ପୁରୀ ବଳାତ୍କାର ପୀଡିତାଙ୍କୁ ଏସସିବିରେ ଭେଟିଲେ ଶିଶୁ ସୁରକ୍ଷା ଅଧିକାରୀ ଆୟୋଗ କମିଶନ
କଟକ(ଏନ୍.ଏମ୍.): କଟକ ବଡ଼ମେଡ଼ିକାଲ(ଏସସିବି)ରେ ଚିକିତ୍ସିତ ପୁରୀ ବଳାତ୍କାର ପୀଡ଼ିତା ନାବାଳିକାକୁ ଆଜି ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର କମିଶନ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ଭେଟିବା ସହ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ଏହି ପରିପ୍ରେକ୍ଷୀରେ ପୀଡ଼ିତାଙ୍କ ଚିକିତ୍ସା ଠିକ୍ ଭାବେ ହେଉଛି କି ନାହିଁ ସେ ସମ୍ପର୍କରେ ମଧ୍ୟ ପରିବାର ଲୋକଙ୍କ ଠାରୁ ପଚାରି ବୁଝିଥିଲେ । ପୀଡିତାକୁ ଭେଟିବା ପରେ ଅଧ୍ୟକ୍ଷା କହିଲେ ଯେ, ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ । ଏହି ଘଟଣା ସମ୍ପର୍କରେ ପୁରୀ ଏସପିଙ୍କୁ ଚିଠି କରାଯାଇଛି । ଏହା ସହିତ ପୀଡିତାକୁ କ୍ଷତିପୂରଣ ଓ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବା ଲାଗି ମଧ୍ୟ ଏସପିଙ୍କ ନିକଟରେ ଦାବି ଜଣାଯାଇଛି । ବର୍ତ୍ତମାନ ନାବାଳିକାଙ୍କ ଅବସ୍ଥା ସ୍ଥିର ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଚିକିତ୍ସା ସମ୍ପୂର୍ଣ୍ଣ ଭାବେ ମାଗଣାରେ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ ।
ସୂଚନା ଅନୁଯାୟୀ, ପୁରୀ ଟାଉନ ଥାନା ଅଞ୍ଚଳରେ ଭଡା ସୂତ୍ରରେ ରହୁଥିବା ଜଣେ ରାଜମିସ୍ତ୍ରୀଙ୍କ ୫ ବର୍ଷର ଶିଶୁ କନ୍ୟାକୁ ଅଭିଯୁକ୍ତ ମହେଶ ମହାନ୍ତି ବଳାତ୍କାର କରି ସେଠାରୁ ଦୈଡି ପଲାଇଥିଲେ । ଏ ନେଇ ପରିବାର ଲୋକ ଟାଉନ ଥାନରେ ଅଭିଯୋଗ କରିବା ପରେ ପୁଲିସ ୧୮/୨୦୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଉକ୍ତ ଅଞ୍ଚଳରେ ଭଡା ସୂତ୍ରରେ ଜଣେ ରାଜମିସ୍ତ୍ରୀ ଓ ଜଗତସିଂହପୁରର ଅଭିଯୁକ୍ତ ମହେଶ ମହାନ୍ତି ରହୁଥିଲେ । ମହେଶର ନିଜ ଘର ମରାମତି ହେଉଥିବାରୁ ସେ ବି ଏହି ଅଞ୍ଚଳରେ ଭଡା ରହୁଥିଲା । କିଛି ମାସ ପୂର୍ବରୁ ଘର ମରାମତି ସରିବା ପରେ ମହେଶ ନିଜ ଘରକୁ ଚାଲିଯାଇଥିଲା । ତେବେ ପୁରୁଣା ଭଡାଘର ସମ୍ପର୍କ ରହିଥିବାରୁ ସେ ବିଭିନ୍ନ ସମୟରେ ସେଠାକୁ ଯାତାୟତ କରୁଥିଲା । ତେବେ ଗତ ରବିବାର ଦିନ ପ୍ରାୟ ସଢେ ୧୦ଟା ସମୟରେ ମହେଶ ଏହି ଭଡା ଘରକୁ ଆସିଥିବା ବେଳେ ସେଠାରେ ରାଜମିସ୍ତ୍ରୀ ୫ ବର୍ଷିୟ ଝିଅ ଏକୁଟିଆ ଖେଳୁଥିବାର ଦେଖିବାକୁ ପାଇଥିଲା । ମହେଶ ଏହି ନାବାଳିକାକୁ ଛାତ ଉପରକୁ ଡାକି ନେଇ ବଳାତ୍କାର କରିଥିଲା । ସମ୍ପୃକ୍ତ ଶିଶୁକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତ କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।