ପୁରୁଣା କଟକ-ସମ୍ବଲପୁର ରାସ୍ତାର ମଞ୍ଚେଶ୍ୱର୍ ଠାରୁ ଆଠଗଡ ସହର ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା: ବେଫିକର ବିଭାଗୀୟ ଅଧିକାରୀ
ଆଠଗଡ଼(ଏନ୍.ଏମ୍.): ଗୋଟିଏ ପରେ ସରକାର ଗମନାଗମନର ସୁବିଧା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ରାସ୍ତାଘାଟର ଉନ୍ନତିକରଣ ତଥା ନବୀକରଣ କରୁଥିବାବେଳେ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ମଞ୍ଚେଶ୍ୱର ଠାରୁ ଆଠଗଡ଼ ବଜାର ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଥିବାବେଳେ ବିଭାଗୀୟ ଅଧିକାରୀ ବେଫିକର ହୋଇ ବସି ରହିଛନ୍ତି । ଫଳରେ ଦୈନିକ ଛୋଟ ବଡ଼ ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଉଛି । ତେଣୁ ଏହାକୁ ତୁରନ୍ତ ମରାମତି ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି; ନଚେତ୍ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି । ସୂଚନା ଅନୁଯାୟୀ, ପୁରୁଣା କଟକ-ସମ୍ବଲପୁର ରାସ୍ତାର ନୁଆପାଟଣା ମଧୁସୂଦନ ସେତୁ ପରେ ପରେ ଆଠଗଡ ବ୍ଲକ୍ ଅନ୍ତର୍ଗତ ମଞ୍ଚେଶ୍ୱର ଠାରୁ ଆଠଗଡ ବଜାର ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି । ଆବଶ୍ୟକୀୟ ମରାମତି ଅଭାବରୁ ରାସ୍ତାର ଅବସ୍ଥା ଏପରି ଅବସ୍ଥାରେ ପହଞ୍ଚିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି । ନୁଆପଟଣା ଠାରେ ମହାନଦୀ ଉପରେ ସେତୁ ନିର୍ମାଣ ପରେ ଏହି ରାସ୍ତାର ଗୁରୁତ୍ୱ ବଢି ଯାଇଛି । ଉପକୂଳ ଜିଲ୍ଲା ତଥା ରାଜଧାନୀ ଭୁବନେଶ୍ୱର ସହିତ ଯୋଗାଯୋଗ ସୁଗମ ହୋଇଛି । ରାସ୍ତାର ଦୂରତା ମଧ୍ୟ ଢେର୍ ହ୍ରାସ ପାଇଛି । ତେଣୁ ଏହି ରାସ୍ତା ଏବେ ଏହି ଅଞ୍ଚଳର ଜୀବନରେଖା ଭଳି କାମ କରୁଛି । ଦୈନିକ ହଜାର ହଜାର ସଂଖ୍ୟାରେ ଯାନ ବାହନ ଏହି ରାସ୍ତାଦେଇ ଯାତାୟାତ କରୁଛି । ତେବେ ଏହି ବ୍ୟସ୍ତ ବହୁଳ ରାସ୍ତା ପ୍ରତି ବିଭାଗୀୟ ବୈମାତୃକ ମନୋଭାବ ଯୋଗୁଁ ଏହା ମରାମତି ହୋଇ ପାରୁନି ବୋଲି ସାଧାରଣରେ ଅଭିଯୋଗ ହେଉଛି । ଏହି ରାସ୍ତା ପାର୍ଶ୍ୱରେ ରାଜ୍ୟର ପ୍ରାଚୀନ ଶୈବପୀଠ ପ୍ରଭୁ ଧବଳେଶ୍ୱରଙ୍କ ମନ୍ଦିର ରହିଥିବାବେଳେ କାର୍ତ୍ତିକ ମାସରେ ପ୍ରଭୁଙ୍କ ମହାନ୍ ପର୍ବ “ବଡ଼ଓଷା’ ପାଳନ ହୋଇଥାଏ । ଏହି ସମୟରେ ପୀଠକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଉକ୍ତ ରାସ୍ତାର ତୁରନ୍ତ ମରାମତି ଆବଶ୍ୟକ ରହିଛି । ଏହି ପ୍ରମୁଖ ରାସ୍ତାଟି ଏବେ ଶୋଚନୀୟ ହୋଇପଡ଼ି ଖାଲ ଖମାରେ ପରିଣତ ହୋଇଥିବାରୁ ସମ୍ପ୍ରତି ବହୁ ଦୁର୍ଘଟଣା ଘଟିବା ସହ ଅନେକ ଯାତ୍ରୀ ଆହତ ହେଉଛନ୍ତି । ତେଣୁ ଆଠଗଡ ଯୁବ ସଂଗଠନ ପକ୍ଷରୁ ଏହି ରାସ୍ତାର ମରାମତି ଦାବିକରି ରାସ୍ତା ଓ ଗୃହନିର୍ମାଣ ବିଭାଗର କଟକସ୍ଥିତ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଏକ ଦାବିପତ୍ର ଦିଆ ଯାଇଛି । ଯୁବ ସଂଗଠକ ଅଭୟ କୁମାର ବାରିକଙ୍କ ନେତୃତ୍ୱରେ ପୂର୍ବତନ ସରପଞ୍ଚ ସୁନିଲ କୁମାର ସୁତାର, ମନୋଜ କୁମାର ରାଉତ, ଗଗନ ବାରିକ, ଆଲୋକ କୁମାର୍ ମହାନ୍ତି, ସୁରେଶ ରାଉତ ପ୍ରମୁଖ ସ୍ଥାନୀୟ ଲୋକମାନେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରି ୭ ଦିନ ମଧ୍ୟରେ ଏହି ରାସ୍ତାର ମରାମତି ପାଇଁ ଦାବି କରିଛନ୍ତି । ନଚେତ୍ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନ କରିବେ ଏବଂ ଏଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଚେତାବନୀ ଦିଆଯାଇଛି । ଏହି ଦାବିପତ୍ରର ନକଲ ଆଠଗଡ ଉପଜିଲାପାଳଙ୍କ ସମେତ ବିଭାଗୀୟ ଅଧିକାରୀ ମାନଙ୍କୁ ଦିଆଯାଇଛି ।