସମ୍ବର୍ଦ୍ଧନା


କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଶ୍ରମିକ ନେତା, ପୂର୍ବତନ ବିଧାୟକ ତଥା ହିନ୍ଦ୍ ମଜ୍‌ଦୁର ସଭାର ନବ ନିର୍ବାଚିତ କାର୍ଯ୍ୟକାରୀ ସଭାପତି ପ୍ରଭାତ ତ୍ରିପାଠୀଙ୍କ ୭୦ତମ ଜୟନ୍ତୀ ସମାରୋହ ଅବସରରେ ରକ୍ତଦାନ ଶିବିର ଓ ନାଗରିକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସଂପ୍ରତି ଶ୍ରମିକମାନଙ୍କ ଉପରେ ଅତ୍ୟାଚାର ଚାଲିଛି, ପୁଞ୍ଜିପତିମାନଙ୍କ ପକ୍ଷରୁ ଧାରାବାହିକ ଭାବେ ଶ୍ରମିକମାନଙ୍କ ଉପରେ ଚାଲିଥିବା ଆକ୍ରମଣ ବିରୁଦ୍ଧରେ ଗଣଆନ୍ଦୋଳନ ଗଢ଼ି ତୋଳିବା ପାଇଁ ପ୍ରଭାତ ତ୍ରିପାଠୀ ସମ୍ବର୍ଦ୍ଧନାର ଉତ୍ତରରେ ସଂକଳ୍ପ ନେଇଛନ୍ତି । ବର୍ତ୍ତମାନ ସମାଜରେ ଚାଲିଥିବା ଅନ୍ୟାୟ ଅନୀତି ବିରୁଦ୍ଧରେ ଜନସଚେତନା ସୃଷ୍ଟି କରିବା ପାଇଁ ଆଜିର ଏହି ଜୟନ୍ତୀ ଅବସରରେ ଶ୍ରୀ ତ୍ରିପାଠୀ ଆହ୍ୱାନ ଦେଇଛନ୍ତି । ଅନୁଷ୍ଠାନର ସଭାପତି ଡାକ୍ତର ରବିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ, ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂ, ରାଧାକାନ୍ତ ସେଠୀ, ଶ୍ରମିକ ନେତା କୃଷ୍ଣଚନ୍ଦ୍ର ପାତ୍ର, ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା, ପୂର୍ବତନ ସାଂସଦ ରବି ପାଣି ପ୍ରମୁଖ ପ୍ରଭାତ ବାବୁଙ୍କୁ ଜଣେ ସଚ୍ଚା ସାମାଜିକ କର୍ମୀ ଓ କଟକ ସହରର ଜନଜୀବନ ସହ ଓତପ୍ରୋତ ଭାବେ ଜଡ଼ିତ ରହି ଅସଂଗଠିତ ଶ୍ରମିକମାନଙ୍କୁ ସଂଗଠିତ କରିବା ନିମନ୍ତେ ନିର୍ଭିକ ଓ ନିରପେକ୍ଷ ଭାବେ କାର୍ଯ୍ୟ କରୁଥିବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ରାଜ୍ୟର ବିଭିନ୍ନ ଟ୍ରେଡ଼ ୟୁନିୟନ, ପୂଜା କମିଟି ସାଂସ୍କୃତିକ ଅନୁଷ୍ଠାନ ସମେତ ପ୍ରାୟ ୭୦ରୁ ଉର୍ଦ୍ଧ୍ୱ ଅନୁଷ୍ଠାନର କର୍ମକର୍ତ୍ତା ଶ୍ରୀ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଆଇନଜୀବୀ ଜ୍ୟୋତି ପ୍ରକାଶ ଘୋଷ, ଧର୍ମେଶ ନାୟକ, ଆଶିଷ ସାହୁ, ବିଜୟ ବେହେରା, ଜଗନ୍ନାଥ ସ୍ୱାଇଁ, ଗୌତମ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଜୟ ମଲ୍ଲ ସଂଯୋଜନା କରିଥିଲେ । ଆୟୋଜିତ ରକ୍ତଦାନ ଶିବିରରେ ୭୦ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ।

Leave a Reply

Your email address will not be published. Required fields are marked *