ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ନେଇ ଆଠଗଡ ବ୍ଲକ ଘେରିଲା ବିଜେପି
#ଆଠଗଡ (ଏନ୍.ଏମ୍.): ଆଠଗଡ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ନେଇ ବିଜେପି କର୍ମୀମାନଙ୍କ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି । ବିଜେପି ନେତା ବ୍ରଜେନ୍ଦ୍ର ରାୟଙ୍କ ନେତୃତ୍ୱରେ ଆଠଗଡ ବିଜେପି କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଆଠଗଡ ବ୍ଲକ କାର୍ଯ୍ୟାଳୟ ଆଗରେ ପହଞ୍ଚି ବିକ୍ଷୋଭ କରିଥିଲେ । ବିକ୍ଷୋଭକାରୀମାନେ ସେଠାରେ ପହଞ୍ଚିବା ପୂର୍ବରୁ ପୁଲିସ ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଫାଟକକୁ ବନ୍ଦ କରିଦେଇଥିବା ବେଳେ ବିଜେପି କର୍ମୀମାନେ ଧସେଇ ପଶିଥିଲେ । ଫଳରେ ବିକ୍ଷୋଭକାରୀଙ୍କ ସହ ପୁଲିସ ମଧ୍ୟରେ ଠେଲାପେଲା ହୋଇଥିଲା । ଏହାପରେ ଆଠଗଡ ଏସଡିପିଓ ବିଜୟ ବିଶି ଓ ପୁଲିସ ଫୋର୍ସମାନଙ୍କ ସହିତ କର୍ମୀମାନଙ୍କ ଧସ୍ତାଧସ୍ତି ହୋଇଥିଲା । ଏହାପରେ ବିଜେପି କର୍ମୀମାନେ ବ୍ଲକ କାର୍ଯ୍ୟାଳୟ ଆଗରେ ସ୍ଥାନୀୟ ବିଧାୟକଙ୍କ ବିରୁଦ୍ଧରେ ବର୍ଷିଥିଲେ । ଏହି ବ୍ଲକ ଘେରାଉ ଅବସରରେ ଆୟୋଜିତ ପ୍ରତିବାଦ ସଭାରେ ଆଠଗଡ ବିଜେପି ପ୍ରଭାରୀ ଜ୍ଞାନେନ୍ଦ୍ର ସ୍ୱାଇଁ ଯୋଗଦେଇ ରାଜ୍ୟ ସରକାର ଦଳୀୟ ଲୋକଙ୍କୁ ଆବାସ ଘର ପ୍ରଦାନ କରୁଥିବାବେଳେ ସାଧାରଣ ଲୋକ ଏଥିରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସମ୍ପାଦକ ରାମ ନାରାୟଣ ମହାନ୍ତି, ଜିଲ୍ଲା କୃଷକ ସଂଘ ସଭାପତି ଶଙ୍କର୍ଷଣ ମହାନ୍ତି, ଜଗଦାନନ୍ଦ ତ୍ରିପାଠୀ, ପ୍ରକାଶ ସେଠୀ, ଡ. ହରିହର ସାହୁ ପ୍ରମୁଖ ଯୋଗଦେଇ ଥିଲେ । ବିଜେପି ନେତା ବିଚିତ୍ରା ନନ୍ଦ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରତିବାଦ ସଭାରେ ଆଠଗଡ ନିର୍ବାଚନ ମଣ୍ଡଳୀର ବହୁ ବିଜେପି ନେତା ଓ କର୍ମୀ ଯୋଗଦେଇ ଆଠଗଡ ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।